ତାଙ୍କ ଘର ବାହାରେ ଏକ ଖଟ ଉପରେ ବସି ୪୦ ବର୍ଷୀୟା ମାଲନ ତାଙ୍କ ମାଆଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ । ସେ ତାଙ୍କର ପ୍ରିୟ ଫୁଲ ପଡ଼ିଥିବା ବ୍ଲାଉଜ୍ ଓ ଗୋଇଠି ଯାଏଁ ଲମ୍ବିଥିବା ସ୍କର୍ଟ ପିନ୍ଧିଥିଲେ । ସେ ମୋ ଆଡ଼କୁ ଚାହାଁନ୍ତି ଏବଂ ତାଙ୍କ ମୁହଁ ଉଜ୍ଜ୍ଵଳ ହୋଇଉଠେ । ପୂର୍ବରୁ ଥରେ ସେଠାକୁ ଯାଇଥିବାରୁ ସେ ମୋତେ ଚିହ୍ନିପାରନ୍ତି । ଇଟା, ପଥର ଓ କାଦୁଅରେ ତିଆରି ତାଙ୍କ ପରିବାରର ଦୁଇ ବଖୁରିଆ ଘର ଦୁଆରବନ୍ଧରେ ମୁଁ ବସିଥିବା ବେଳେ ସେ ମୋତେ କହନ୍ତି, “ଆଇ ନହି ଘାରି (ମାଆ ଘରେ ନାହାନ୍ତି)” ।
ୱାଡ଼ି ଗାଁରେ ତାଙ୍କ ୬୩ ବର୍ଷୀୟା ମାଆ ରାହିବାଇ ଏବଂ ୮୩ ବର୍ଷୀୟ ବାପା ନାନାଙ୍କ ସାଙ୍ଗରେ ରହନ୍ତି ମାଲନ ମୋରେ (ସେମାନଙ୍କର ନାଁ ଏବଂ ଗାଁର ନାଁ ବଦଳାଇ ଦିଆଯାଇଛି) । ପୁନେ ଜିଲ୍ଲାର ମୁଲ୍ଶି ତାଲୁକାରେ ଅବସ୍ଥିତ ଏହି ଗାଁରେ ଥିବା ତାଙ୍କର ପ୍ରାୟ ତିନି ଏକର ଜମିରେ ତାଙ୍କ ପରିବାର ଧାନ, ଗହମ ଏବଂ ପରିବା ଚାଷ କରନ୍ତି ।
ମାଲନଙ୍କୁ ୧୮ ବର୍ଷ ହୋଇଥିବା ବେଳେ ସେ ‘ବର୍ଡରଲାଇନ୍ ମେଣ୍ଟାଲ ରିଟାର୍ଡେସନ’ ବା ଏକ ପ୍ରକାର ମାନସିକ ଶିଥିଳତା ରୋଗରେ ପୀଡ଼ିତ ବୋଲି ପୁନେର ସାସନ୍ ଜେନେରାଲ ହାସପାତାଳରେ ଜଣାପଡ଼ିଥିଲା ।
ତା ପୂର୍ବରୁ ୧୨ ବର୍ଷ କାଳ ସେ ସ୍ଥାନୀୟ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପଢ଼ିଥିଲେ । ରାହିବାଇ କହନ୍ତି, “ତା’ର ସବୁ ସାଙ୍ଗ ୪ର୍ଥ ଶ୍ରେଣୀ ପାସ୍ କରି ଆଗେଇ ଗଲେ, କିନ୍ତୁ ସେ ଭୂଇଁରେ ଗାରେଇବାରୁ ଆଗକୁ ଯାଇପାରିଲା ନାହିଁ ।ଶେଷରେ, ତାକୁ ସ୍କୁଲ୍ରୁ ନେଇଯିବା ପାଇଁ ତା’ର ଶ୍ରେଣୀ ଶିକ୍ଷକ ମୋତେ କହିଲେ ।” ସେତେବେଳକୁ ମାଲନଙ୍କୁ ପ୍ରାୟ୧୫ ବର୍ଷ ହୋଇଥିଲା ।
ସେବେଠାରୁ ମାଲନ ଘରେ ମାଆଙ୍କ ସହ ଛୋଟ ମୋଟ ଘରକାମ କରି ସମୟ କାଟନ୍ତି, କିନ୍ତୁ ତାହା ବି ତାଙ୍କ ଇଚ୍ଛା ହେଲେ କରନ୍ତି। ପ୍ରାୟତଃ ସେ କଥାବାର୍ତ୍ତା କରନ୍ତି ନାହିଁ, ଏବଂ ଯେବେ କରନ୍ତି, ସାଧାରଣତଃ ରାହିବାଇଙ୍କ ସହିତ ଏବଂ ଆଉ ଅଳ୍ପ କେଇ ଜଣଙ୍କ ସହିତ କରନ୍ତି । କିନ୍ତୁ ସେ ବୁଝିପାରନ୍ତି ଏବଂ ଜଣେଇ ପାରନ୍ତି । ମୁଁ ଯେତେବେଳେ ତାଙ୍କ ସହ କଥା ହେଲି, ସେ ମୁଣ୍ଡ ହଲାଇଲେ, ହସିଲେ ଏବଂ ଥଙ୍ଗେଇ ଥଙ୍ଗେଇ କଥା କହିଥିଲେ ।







