ତାଙ୍କ ଘରକୁ ଯିବା ରାସ୍ତାରେ ଆମେ ଗୋଟିଏ ଦୋଛକିରେ ପହଞ୍ଚୁ। ସେ କୁହନ୍ତି, ‘‘ଚାଷୀ ଓ ଶ୍ରମିକ ଏମିତି ଏକ ଛକରେ ଛିଡ଼ା ହୋଇଛନ୍ତି ଯେଉଁଠି ସେମାନଙ୍କୁ ଚାରି ପଟୁ ସାମ-ଦାମ-ଦଣ୍ଡ-ଭେଦ ଜରିଆରେ ଶୋଷଣ କରଯାଉଛି।’’ ଚାଣକ୍ୟ ନାମରେ ପରିଚିତ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀର ଭାରତୀୟ ଶିକ୍ଷକ, ରଣନୀତିକାର ଏବଂ ବିଦୂଷକ କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ବିଷୟରେ ଏଠାରେ କୃଷ୍ଣ ଉଲ୍ଲେଖ କରୁଛନ୍ତି ଯେଉଁଥିରେ ଶାସନର ଚାରିଟି ମୂଳ ସିଦ୍ଧାନ୍ତ - ଧୈର୍ଯ୍ୟ, ଉପହାର ଓ ଅର୍ଥ ଦ୍ୱାରା ପ୍ରଲୋଭନ, ଦଣ୍ଡ ଏବଂ କଠୋର ବଳପ୍ରୟୋଗ ବିଷୟରେ ଉଲ୍ଲେଖ କରାଯାଇଛି।
କିନ୍ତୁ କୃଷ୍ଣ ଆଧୁନିକ ସମୟକୁ ଆଧାର କରି ଚାଣକ୍ୟଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି!
‘‘ଶାସକ ଦଳ (ବିଜେପି) ଦିଲ୍ଲୀ ସୀମାରେ ୭୦୦ରୁ ଅଧିକ ଚାଷୀଙ୍କ ମୃତ୍ୟୁ ପାଇଁ କୌଣସି ଉତ୍ତରଦାୟିତ୍ୱ ନେଲା ନାହିଁ,’’ ସେ ୨୦୨୦ର ଐତିହାସିକ ଚାଷୀ ଆନ୍ଦୋଳନ ବିଷୟରେ ଉଲ୍ଲେଖ କରି କୁହନ୍ତି। ଗୋଟିଏ ବର୍ଷ ପରେ ପ୍ରତ୍ୟାହାର କରି ନିଆଯାଇଥିବା ବହୁ ସମାଲୋଚିତ କୃଷି ଆଇନକୁ ସେ ନିନ୍ଦା କରନ୍ତି।
‘‘ମନେ ଅଛି, କେମିତି ଟେନି (ବିଜେପି ନେତାଙ୍କ ପୁଅ) ଲକ୍ଷୀମପୁର ଖେରୀରେ ଚାଷୀଙ୍କ ଉପରେ ଗାଡ଼ି ମଡ଼େଇ ଦେଇଥିଲା? ୟେ ମାର୍ନେ ମେ କଞ୍ଜୁସି ନହିଁ କରତେ। (ହତ୍ୟା କରିବା କଥା ଆସିଲେ ସେମାନେ ପଛଘୁଞ୍ଚା ଦିଅନ୍ତି ନାହିଁ)।’’ ୨୦୨୧ର ଘଟଣା ତାଙ୍କ ମନରେ ଘର କରି ନେଇଥିଲା।
ଯୌନ ନିର୍ଯାତନା ଅଭିଯୋଗ ରହିଥିବା ବିଜେପି ସାଂସଦ ତଥା ଭାରତୀୟ କୁସ୍ତି ମହାସଂଘର (ଡବ୍ଲୁଏଫଆଇ)ର ଅଧ୍ୟକ୍ଷ ବ୍ରିଜ ଭୁଷଣ ସିଂଙ୍କ ବିରୋଧରେ ଦଳ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଘଟଣା ତାଙ୍କ ଭଳି ଲୋକଙ୍କୁ ପସନ୍ଦ ଆସିନଥିଲା। ସେ କୁହନ୍ତି, ‘‘ସାକ୍ଷୀ ମଲିକ ଏବଂ ଅନେକ ପ୍ରସିଦ୍ଧ କୁସ୍ତିଯୋଦ୍ଧା ଗତ ବର୍ଷ ନୂଆଦିଲ୍ଲୀରେ ଗୋଟିଏ ମାସ ପର୍ଯ୍ୟନ୍ତ ଆନ୍ଦୋଳନ କରିଥିଲେ। ଜଣେ ନାବାଳିକା ସମେତ ଅନେକ ମହିଳାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗରେ ସେମାନେ ବ୍ରିଜଭୁଷଣଙ୍କ ଗିରଫଦାରୀ ଦାବି କରିଥିଲେ।’’
୨୦୧୪ରେ ମହିଳା ବିରୋଧୀ ହିଂସା କମାଇବା ଲାଗି ବିଜେପି ପ୍ରତିଶ୍ରୁତି ଦେଇଥିଲ। ‘‘ସେସବୁ ପ୍ରତିଶ୍ରୁତିର କ’ଣ ହେଲା?’’ କୃଷ୍ଣ ପ୍ରଶ୍ନ କରନ୍ତି। ‘‘ସେମାନେ ସୁଇଜରଲ୍ୟାଣ୍ଡରୁ କଳାଧନ ଫେରାଇ ଆଣିବେ ଏବଂ ଆମ ଏକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଲେଖାଏଁ ଜମା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଶେଷରେ ଆମକୁ ଯାହା ମିଳିଲା ତାହା ହେଉଛି କ୍ଷୁଧା ଓ ରାସନ।’’