ଉଦ୍ୟାନକୃଷି ବିଜ୍ଞାନୀ ଶଙ୍କରନ୍ କହନ୍ତି ଯେ ଆମ୍ୱ ବଉଳ ଫୁଟିବା ପାଇଁ ସଠିକ୍ ତାପମାତ୍ରା ହେଉଛି ୨୫-୩୦ଡିଗ୍ରୀ ସେଲସିୟସ୍। “ଫେବୃଆରୀ ୨୦୨୩ରେ ଦିନ ଆଉ ରାତିର ତାପମାତ୍ରା ଭିତରେ ଅଧିକ ପାର୍ଥକ୍ୟ ଥିଲା। ଗଛ ଏହାକୁ ସହ୍ୟ କରିପାରିବ ନାହିଁ।”
ଆମ୍ୱ ଚାଷ ପାଇଁ ପାଣିପାଗ କମ୍ ଅନୁକୂଳ ହେବା ଯୋଗୁଁ ଶ୍ରୀରାମମୂର୍ତ୍ତି ୨୦୧୪ରେ ଯେଉଁ ନିଷ୍ପତ୍ତି ନେଇଥିଲେ, ସେଥିପାଇଁ ସେ ଅନୁତାପ କରୁଛନ୍ତି। ଆନକାପଲ୍ଲି ସହର ନିକଟରେ ୦.୯ ଏକର ଜମି ବିକ୍ରି କରି ସେ ଛଅ ଲକ୍ଷ ଟଙ୍କା ପାଇଥିଲେ। ସେହି ଟଙ୍କାକୁ ସେ ପୋମୁଲାଭୀମବରମ୍ ଗାଁରେ ଆମ୍ୱ ଚାଷରେ ଲଗାଇଲେ।
କାହିଁକି ଏପରି କଲେ ପଚାରିବାରୁ ତାର ଉତ୍ତରରେ ସେ କହନ୍ତି, “ସମସ୍ତେ ଆମ୍ୱ ଖାଇବାକୁ ଭଲ ପାଆନ୍ତି ଏବଂ ଆମ୍ୱର ଚାହିଦା ବି ଅଛି। ମୁଁ ଭାବିଥିଲି ଆମ୍ୱ ଚାଷ କରି ମୁଁ ବେଶ୍ ଲାଭ ପାଇବି।”
ହେଲେ ସେଦିନଠୁ ମୋର ସେମିତି କିଛି ଲାଭ ହୋଇନି। “୨୦୧୪ ଏବଂ ୨୦୨୨ ଭିତରେ ଆଠବର୍ଷରେ ମୋର ଆମ୍ୱଚାଷରୁ ମୋଟ ଆୟ ଛଅ ଲକ୍ଷ ଟଙ୍କାରୁ ଅଧିକ ହୋଇ ନାହିଁ।” ନିଜ ନିଷ୍ପତ୍ତି ଉପରେ ଅନୁତାପ କରି ସେ କହନ୍ତି, “ମୁଁ ଯେଉଁ ଜମି ବିକିଲି ତାର ମୂଲ୍ୟ ଏବେ ଆକାଶଛୁଆଁ। ମୁଁ ଆମ୍ୱ ଚାଷ ନ କରିଥିଲେ ବୋଧ ହୁଏ ଭଲ ହୋଇଥାନ୍ତା।”
କେବଳ ପାଣିପାଗ ନୁହେଁ। ଆମ୍ୱଚାଷ ଜଳସେଚନ ଉପରେ ମଧ୍ୟ ନିର୍ଭର କରେ ଏବଂ ନାଗରାଜୁ କି ଶ୍ରୀରାମମୂର୍ତ୍ତି କାହାର ବି ବଗିଚାରେ ନଳକୂଅ ନାହିଁ। ୨୦୧୮ରେ ଶ୍ରୀରାମମୂର୍ତ୍ତି ନଅକୂଅ ଖୋଳିବାରେ ୨.୫ ଲକ୍ଷ ଟଙ୍କା ଖର୍ଚ୍ଚ କଲେ। କିନ୍ତୁ ସେଥିରୁ ବୁନ୍ଦାଏ ହେଲେ ପାଣି ମିଳିଲା ନାହିଁ। ନାଗରାଜୁ ଏବଂ ଶ୍ରୀରାମମୂର୍ତ୍ତିଙ୍କ ବଗିଚା ଯେଉଁ ବୁଚାୟାପେଟା ମଣ୍ଡଳରେ ଅଛି ତାହା ପୋମୁଲାଭୀମବରମ୍ ଗାଁର ଅନ୍ତର୍ଗତ। ସେହିଁ ଅ଼ଞ୍ଚଳରେ କେବଳ ୩୫ଟି ନଳକୂଅ ଏବଂ ୩୦ଟି ଖୋଲା କୂଅ ଅଛି।
ଶ୍ରୀରାମମୂର୍ତ୍ତି କହନ୍ତି ଯେ ବଉଳ ଶୁଖିଯାଉଥିବା ସମସ୍ୟା ଲଗାତାର ଗଛକୁ ପାଣି ଯୋଗାଇଲେ ସମାଧାନ ହୋଇପାରିବ। ସେ ସପ୍ତାହରେ ଦୁଇ ଟ୍ୟାଙ୍କ ପାଣି କିଣନ୍ତି ଏବଂ ମାସକୁ ୧୦,୦୦୦ ଟଙ୍କା ଖର୍ଚ୍ଚ କରନ୍ତି। “ପ୍ରତ୍ୟେକ ଗଛ ପ୍ରତିଦିନ ଅତି କମ୍ରେ ଗୋଟିଏ ଲିଟର ପାଣି ଦରକାର କରେ। ହେଲେ ମୁଁ ସପ୍ତାହରେ ମାତ୍ର ଦୁଇ ଥର ହିଁ ପାଣି ଦେଇ ପାରୁଛି; ମୁଁ ସେତିକି ହିଁ ଖର୍ଚ୍ଚ କରିପାରିବି,” କହନ୍ତି ଶ୍ରୀରାମମୂର୍ତ୍ତି।
ନାଗରାଜୁ ତାଙ୍କ ଆମ୍ୱ ଗଛରେ ପାଣି ଦେବା ପାଇଁ ସପ୍ତାହରେ ଦୁଇ ଟ୍ୟାଙ୍କ ପାଣି କିଣନ୍ତି। ତାଙ୍କୁ ଟ୍ୟାଙ୍କ ପିଛା ୮,୦୦୦ ଟଙ୍କା ଦେବାକୁ ପଡ଼େ।