ବର୍ତ୍ତମାନ ନଭେମ୍ବର ମାସର ଅମାବାସ୍ୟା ରାତି ୯ଟା। ତାମିଲନାଡୁ ବେଳାଭୂମିର ଅନତି ଦୂରରେ ଥିବା ପଝାଭେରକାଡୁର ନଦୀ ମୁହାଣ (ପୁଲିକାଟ ନାମରେ ମଧ୍ୟ ଜଣାଶୁଣା) ଆଖପାଖରେ ନୀରବତାର ରାଜୁତି। ପାଣିର ସ୍ରୋତରେ ନୀଳ ରଙ୍ଗର ବୋଟ୍ଟିଏ ଭାସି ଭାସି ଉନ୍ମୁକ୍ତ ସମୁଦ୍ର ଆଡ଼କୁ ଯାଉଛି।
ବୋଟ୍ ଭିତରେ ସଳଖ ଭାବେ ଠିଆ ହୋଇଛନ୍ତି ସରଥ କୁମାର, ଅରୁଣ କୁମାର ଓ ସେଭିଥ କୁମାର। ସେମାନଙ୍କ ଗୋଡ଼ ପାଖକୁ ପଡ଼ିଛି ସାତଟି କାଠ ଖୁଣ୍ଟ ସହିତ ଗୁଡ଼ାଗୁଡ଼ି ହେଇଥିବା ନାଇଲନ ଜାଲ। ସେମାନେ ହେଉଛନ୍ତି ସମୁଦ୍ର ଉପକୂଳରେ ରହିଥିବା ଥୋନିରେଭୁ ଗାଁର ଲୋକ, ଏବଂ ପିଲାବେଳୁ ସେମାନେ ମାଛ ଧରୁଛନ୍ତି।
ଯଦିଓ ବା ମୁଁ ବେଳାଭୂମିର ଅଦୂରରେ ବଡ଼ ହେଇଛି, ଓ ଅଧିକାଂଶତଃ ସମୁଦ୍ର ଭିତରକୁ ଯିବାର ସ୍ଵପ୍ନ ଦେଖେ, ତେବେ ମୋ ଭଉଣୀ ଓ ମତେ ଏକକ ଭାବେ ବଢ଼ାଉଥିବା ଆମ ମା’ ଆମର ସୁରକ୍ଷା ପାଇଁ ବହୁ ମାତ୍ରାରେ ଆଶଙ୍କାଗ୍ରସ୍ତ ରହୁଥିବାରୁ ପାଣି ଭିତରକୁ ଯିବା ଥିଲା ମୋ ପାଇଁ ସମ୍ପୂର୍ଣ୍ଣ ନିଷିଦ୍ଧ।
ମତେ ୧୬ ବର୍ଷ ବୟସ ହୋଇଥିଲା ବେଳେ ମୁଁ ପ୍ରଥମେ ପଝାଭେରକାଡୁକୁ ଯାଇଥିଲି। ଫଟୋ ସାମ୍ବାଦିକ ପଲାନି କୁମାରଙ୍କ ତତ୍ତ୍ଵାବଧାନରେ ଚେନ୍ନାଇ କ୍ଲାଇମେଟ ଆକ୍ସନ ଗ୍ରୁପ୍ ପକ୍ଷରୁ ଆୟୋଜିତ ଗୋଟିଏ ଫଟୋଗ୍ରାଫି କର୍ମଶାଳାରେ ମୁଁ ଯୋଗ ଦେଇଥିଲି। ବେଳାଭୂମିକୁ ନିଜର ଘର କହୁଥିବା ଲୋକମାନଙ୍କ ଜୀବନ ବିଷୟରେ ଜାଣିବା ପାଇଁ ମୁଁ ଉତ୍ସୁକ ଥିଲି।



























