ଏହି କାହାଣୀ ହେଉଛି ପରୀର ପରିବେଶ ପରିବର୍ତ୍ତନ ଉପରେ ସିରିଜ୍ର ଏକ ଅଂଶ, ଯାହାକି ୨୦୧୯ ମସିହା ପାଇଁ ପରିବେଶ ସମ୍ପର୍କିତ ରିପୋର୍ଟିଂ ବର୍ଗରେ ରାମନାଥ ଗୋଏଙ୍କା ପୁରସ୍କାର ଲାଭ କରିଥିଲା।
“ବର୍ତ୍ତମାନ ସମୟ ପୂର୍ବାହ୍ନ ୧୧. ୪୦ ଅତିକ୍ରମ କରିସାରିଛି, ଏହି ସମୟର ସବୁଠାରୁ ବଡ ଖବର ପବନର ବେଗ ବିଷୟରେ ରହିଛି,” ବୋଲି କଡାଲ୍ ଓସାଇ ରେଡିଓ ଷ୍ଟେସନ୍ର ଏ.ୟସ୍ୱନ୍ତ ଘୋଷଣା କଲେ । “ଗତ ଏକ ସପ୍ତାହ ହେବ, ବା ଏପରି କୁହାଯାଇପାରିବ ଯେ ଏକ ମାସ ବା ଅଧିକ ସମୟ ହେବ, କଚ୍ଚାନ୍ କାଥୁ (ଦକ୍ଷିଣା ପବନ) ଶକ୍ତିଶାଳୀ ହୋଇ ରହିଥିଲା । ଏହା ସର୍ବାଧିକ ୪୦-୬୦ ବେଗରେ [ଘଣ୍ଟା ପ୍ରତି କିଲୋମିଟର ବେଗରେ] ବହୁଥିଲା । ଆଜି, ବୋଧହୁଏ ମତ୍ସ୍ୟଜୀବୀମାନଙ୍କୁ ସାହାଯ୍ୟ କରିବା ପାଇଁ ଏହା ୧୫ [kmph] ବେଗରେ ବହୁଛି ।’’
ତାମିଲ୍ନାଡୁର ରାମନାଥପୂରମ୍ ଜିଲ୍ଲାର ପାମ୍ବନ୍ ଦ୍ୱୀପରେ ରହୁଥିବା ମତ୍ସ୍ୟଜୀବୀମାନଙ୍କ ପାଇଁ ଏହା ହେଉଛି ଏକ ବଡ ଖବର । “ଏହାର ଅର୍ଥ ହେଉଛି ସେମାନେ ନିର୍ଭୟରେ ଆଜି ସମୁଦ୍ରକୁ ଯାଇପାରିବେ,” ବୋଲି ୟସ୍ୱନ୍ତ, ଯିଏ ନିଜେ ମଧ୍ୟ ଜଣେ ମତ୍ସ୍ୟଜୀବୀ, ବର୍ଣ୍ଣନା କରୁଛନ୍ତି । ସେ ମଧ୍ୟ କଡାଲ୍ ଓସାଇ (ସମୁଦ୍ରର ଶବ୍ଦ) ରେ ରେଡିଓ ଜକି ଭାବେ କାର୍ଯ୍ୟ କରନ୍ତି, ଏହି ଅଞ୍ଚଳରେ ଏହା ହେଉଛି ଏହି ସମ୍ପ୍ରଦାୟ ପାଇଁ ଅତି ନିକଟରେ ଉପସ୍ଥିତ ଏକ ଷ୍ଟେସନ୍ ।
ରକ୍ତ ଦାନ ଉପରେ ଆଧାରିତ ଏକ ସ୍ୱତନ୍ତ୍ର ପ୍ରସାରଣ ପୂର୍ବରୁ, ୟସ୍ୱନ୍ତ ପାଣିପାଗ ସମ୍ବନ୍ଧୀୟ ରିପୋର୍ଟ ବିଷୟରେ ଚଞ୍ଚଳ ଗତିରେ କହୁଛନ୍ତି, ଯାହାର ଶେଷ ଧାଡି ଏହିପରି : ‘‘ତାପମାତ୍ରା ହେଉଛି ୩୨ଡିଗ୍ରୀ ସେଲ୍ସିଅସ୍ । ଏଣୁ ପ୍ରଚୁର ପାଣି ପିଅନ୍ତୁ, ଖରାରେ ବାହାରକୁ ଯାଆନ୍ତୁ ନାହିଁ ।
ଏହା ହେଉଛି ଏକ ଅତ୍ୟାବଶ୍ୟକ ପ୍ରତିଷେଧାତ୍ମକ ପଦକ୍ଷେପ, କାରଣ ପାମ୍ବନରେ ୧୯୯୬ରେ, ଯେତେବେଳେ ୟସ୍ୱନ୍ତ ଜନ୍ମ ହୋଇଥିଲେ, ତା’ ତୁଳନାରେ ବର୍ତ୍ତମାନ ଦିନରେ ଅଧିକ ଗରମ ଅନୁଭବ ହେଉଛି । ତାପରେ, ବର୍ଷରେ ପ୍ରାୟ ୧୬୨ ଦିନ ଏହି ଦ୍ୱୀପର ତାପମାତ୍ରା ୩୨ଡିଗ୍ରୀରେ ପହଞ୍ଚୁଛି ବା ଏହାଠୁ ଅଧିକ ହେଉଛି । ଯେତେବେଳେ ତାଙ୍କ ବାପା ଆନ୍ଥୋନୀ ସାମୀ ଭାସ୍ – ଏବେ ମଧ୍ୟ ଜଣେ ପୁରା – ସମୟ ମତ୍ସ୍ୟଜୀବୀ- ୧୯୭୩ରେ ଜନ୍ମଗ୍ରହଣ କରିଥିଲେ, ସେତେବେଳେ ଉତ୍ତପ୍ତ ଦିନ ସଂଖ୍ୟା ବାର୍ଷିକ ୧୨୫ରୁ ଅଧିକ ନଥିଲା । ବର୍ତ୍ତମାନ କିନ୍ତୁ, ସେହି ଉତ୍ତପ୍ତ ଦିନଗୁଡିକର ସଂଖ୍ୟା ବର୍ଷକୁ ପ୍ରାୟ ୧୮୦ ଦିନରେ ପହଞ୍ଚିଥିବା ଜଳବାୟୁ ଓ ବିଶ୍ୱ ଉତ୍ତାପନ ପାଇଁ ଉଦ୍ଦିଷ୍ଟ ଏକ ଇଣ୍ଟର୍ଆକ୍ଟିଭ୍ ଟୁଲ୍ର ହିସାବ ମୁତାବକ ଚଳିତ ବର୍ଷ ଜୁଲାଇରେ (ନ୍ୟୁୟର୍କ ଟାଇମ୍ସ) ଦ୍ୱାରା ଅନ୍ଲାଇନ୍ରେ ପ୍ରକାଶିତ ଏକ ପୋଷ୍ଟରୁ ଜଣାପଡିଛି ।
ଏଣୁ ୟସ୍ୱନ୍ତ ଓ ତାଙ୍କ ସହକର୍ମୀମାନେ କେବଳ ପାଣିପାଗ ବିଷୟରେ ନୁହେଁ ବରଂ ଜଳବାୟୁ ଜନିତ ବିଭିନ୍ନ ବଡ ଧରଣର ସମସ୍ୟାଗୁଡିକ ବିଷୟରେ ଜାଣିବା ପାଇଁ ମଧ୍ୟ ପ୍ରବଳ ଚେଷ୍ଟା କରୁଛନ୍ତି । ତାଙ୍କ ବାପା, ସହ ମତ୍ସ୍ୟଜୀବୀମାନେ, ବାସ୍ତବରେ ଦ୍ୱୀପର ଦୁଇଟି ପ୍ରମୁଖ ଟାଉନ୍ -ପାମ୍ବନ ଓ ରାମେଶ୍ୱରମରେ ରହୁଥିବା ପାଖାପାଖି ୮୩,୦୦୦ଲୋକ – ପରିବର୍ତ୍ତନ ବିଷୟରେ କିଛି ଉପାଦେୟ କଥା ଶୁଣିବା ପାଇଁ ସେମାନଙ୍କ ଆଡକୁ ଚାହିଁରହିଛନ୍ତି ।









