ଯେତେବେଳେ ମୁକାମ୍ବିକାଙ୍କର ଜେଜେବାପାଙ୍କୁ ଦେଖି ସେ ଯକ୍ଷଗାନ ଭଙ୍ଗୀ ଅନୁକରଣ କରୁଥିଲେ, ‘‘ଜେଜେବାପା ଭାରି ବିରକ୍ତ ହୋଇ ମୋତେ ଗାଳି ଦେଉଥିଲେ’’। କିଶୋରୀ ମୁକାମ୍ବିକାଙ୍କୁ ସାବଧାନ କରାଇ ଦେଇ କହୁଥିଲେ ଯେ ଉପକୂଳବର୍ତ୍ତୀ କର୍ଣ୍ଣାଟକ ଏବଂ କେରଳର କସରଗଡ଼ର ଏହି ଲୋକ ନୃତ୍ୟ କଳାରେ ପ୍ରଦର୍ଶନ ପାଇଁ ମହିଳାମାନଙ୍କୁ ଅନୁମତି ଦିଆଯାଉନଥିଲା।
ସେଦିନର ସେହି କିଶୋରୀ ମୁକାମ୍ବିକା ୱାରମ୍ବଲି ଏବେ ୭୫ ବର୍ଷ ବୟସରେ ଉପନୀତ, ତାଙ୍କ ଗାଁ ଉଡୁପି ଜିଲ୍ଲାରେ ମାର୍ବିଠାରେ ଯକ୍ଷଗାନ ପ୍ରଦର୍ଶନ ପାଇଁ ଆକୃଷ୍ଟ ହୋଇଥିଲେ। ଏହି ନୃତ୍ୟନାଟିକା ବହୁ ସମୟରେ ସୂର୍ଯ୍ୟାସ୍ତଠାରୁ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଜାରି ରହୁଥିଲା ଏବଂ ସେ ମନେ ପକାଇ କହନ୍ତି ଯେ ଦୂରଦୂରାନ୍ତରୁ ବହୁ ସଂଖ୍ୟାରେ ମହିଳା, ସପରିବାରୀ ପରିବାର ସହିତ ଲୋକେ ଏବଂ ପଡୋଶୀମାନେ ଏହା ଦେଖିବାକୁ ଆସୁଥିଲେ। ପରଦିନ ତାଙ୍କ ଦାଣ୍ଡରେ ସାଙ୍ଗମାନଙ୍କ ସହ ଏକାଠି ହୋଇ ବିଛଣା ଚାଦର କିମ୍ବା ତଉଲିଆକୁ ପ୍ରସଙ୍ଗା (ନାଟକ) ପାଇଁ ପୋଷାକ ଭାବରେ ବ୍ୟବହାର କରି ନାଚର ଅନୁକରଣ କରୁଥିଲେ।
ସେ କହନ୍ତି ‘‘ଆମ୍ଭେମାନେ ଦାଣ୍ଡ ଅଗଣାରେ ଏହି ନାଟକ କରୁଥିଲୁ କିନ୍ତୁ କେବଳ ମୋର ଜେଜେବାପା ଘରେ ନଥିବା ସମୟରେ ଆମେ କରୁଥିଲୁ।’’ ‘‘ତାଙ୍କର ଧାରଣା ଥିଲା ଯେ ଯକ୍ଷଗାନ ଝିଅ ପିଲାଙ୍କ ପାଇଁ ନୁହେଁ।’’
ଯକ୍ଷଗାନର ପ୍ରକୃତ ଅର୍ଥ ହେଉଛି ‘ଦେବତାମାନଙ୍କର ସଙ୍ଗୀତ’, ଶହ ଶହ ବର୍ଷ ଧରି କର୍ଣ୍ଣାଟକର ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ କେରଳର କସରଗଡ଼ ଜିଲ୍ଲାରେ ଏହା ପ୍ରଦର୍ଶିତ ହୋଇ ଆସୁଛି। ସଙ୍ଗୀତ, ନୃତ୍ୟ, ବାର୍ତ୍ତାଳାପ ଏବଂ ବର୍ଣ୍ଣନା ବ୍ୟବହାର କରି ପୌରାଣିକ କାହାଣୀ ଏବଂ କିମ୍ବଦନ୍ତୀ ଯେପରିକି ରାମାୟଣ ଓ ମହାଭାରତର ଅବତାରଣା କରାଯାଇଥାଏ। ଯକ୍ଷଗାନ ମେଳାକୁ ବହୁ ସମୟରେ ଏହି ଅଞ୍ଚଳର ବିଶିଷ୍ଟ ମନ୍ଦିରଗୁଡ଼ିକ ପୃଷ୍ଠପୋଷକତା ପ୍ରଦାନ କରୁଥିଲେ।
ଏହି କଳା ପ୍ରଦର୍ଶନରେ ତୀବ୍ର ଶାରୀରିକ ପରିଶ୍ରମ ଆବଶ୍ୟକ ହୋଇଥାଏ ତେଣୁ ଏହାକୁ ସ୍ଥାନୀୟ ଭାବରେ ‘‘ଗାଣ୍ଡୁକାଲେ’’ କୁହାଯାଏ ଯାହାର ଅର୍ଥ ହେଉଛି ‘ପୁରୁଷମାନଙ୍କର କଳା’। ଏହି ନୃତ୍ୟ ପ୍ରଦର୍ଶନ ପାଇଁ ଉଚ୍ଚକୁ ଲମ୍ଫ ପ୍ରଦାନ କରିବା ଏବଂ ଦ୍ରୁତ ଗତିବିଧି ଆବଶ୍ୟକ ହୋଇଥାଏ ଯାହା ପାଇଁ ପ୍ରବଳ ଶକ୍ତି ଓ ସାମର୍ଥ୍ୟ ଲୋଡ଼ା ହୋଇଥାଏ ତେଣୁ ଏହାକୁ ପୁରୁଷମାନଙ୍କର କ୍ଷେତ୍ର ଭାବରେ ବିବେଚନା କରାଯାଇଥାଏ। ଯେତେବେଳେ ମହିଳା ଚରିତ୍ର ପ୍ରଦର୍ଶିତ ହୁଏ ପୁରୁଷମାନେ ଅଭିନୟ କରିଥାନ୍ତି।
ଏମ୍.ଏଲ୍ ସାମାଗା, ବରିଷ୍ଠ ଯକ୍ଷଗାନ କଳାକାର ଏବଂ ଯକ୍ଷଗାନ ଏକାଡେମୀର ପୂର୍ବତନ ସଭାପତି କହନ୍ତି ‘‘ଶ୍ରୋତାମାନେ ଏହି ନାଟକ ଓ କାହାଣୀଗୁଡ଼ିକ ବିଷୟରେ ପୂର୍ବରୁ ଜାଣିଥାନ୍ତି।’’ ‘‘କିନ୍ତୁ ପ୍ରତିଥର ପ୍ରତିଟି ପ୍ରଦର୍ଶନକୁ ସେମାନେ ଏକ ନୂଆ ରୂପରେ ଦେଖିଥାନ୍ତି ଏବଂ ପ୍ରତିଟି ଅନୁଭୂତି ସେମାନଙ୍କ ପାଇଁ ଉପଭୋଗ୍ୟ ହୋଇଥାଏ। ସେମାନଙ୍କ ପାଇଁ ମୁଖ୍ୟ ଆକର୍ଷଣ ହୋଇଥାଏ କଳାକାରମାନଙ୍କର ଭିନ୍ନ ଭିନ୍ନ ଶୈଳୀରେ ଚରିତ୍ରଗୁଡ଼ିକର ବ୍ୟାଖ୍ୟା କରିବା।’’














