ସେ କଥା ହେବା ଆରମ୍ଭ କରିଥାନ୍ତି, କିନ୍ତୁ ମଝିରେ ମଝିରେ ରହି ଯାଉଥାନ୍ତି । ଦୀର୍ଘଶ୍ୱାସ ନେଇ ପୁଣିଥରେ ଚେଷ୍ଟା କରୁଥାନ୍ତି। କିନ୍ତୁ ତାଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇଯାଉଥାଏ । ସେ ତଳକୁ ଚାହିଁଥାନ୍ତି ଓ ତାଙ୍କ ଓଠ ଥରୁଥାଏ । ପ୍ରାୟ ବର୍ଷେ ହେବ ଅନୀତା ସିଂହ ସାହସର ସହ ଜୀବନ ନିର୍ବାହ କରି ଆସୁଛନ୍ତି। କିନ୍ତୁ ସ୍ୱାମୀଙ୍କ କଥା ମନେ ପଡ଼ିଲେ ସେ ଦୁଃଖରେ ଭାଙ୍ଗି ପଡ଼ୁଛନ୍ତି । ୩୩ ବର୍ଷୀୟା ଅନୀତା କୁହନ୍ତି, ‘‘ଆମର ଏକ ଛୋଟ ସୁଖୀ ପରିବାର ଥିଲା । ମୋ ସ୍ୱାମୀ ହିଁ ଆମର ସମ୍ବଳ ଥିଲେ।’’
ଅନୀତାଙ୍କ ସ୍ୱାମୀ, ୪୨ ବର୍ଷୀୟ ଜୟକର୍ଣ୍ଣ ସିଂହ ଉତ୍ତର ପ୍ରଦେଶର ବୁଲନ୍ଦଶହର ସହରଠାରୁ ୨୦ କିଲୋମିଟର ଦୂର ଲଖୋଟି ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିଲେ । ଏପ୍ରିଲ ୨୦୨୧ର ପ୍ରଥମ ସପ୍ତାହରେ ତାଙ୍କ ଠାରେ କୋଭିଡ ୧୯ର ଲକ୍ଷଣ ଦେଖାଦେଇଥିଲା। ସହରରେ ଆମେ ଯେତେବେଳେ ଅନୀତାଙ୍କୁ ତାଙ୍କ ଘରେ ଭେଟିଥିଲୁ, ଅନୀତା କହିଥିଲେ, ‘‘ତାଙ୍କ ସ୍ୱାମୀଙ୍କୁ କାଶ, ସର୍ଦ୍ଦି ଓ ଜ୍ୱର ଥିଲା । ଦ୍ଵିତୀୟ ଲହରୀ ସମୟରେ ମଧ୍ୟ ଶିକ୍ଷକମାନଙ୍କୁ ସ୍କୁଲ ଯିବା ଲାଗି କୁହାଯାଇଥିଲା। ସେ ବୋଧହୁଏ ସେହି ସମୟରେ ହିଁ ସଂକ୍ରମିତ ହୋଇଥିଲେ।’’
୨୦ ଏପ୍ରିଲ, ୨୦୨୧ରେ, ଜୟକର୍ଣ୍ଣ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାପଡ଼ିଲା, ତାଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ହେଲା । ହେଲେ ସେତେବେଳେ ସହରର କୌଣସି ଡାକ୍ତରଖାନାରେ ଅକ୍ସିଜେନ୍ ଶଯ୍ୟା ଉପଲବ୍ଧ ନଥିଲା। ଅନୀତା ସେହିଦିନ ବିଷୟରେ ସ୍ମରଣ କରି କୁହନ୍ତି, ‘‘ମୁଁ ଅନେକ ଡାକ୍ତରଖାନାରେ ସହାୟତା ପାଇଁ ଅନୁରୋଧ କଲି, କିନ୍ତୁ ମୋତ ସଫା ସଫା ମନା କରି ଦିଆଗଲା। ଆମେ ଚାରି ଆଡ଼କୁ ଫୋନ୍ କଲୁ, କାରଣ ତାଙ୍କର ସ୍ୱାସ୍ଥାବସ୍ଥା ଖୁବ୍ ଗମ୍ଭୀର ହୋଇଯାଇଥିଲା। ହେଲେ କୌଣସି ସ୍ଥାନରୁ କିଛି ସହାୟତା ମିଳିଲା ନାହିଁ । ଘରେ ହିଁ ଆମେ ତାଙ୍କର ଚିକିତ୍ସା ଜାରି ରଖିଲୁ।’’
ଜଣେ ସ୍ଥାନୀୟ ଡାକ୍ତର ଜୟକର୍ଣ୍ଣଙ୍କ ଜ୍ୱର ଓ କାଶର ଚିକିତ୍ସା କରିଥିଲେ। ଅନୀତାଙ୍କ ଆତ୍ମୀୟ ସ୍ୱଜନମାନେ କୌଣସି ପ୍ରକାର ଅକ୍ସିଜେନ ସିଲିଣ୍ଡର ବ୍ୟବସ୍ଥା କରି ଦେଇଥିଲେ। ଅନୀତା କୁହନ୍ତି, ‘‘ଏହାକୁ କିଭଳି ବ୍ୟବହାର କରିବାକୁ ହେବ ଆମକୁ ଜଣାନଥିଲା। ଆମକୁ ନିଜ ଚେଷ୍ଟାରେ ହିଁ ଏହା କରିବାର ଥିଲା। କିନ୍ତୁ ଆମେ ଡାକ୍ତରଖାନାରେ ଶଯ୍ୟାଟିଏ ମିଳିଯିବାର ଆଶାରେ ସନ୍ଧାନ ଜାରି ରଖିଲୁ।’’
ବିଶେଷ କରି ଗାଁ ଓ ଛୋଟ ସହରାଞ୍ଚଳ ଭାରତରେ ସରକାରୀ ସ୍ୱାସ୍ଥ୍ୟ ସେବା କେତେ ଦୁର୍ବଳ ତାହା ମହାମାରୀ ପ୍ରମାଣିତ କରିଛି । ସାର୍ବଜନୀନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଖର୍ଚ୍ଚ ପ୍ରତି ଦୃଷ୍ଟି ପକାଇଲେ ୨୦୧୫-୧୬ରେ ଏହା ଜିଡିପିର ମାତ୍ର ୧.୦୨ ପ୍ରତିଶତ ଥିଲା। ଏହା ସରକାରୀ ସ୍ୱାସ୍ଥ୍ୟସେବା ଉପରେ ନିର୍ଭର କରୁଥିବା ଲୋକମାନଙ୍କ ପାଇଁ ଅତ୍ୟନ୍ତ ନିରାଶାଜନକ ଥିଲା। ନ୍ୟାସନାଲ ହେଲ୍ଥ୍ ପ୍ରୋଫାଇଲ୍ ୨୦୧୭ର ରିପୋର୍ଟ ଅନୁଯାୟୀ, ଦେଶରେ ୧୦,୧୮୯ ଲୋକଙ୍କ ପାଇଁ ଜଣେ ସରକାରୀ ଏଲୋପାଥି ଡାକ୍ତର ଥିଲେ। ପ୍ରତ୍ୟେକ ୯୦,୩୪୩ ଜଣ ଲୋକଙ୍କ ପାଇଁ ଗୋଟିଏ ସରକାରୀ ଡାକ୍ତରଖାନା ଥିଲା।







