କେବଳ ଗୋଟିଏ ରାତିରେ, ତାଲିବାଇ ଘୁଲେ ହିସାବ କରି ଦେଖିଲେ ଯେ ତାଙ୍କର ଲକ୍ଷେ ଟଙ୍କାର କ୍ଷତି ହୋଇଛି।
୪୨ ବର୍ଷୀୟା ମହିଳା ତାଙ୍କ ଗାଁଠାରୁ ନଅ କିଲୋମିଟର ଦୂରରେ ଥିବା ଭଲୱାନୀରେ ଥିଲେ ଯେତେବେଳେ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା। ମେଣ୍ଢା ଏବଂ ଛେଳି ପାଳକ କହନ୍ତି, “ସନ୍ଧ୍ୟା ପାଞ୍ଚଟାବେଳେ ବର୍ଷା ଆରମ୍ଭ ହୋଇ ମଧ୍ୟରାତ୍ରି ପରେ ବଢ଼ିବାକୁ ଲାଗିଲା’’। ନୂଆ କରି ହଳ ହୋଇଥିବା କ୍ଷେତ ଶୀଘ୍ର ଓଦା ଏବଂ କାଦୁଅ ହୋଇଗଲା, ଏବଂ ତାଙ୍କର ପ୍ରାୟ ୨୦୦ ଛେଳି ମେଣ୍ଢା ଥିବା ପଶୁପଲ ପାଇଁ ଚିକିଟା କାଦୁଅରେ ସେଠାରୁ ବାହାରିବା କଷ୍ଟକର ହୋଇ ପଡ଼ିଲା।
ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାରେ ଡିସେମ୍ବର ୨୦୨୧ ର ପ୍ରବଳ ବର୍ଷାକୁ ମନେ ପକାଇ ସେ କହନ୍ତି, “ଆମେ ରାତିସାରା କାଦୁଅରେ ବସି ଆମ ପଶୁମାନଙ୍କ ସହିତ ସେହି ବନ୍ୟାପାଣିରେ ବୁଡ଼ି ରହିଥିଲୁ’’।
“ଆମେ ପ୍ରବଳ ବର୍ଷା ଦେଖିଛୁ, କିନ୍ତୁ ଆମର ଏଭଳି କ୍ଷତି କେବେ ହୋଇ ନାହିଁ। ଏହା ପ୍ରଥମ ଥର ଥିଲା” କହନ୍ତି ଧବଲପୁରୀ ଗାଁର ପଶୁପାଳକ ତାଇବାଇ, ଯିଏ ଆଠଟି ମେଣ୍ଢା ଏବଂ ଗୋଟିଏ ମାଈ ଛେଳି ହରାଇଛନ୍ତି। “ଆମେ କେବଳ ସେମାନଙ୍କୁ ବଞ୍ଚାଇବାକୁ ଚାହୁଁଥିଲୁ।”
ବିଶେଷ କରି ସତାରାରେ ପ୍ରବଳ ବର୍ଷା ହୋଇଥିଲା ଏବଂ ଡିସେମ୍ବର ୨, ୨୦୨୧ ରେ ଏହାର ଅଧିକାଂଶ ତାଲୁକାରେ ପ୍ରାୟ ୧୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା।









