ଜନଗହଳିପୂର୍ଣ୍ଣ ଆନନ୍ଦ ବିହାର ରେଳ ଷ୍ଟେସନରେ ସୋନୁ କୁମାର ଓ ତାଙ୍କ ପରିବାର ଗୋଟିଏ ଶାନ୍ତ ପରିବେଶ ଖୋଜି ପାଇଛନ୍ତି। ସେମାନଙ୍କ ଚତୁଃପାର୍ଶ୍ଵରେ ଯାତ୍ରୀ, ବୁଲାବିକାଳି ଓ ଟ୍ରେନ ସବୁ ଯିବା ଆସିବା କରୁଥାଏ। ୨୭-ବର୍ଷର ସୋନୁ ତାଙ୍କ ଜିନିଷ ପ୍ରତି ସନ୍ତର୍ପଣ ଦୃଷ୍ଟି ରଖିଥାନ୍ତି। ତାଙ୍କ ସ୍ତ୍ରୀ ସିତାରା ଖାତୁନ ସେମାନଙ୍କର ଛୁଆଟିକୁ ଧରିଥାନ୍ତି। କିନ୍ତୁ ତାହା ମାତ୍ର ଅପରାହ୍ନ ୨ଟା ଓ ନିଜ ଘର ବିହାରକୁ ଲିଛଭି ଏକ୍ସପ୍ରେସରେ ଚଢ଼ି ଯିବା ପାଇଁ ସେମାନଙ୍କୁ ଅସହ୍ୟ ଗରମ ହେଉଥିବା ସେହି ଜନଗହଳି ପୂର୍ଣ୍ଣ ପ୍ଲାଟଫର୍ମରେ ଆହୁରି ଚାରିଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ।
ସୋନୁ ଜଣେ ରାଜମିସ୍ତ୍ରୀ; ସିତାରା ନିର୍ମାଣ ସ୍ଥଳରେ କାମ କରନ୍ତି। ଉଭୟେ ପ୍ରତିଦିନ ସକାଳେ କାମ ପାଇବା ପାଇଁ ଗାଜିଆବାଦର ଶ୍ରମିକ ହାଟରେ ଧାଡ଼ି ଦିଅନ୍ତି। ସୋନୁଙ୍କ କହିବା ଅନୁଯାୟୀ ଗତ କେତେ ସପ୍ତାହ ଧରି, “ଶ୍ରମିକ ଚୌକରେ ସାରା ଦିନ ଅପେକ୍ଷା କରୁଥିଲୁ। ଦୁଇ ତିନି ଦିନ ଆମକୁ ଆଦୌ କୌଣସି କାମ ମିଳିଲା ନାହିଁ”।
ଯୁକ୍ତରାଷ୍ଟ୍ର ଆମେରିକା ଓ ଇସ୍ରାଏଲର ଇରାନ ଉପରେ ଆକ୍ରମଣ ଓ ପରବର୍ତ୍ତୀ ସମୟରେ ହର୍ମୁଜ ପ୍ରଣାଳୀର ଅବରୋଧ ଯୋଗୁଁ ସାରା ଦେଶରେ ଏଲପିଜି ମୂଲ୍ୟ ବୃଦ୍ଧି ହେବା ପରେ ରାୱତ ପରିବାର ପାଇଁ ଦିଲ୍ଲୀରେ ରହିବା ଆର୍ଥିକ ଦୃଷ୍ଟିରୁ ଅସମ୍ଭବ ହୋଇଯାଇଛି।
“ପୂର୍ବରୁ ଆମେ ଗ୍ୟାସ୍ ସିଲିଣ୍ଡର ପାଇଁ ୧,୨୦୦ ଟଙ୍କା, ଘରଭଡ଼ା ବାବଦରେ ୨,୫୦୦ ଟଙ୍କା ଓ ଇଲେକ୍ଟ୍ରିସିଟି ପାଇଁ ୫୦୦ ଟଙ୍କା ଖର୍ଚ୍ଚ କରୁଥିଲୁ। ଆମ ଖାଇବା ଖର୍ଚ୍ଚକୁ ଛାଡ଼ି ତାହା ପ୍ରତି ମାସକୁ ୪,୦୦୦ରୁ ୫,୦୦୦ ଟଙ୍କା ହେଉଥିଲା”, କହନ୍ତି ସୋନୁ। ସର୍ବନିମ୍ନ ଆବଶ୍ୟକତା ଖର୍ଚ୍ଚ ତୁଲେଇବା ଅସମ୍ଭବ ହେବାରୁ ସେମାନଙ୍କ ପାଖରେ ଗାଁକୁ ଫେରିଯିବା ଛଡ଼ା ଅନ୍ୟ କୌଣସି ରାସ୍ତା ନଥିଲା।
କିନ୍ତୁ ସେମାନଙ୍କ ଫେରିବା ଅତ୍ୟଧିକ ଉଦବେଗପୂର୍ଣ୍ଣ ଥିଲା – ଏହି ଅନ୍ତଃଧର୍ମୀୟ ସ୍ୱାମୀ-ସ୍ତ୍ରୀ ବିବାହ କରିବା ପାଇଁ ସେମାନଙ୍କ ଘର ଛାଡ଼ି ଚାଲି ଆସିଥିଲେ। ଅଜଣା ହେଇ ରହିବା ଓ କାମ କରିବା ପାଇଁ ସେମାନେ ଆସି ରାଜଧାନୀରେ ପହଞ୍ଚିବାର ବର୍ଷେ ବି ହେଇନଥିଲା। ବର୍ତ୍ତମାନ ସେମାନଙ୍କୁ ଫେରିବାକୁ ପଡୁଛି। ସିୱାନ ଜିଲ୍ଲାର ମୈରୱାସ୍ଥିତ ସିତାରାଙ୍କ ଘରେ ସେମାନଙ୍କୁ ଅପେକ୍ଷାକୃତ ସହଜ ଭାବେ ଗ୍ରହଣ କରାଯିବ ବୋଲି ଆଶା ରଖି ଯାଉଛନ୍ତି।
ଦିଲ୍ଲୀର କନାୱନି ଗାଁର ବିସ୍ତାରିତ ଅଞ୍ଚଳରେ ଥିବା ବସ୍ତିରେ ଗୋଟିଏ ଏକ ବଖରା ଘରେ ଏହି ପରିବାର ରହନ୍ତି। “ମାସକୁ ପ୍ରାୟ ୨୦ ଦିନ ଆମେ କାମ ଖୋଜି ପାଇଥାଉ”, କହନ୍ତି ସୋନୁ। “ଭଲ ସମୟ ଥିଲେ ଆମେ ପ୍ରତ୍ୟେକ ମାସକୁ ୧୦,୦୦୦ (ଟଙ୍କା) ରୋଜଗାର କରିଦେଉ”, ଦୀର୍ଘନିଃଶ୍ଵାସ ଛାଡ଼ି ଏଲପିଜି ଗ୍ୟାସ କିପରି ସେମାନେ ସତର୍କତାର ସହ ପରିଚାଳନା କରୁଥିବା ସେମାନଙ୍କ ଘରୋଇ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି ବୋଲି ସେ କହି ଚାଲନ୍ତି।






