“ଆପଣମାନେ ନିଶ୍ଚିତ ଭାବେ ଏହି ପର୍ବ ପାଳନ କରିଥିବେ। ଆମ ବିଷୟରେ କେବେ ଭାବିଛନ୍ତି? କେତେବେଳେ କେମିତି ଆମକୁ କାମ ମିଳିଥାଏ। ଏପରି ପରିସ୍ଥିତିରେ ପଇସା କେଉଁଠାରୁ ଆସିବ?’’ ନିଜ ଘର ଦୁଆର ମୁହଁରେ ବସି ୬୦ବର୍ଷ ବୟସ୍କ ସୋନି ୱାଗ୍ ମୋ ଆଡ଼କୁ ଏକାଗ୍ର ଚିତ୍ତରେ ଚାହିଁ ସ୍ପଷ୍ଟ ସ୍ୱରରେ ପ୍ରଶ୍ନ କଲେ । ସେଠାରେ ଜମା ହୋଇଥିବା ଲୋକମାନେ ତାଙ୍କୁ ଇସାରାରେ ଚୁପ୍ ରହିବାକୁ କହିବା ପାଇଁ ଚେଷ୍ଟା କରୁଥିଲେ । କିନ୍ତୁ ସୋନି ଯାହା କହୁଥିଲେ ତାହା କେବଳ ତାଙ୍କ ପାଇଁ ଉଦ୍ଦିଷ୍ଟ ନଥିଲା – ତାଙ୍କ ଉକ୍ତିରେ ତାଙ୍କ ପଲ୍ଲୀରେ ରହୁଥିବା ସମସ୍ତ ଲୋକଙ୍କ ଜୀବନର ବାସ୍ତବତା ପ୍ରକାଶିତ ହେଉଥିଲା। କେହି ମଧ୍ୟ ତାହା ଲୁଚେଇ ପାରିବେ ନାହିଁ । ଏହା ନଭେମ୍ବରର ପ୍ରାରମ୍ଭିକ ସମୟ ଥିଲା । ଦୀପାବଳି ଏବେ ଏବେ ସରିଛି । କିନ୍ତୁ ଆମ ପଡ଼ାରେ କୌଣସି ଲୋକଙ୍କ ପାଖରେ ଗୋଟିଏ ଲଣ୍ଠନ ମଧ୍ୟ ମହଜୁଦ ନଥିଲା । କୌଣସି ସୌନ୍ଦର୍ଯ୍ୟବର୍ଦ୍ଧନକାରୀ ଦୀପ ମଧ୍ୟ ନଥିଲା । ବୋତ୍ୟାଚି ୱାଡ଼ିରେ କୌଣସି ଗୃହ ଫୁଲରେ ସଜା ହୋଇନଥିଲା ଯେପରି ଦୀପାବଳି ସମୟରେ ସହରରେ କେତେକ ଘରେ କରାଯାଇଥାଏ ।
ୱାଡ଼ିରେ ନୀରବତା ଛାଇ ରହିଥିଲା । କେବଳ ଗୋଟିଏ ମାତ୍ର ଶବ୍ଦ ଶୁଣିବାକୁ ମିଳୁଥିଲା, ଯାହା ପଡ଼ିଆରେ ଖେଳୁଥିବା ପିଲାମାନେ ପାଟି କରିବା ଯୋଗୁଁ ପ୍ରତିଧ୍ୱନିତ ହେଉଥିବା ସ୍ୱର ଥିଲା । ସେମାନଙ୍କ ପାଦ ଧୂଳିମୟ ହୋଇଯାଇଥିଲା । ସେମାନେ ଚିରା ପୋଷାକ ପିନ୍ଧିଥିଲେ ଯେଉଁଥିରେ ସୂତା ସବୁ ଉଲୁରି ଯାଇଥିଲା । ସେମାନଙ୍କ ପୋଷାକର ଅଧିକାଂଶ ବୋତାମ ଭାଙ୍ଗି ଯାଇଥିବାରୁ ସେମାନଙ୍କ ଶରୀର କେବଳ ଆଂଶିକ ଭାବେ ଢାଙ୍କି ହୋଇ ପାରୁଥିଲା । ପଡିଆରେ ଏକ କୋଣରେ ୫-୬ ଜଣ ଝିଅପିଲା, ଯେଉଁମାନଙ୍କ ବୟସ ୮ -୯ ବର୍ଷ ମଧ୍ୟରେ ହେବ, ସେମାନେ ଘର-ଘର ଖେଳୁଥିଲେ । ସେମାନଙ୍କ ସମ୍ମୁଖରେ ସେମାନଙ୍କ ଘରେ ବ୍ୟବହାର ହେଉଥିବା ଆଲୁମିନିୟମ ଓ ଷ୍ଟିଲ୍ରେ ନିର୍ମିତ ବିଭିନ୍ନ ପ୍ରକାରର ପାତ୍ର ସଜ୍ଜିତ ହୋଇ ରଖାଯାଇଥିଲା । ଭୂମି ଉପରେ ଚାରିଟି ବାଡ଼ି ପୋତା ଯାଇଥିଲା ଓ ସେହି ବାଡ଼ିଗୁଡ଼ିକ ସହିତ ଏକ ଚିରା କପଡ଼ା ଖଣ୍ଡ ବନ୍ଧା ଯାଇ ଗୋଟିଏ ଶିଶୁ ପାଇଁ ଏକ ଦୋଳି ପ୍ରସ୍ତୁତ କରାଯାଇଥିଲା ।
ପାଖରେ ବସିଥିବା ଝିଅଟିଏ କିଛି ମାସ ହୋଇଥିବା ଏକ ଶିଶୁକୁ ନିଜ କୋଳରେ ଧରି ବସିଥିଲା ଓ ଅନ୍ୟ ପିଲାମାନଙ୍କୁ ଖେଳୁଥିବା ଦେଖୁଥିଲା । ତା’ପାଖକୁ ଲାଗି ଗୋଟିଏ ପୁଅ ବସିଥିଲା । ମୁଁ ଯେତେବେଳେ ସେମାନଙ୍କ ପାଖକୁ ଗଲି, ସେମାନେ ସେଠାରୁ ଚାଲିଯିବା ପାଇଁ ବାହାରିଲେ । ତେବେ ମୁଁ ସେମାନଙ୍କୁ କିଛି କହିବାକୁ ଚାହୁଁଛି ବୋଲି ଜାଣିପାରିବା ପରେ ଝିଅଟି ରହିଗଲା । “ତୁମେ କ’ଣ ବିଦ୍ୟାଳୟକୁ ଯାଅ”? ଉତ୍ତର ଥିଲା ନାହିଁ । ଅନିତା ଦିବେ, ୯, ପ୍ରଥମ ଶ୍ରେଣୀ ପାସ୍ କରିବା ପରେ ବିଦ୍ୟାଳୟକୁ ଯିବା ବନ୍ଦ କରିଦେଇଛନ୍ତି । କାହିଁକି ନୁହେଁ? ‘‘ମୋତେ ଏହି ଶିଶୁର ଯତ୍ନ ନେବାକୁ ପଡ଼ିଥାଏ । ମୋର ପରିବାରର ଲୋକମାନେ କାମ କରିବା ପାଇଁ ଇଟା ଭାଟିକୁ ଯାଆନ୍ତି । ମୁଁ କେମିତି ବିଦ୍ୟାଳୟ ଯାଇପାରିବି’’?






