ଏକବିଂଶ ଶତାବ୍ଦୀର ପ୍ରଥମ ଦଶକରେ ମୁଖ୍ୟସ୍ରୋତର ପ୍ରକାଶନ କାର୍ଯ୍ୟରେ, ଆପଣଙ୍କୁ ସାଧାରଣ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପରିବର୍ତ୍ତେ ମତୁଆଲା ଯୋଡ଼ି ଏବଂ ପୋଷା ପ୍ରାଣୀଙ୍କ ବିବାହ ବିଷୟରେ ଲେଖିବା ପାଇଁ ଦାୟିତ୍ୱ ମିଳିବାର ସମ୍ଭାବନା ଥିଲା। ନିଜ ଆଦର୍ଶକୁ ଧରି ରଖିଲେ ଆପଣଙ୍କୁ ‘ଝୋଲାୱାଲା’ (ଆକ୍ଷରିକ ଭାବେ କାନ୍ଧରେ ଏକ ଝୁଲା ବ୍ୟାଗ ପକାଇ ଚାଲୁଥିବା ଲୋକ, ସାଧାରଣତଃ ଉତ୍ତର ଭାରତରେ ବାମପନ୍ଥୀ ବିଚାରସମ୍ପନ୍ନ ସାମାଜିକ କର୍ମୀଙ୍କ ସହ ଜଡ଼ିତ ଏବଂ ଏହାକୁ ଏକ ଅପମାନଜନକ ସମ୍ବୋଧନ ରୂପରେ ବ୍ୟବହାର କରାଯାଉଥିଲା) ଭାବେ ମାନ୍ୟତା ଦିଆଯାଉଥିଲା।
୨୦୧୪ରେ ସେଣ୍ଟର ଫର୍ ମିଡିଆ ଷ୍ଟଡିଜ୍ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଥାଏ ଯେ, ପ୍ରାୟ ୮୦୦ଟି ଭାଷା କହୁଥିବା ଏବଂ ୮୩ କୋଟି ୩୦ ଲକ୍ଷରୁ ଅଧିକ ଲୋକଙ୍କୁ ନେଇ ଦେଶର ୬୯ ପ୍ରତିଶତ ସ୍ଥାନ ହାସଲ କରିଥିବା ଗ୍ରାମୀଣ ଭାରତର ଖବରକୁ ଗଣମାଧ୍ୟମରେ ବିଶେଷ ଗୁରୁତ୍ୱ ଦିଆଯାଇନଥିଲା ଏବଂ ସମ୍ବାଦପତ୍ରର ପ୍ରଥମ ପୃଷ୍ଠାରେ ଏହି କ୍ଷେତ୍ରର ଖବର ମାତ୍ର ୦.୬୭ ପ୍ରତିଶତ ସ୍ଥାନ ଅକ୍ତିଆର କରିଥିଲା। ଜାତୀୟ ଦୈନିକ ସମ୍ବାଦପତ୍ରର ମୁଖ୍ୟ ପୃଷ୍ଠାରେ କେବଳ ନୂଆଦିଲ୍ଲୀର ଖବର ୬୬ ପ୍ରତିଶତ ସ୍ଥାନ ନେଇଥାଏ ବୋଲି ଏଥିରେ କୁହାଯାଇଥିଲା।
‘‘କୌଣସି ଗୋଟିଏ ସମ୍ବାଦପତ୍ର କିମ୍ବା ଟିଭି ଚାନେଲ୍ କୃଷି, ଶ୍ରମ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସାମାଜିକ କ୍ଷେତ୍ର ଉପରେ କାମ କରିବା ଲାଗି ଜଣେ ହେଲେ ପୂର୍ଣ୍ଣକାଳୀନ ରିପୋର୍ଟରଙ୍କୁ ନିୟୋଜିତ କରିନଥିବା ମୁଁ ମୋ ୩୩ ବର୍ଷର ସାମ୍ବାଦିକତାରେ ଜାଣିବାକୁ ପାଇଛି। ବଲିଉଡ୍, ଉଚ୍ଚ ସାମାଜିକ ସମାରୋହ, ବ୍ୟବସାୟ ଉପରେ ଖବର ସଂଗ୍ରହ କରିବା ଲାଗି ସେମାନଙ୍କ ନିକଟରେ ପୂର୍ଣ୍ଣକାଳୀନ ପ୍ରତିନିଧି ରହିଛନ୍ତି, କିନ୍ତୁ କୃଷି ଓ ଶ୍ରମ ଉପରେ ଖବର ପ୍ରସ୍ତୁତ କରିବା ପାଇଁ ଜଣେ ହେଲେ ପ୍ରତିନିଧି ନାହାନ୍ତି। ଏପରି ଏକ ପୃଷ୍ଠଭୂମି ବିରୋଧରେ, ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆ (ପରୀ) ଜନ୍ମ ନେଇଥିଲା’’, ବିଶିଷ୍ଟ ସାମ୍ବାଦିକ ତଥା ପରୀର ପ୍ରତିଷ୍ଠାତା-ସମ୍ପାଦକ ପାଲାଗୁମ୍ମି ସାଇନାଥ କୁହନ୍ତି। ଦୀର୍ଘ ୪୩ ବର୍ଷ ଧରି ଗ୍ରାମୀଣ ଭାରତର ସାମ୍ବାଦିକତା ପାଇଁ ସେ ୬୦ରୁ ଅଧିକ ସାମ୍ବାଦିକତା ପୁରସ୍କାର ଜିତିଛନ୍ତି।
ପରୀ ହେଉଛି ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନର କାହାଣୀ କହୁଥିବା ଏକ ମଲ୍ଟିମିଡିଆ ଭଣ୍ଡାର ଏବଂ ଏକ ଜୀବନ୍ତ ପତ୍ରିକା ଓ ସଂକଳନ। ଡିସେମ୍ବର ୨୦୧୪ରେ ହାତଗଣତି କିଛି ଲୋକଙ୍କୁ ନେଇ କାଉଣ୍ଟର ମିଡିଆ ଟ୍ରଷ୍ଟ ଏହି ପ୍ରୟାସ ଆରମ୍ଭ କରିଥିଲା। ପ୍ରଥମେ ଏହା ଏକ ଗ୍ରାମୀଣ ସାମ୍ବାଦିକତା ସାଇଟ୍ ଭାବେ ଆରମ୍ଭ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ଏହା ଗ୍ରାମୀଣ ଭାରତ, ବିଭିନ୍ନ କଳା ରୂପ ଓ ଗ୍ରାମୀଣ ଜୀବନ ଉପରେ ଆଧାରିତ ସରକାରୀ ରିପୋର୍ଟ ଓ ବିରଳ ଦସ୍ତାବିଜର ଏକ ଅନଲାଇନ ପାଠଗାର ତଥା ଏକ ଶିକ୍ଷା ପ୍ରୟାସରେ ପରିଣତ ହୋଇଥିଲା। ଲେଖା, ଫଟୋ, ଚିତ୍ର, ଅଡିଓ, ଭିଡିଓ ଏବଂ ଦସ୍ତାବିଜ ଆକାରରେ ମୌଳିକ କ୍ଷେତ୍ରୀୟ କାହାଣୀ ପରୀରେ ପ୍ରକାଶ ପାଇଥାଏ। ଏଥିରେ ସାଧାରଣ ଭାରତୀୟଙ୍କ ଜୀବନ କାହାଣୀ ବର୍ଣ୍ଣିତ ହୋଇଥାଏ ଏବଂ ଶ୍ରମ, ଜୀବିକା, ହସ୍ତଶିଳ୍ପ, ସଂକଟ, କାହାଣୀ, ସଙ୍ଗୀତ ଓ ଅନ୍ୟାନ୍ୟ ବିଷୟ ସ୍ଥାନ ପାଇଥାଏ।












