ତାଙ୍କ ନାଁ ଆଗରୁ ଆଉ ଗୋଟିଏ ବିଶେଷଣ ଲଗାଇବାକୁ ଜିଦ୍ ଧରନ୍ତି ହେମନ୍ତ କାୱଲେ।
“ମୁଁ ଶିକ୍ଷିତ, ବେକାର, ଆଉ .... ଅବିବାହିତ,” ନିଜର ବୈବାହିକ ସ୍ଥିତିକୁ ଲକ୍ଷ୍ୟ କରି କଟାକ୍ଷ କରନ୍ତି ଏହି ୩୦ ବର୍ଷୀୟ ଯୁବକ ଜଣକ । ତା ସହିତ ନିଜକୁ ଏବଂ ତାଙ୍କ ଭଳି ଅନ୍ୟ ଅନେକ ଯୁବ ଚାଷୀଙ୍କୁ ପରିହାସ କରନ୍ତି ସେ ।
“ସୁ-ଶିକ୍ଷିତ । ବେରୋଜଗାର । ଅବିବାହିତ ।” ପ୍ରତିଟି ଶବ୍ଦ ଉପରେ ଜୋର୍ ଦେଇ ସେ ଉଚ୍ଚାରଣ କରନ୍ତି ଏବଂ ତାଙ୍କର ସେହି ଛୋଟିଆ ପାନ ଦୋକାନ ପାଖରେ ତାଙ୍କୁ ଘେରି ଠିଆ ହୋଇଥିବା ୩୦ ବର୍ଷରୁ ଅଧିକ ବୟସର ତାଙ୍କ ସାଙ୍ଗମାନେ ଦୁର୍ବଳ ସ୍ୱରରେ ହସି ଉଠନ୍ତି । ସେହି ହସ ଭିତରେ ଛପି ରହିଥାଏ ସେମାନଙ୍କ ବାଧ୍ୟତାମୂଳକ ଅବିବାହିତ ଜୀବନର କ୍ରୋଧ ଓ ଲଜ୍ଜାର ମିଶାମିଶି ଭାବ । ସତେ ଯେମିତି ସେହି ତିନିଟି ଶବ୍ଦରେ ସେମାନଙ୍କୁ ବି ଉପହାସ କରାଯାଇଛି ।
“ତାହା ହିଁ ଆମର ମୁଖ୍ୟ ସମସ୍ୟା,” ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା କାୱଲେ କହନ୍ତି ।
ଏବେ ଆମେ ଅଛୁ ସେଲୋଡ଼ି ଗାଁରେ । କୃଷକ ଆତ୍ମହତ୍ୟାକୁ ନେଇ ବହୁଚର୍ଚ୍ଚିତ ପୂର୍ବ ମହାରାଷ୍ଟ୍ର ଅନ୍ତର୍ଗତ କପାଚାଷର କେନ୍ଦ୍ରସ୍ଥଳୀ ରୂପେ ପରିଚିତ ବିଦର୍ଭ ଅଞ୍ଚଳର ୟବତମାଲ-ଦାରୱା ରାସ୍ତାର ଏକ ଗାଁ । ବର୍ଷ ବର୍ଷ ଧରି କୃଷି ସଂକଟର କଳାବାଦଲ ତଳେ ରହିଆସିଥିବା ଏହି ଅଞ୍ଚଳରୁ କାମଧନ୍ଦା ସନ୍ଧାନରେ ଲୋକଙ୍କ ପଳାୟନର ସଂଖ୍ୟା ବି ବହୁ ଅଧିକ । ଗାଁର ମୁଖ୍ୟ ଛକରେ କାୱଲେଙ୍କ ପାନ କେବିନ୍ର ସବୁଜ ଛାୟାରେ ରୁଣ୍ଡ ହୋଇଥିବା ଏହି ଯୁବକମାନେ ଗପସପରେ ସମୟ ବିତାଉଛନ୍ତି । ସେମାନେ ସମସ୍ତେ ସ୍ନାତକ କିମ୍ବା ସ୍ନାତକୋତ୍ତର ଶିକ୍ଷା ଶେଷ କରିଛନ୍ତି; ସମସ୍ତଙ୍କର ନିଜ ନାଁରେ ଚାଷଜମି ରହିଛି; ସମସ୍ତେ ବେକାର । ତାଙ୍କ ଭିତରୁ କେହି ହେଲେ ବିବାହ କରିନାହାନ୍ତି ।
ସେମାନଙ୍କ ମଧ୍ୟରୁ ଅଧିକାଂଶ ଯୁବକ ପୁଣେ, ମୁମ୍ବାଇ, ନାଗପୁର କି ଅମରାବତୀ ଭଳି ନଗରୀରେ ନିଜ ନିଜର ଭାଗ୍ୟ ପରୀକ୍ଷା କରିସାରିଛନ୍ତି; କିଛି ଦିନ ପାଇଁ ସ୍ୱଳ୍ପ ଦରମାରେ କାମ କରିଛନ୍ତି; ଚାକିରି ପାଇଁ ରାଜ୍ୟ କିମ୍ବା କେନ୍ଦ୍ର ପବ୍ଲିକ୍ ସର୍ଭିସ୍ କମିଶନଙ୍କ ପରିଚାଳିତ କିମ୍ବା ଅନ୍ୟାନ୍ୟ ସଂସ୍ଥାରେ ନିଯୁକ୍ତି ପରୀକ୍ଷା ଦେଇ ସାରିଛନ୍ତି, ଏବଂ ବିଫଳ ହୋଇଛନ୍ତି ।
କେବଳ ଏ ଅଞ୍ଚଳର କାହିଁକି, ସାରା ଦେଶର ଅଧିକାଂଶ ଯୁବକଙ୍କ ଭଳି କାୱଲେ ବି ପିଲାଟି ଦିନରୁ ଭାବି ନେଇଥିଲେ ଯେ ଚାକିରିଟିଏ ପାଇବା ପାଇଁ ଉଚ୍ଚଶିକ୍ଷା ନିହାତି ଦରକାର ।
ଏବେ ସେ ଜାଣୁଛନ୍ତି ଯେ ବିବାହ ପାଇଁ କନ୍ୟାଟିଏ ପାଇବାକୁ ସ୍ଥାୟୀ ସରକାରୀ ଚାକିରିଟିଏ ଦରକାର ।
କେବେ କେମିତି, ତାହା ବି ଅତି ଅଳ୍ପସଂଖ୍ୟାରେ ଚାକିରି ମିଳୁଥିବା ଅନୁଭବ କରିବା ପରେ କାୱଲେ ତାଙ୍କ ଗାଁରେ ଥିବା ପରିବାରର ଚାଷଜମିରେ କାମ କରିବାକୁ ସ୍ଥିର କଲେ ଏବଂ କିଛିଟା ଅତିରିକ୍ତ ରୋଜଗାର ପାଇଁ ଗାଁରେ ଏହି କେବିନ୍ଟିକୁ ପକାଇଲେ ।
“ମୁଁ ପାନ କେବିନ୍ ପକାଇବାକୁ ସ୍ଥିର କଲି, ଜଣେ ସାଙ୍ଗକୁ ରସୱନ୍ତୀ (ଆଖୁରସ ଷ୍ଟଲ) ଚଳାଇବାକୁ କହିଲି, ଏବଂ ଆଉ ଜଣଙ୍କୁ ଜଳଖିଆ ଷ୍ଟଲ କରିବାକୁ କହିଲି । ଯାହା ଫଳରେ ଆମେ କିଛି ବ୍ୟବସାୟ କରିପାରିବୁ,” ପ୍ରଖର ବୁଦ୍ଧିସଂପନ୍ନ କାୱଲେ କହନ୍ତି । “ପୁଣେରେ ରହି ପୂରା ଗୋଟିଏ ଚପାତି ଖାଇବା ଅପେକ୍ଷା ଗାଁରେ ରହି ଅଧା ଚପାତି ଖାଇବା ସବୁ ସମୟରେ ଭଲ,” ସେ କହନ୍ତି ।









