ଝୁନୁ ଖୁସିରେ ତାଳପତ୍ର ଚୋବାଉଛି। ତାଳପତ୍ର ଏହି ଗୃହପାଳିତ ଛେଳିର ଖାଦ୍ୟର ଗୋଟିଏ ଅଂଶ ନୁହେଁ, କିନ୍ତୁ ବେଳେବେଳେ ଏହା ଏକ ସ୍ୱାଦିଷ୍ଟ ଖାଦ୍ୟ ପାଲଟିଯାଏ।
ଏହି ଛୋଟ ଗୃହପାଳିତ ପ୍ରାଣୀ ହାଲୁକା ଭାବେ ଏହାକୁ ଖାଇଯିବା କଲ୍ୟାଣୀ ପାତ୍ରଙ୍କ ପାଇଁ ସାମାନ୍ୟ ଚିନ୍ତାଜନକ, କାରଣ ସେ ଏହି ଲମ୍ବା ପତ୍ରରୁ ଟୋପି ତିଆରି କରୁଛନ୍ତି। ଏହି ବରିଷ୍ଠ କାରୀଗର ଜଣଙ୍କ ତାଙ୍କ ଛେଳି ଝୁନୁ ମୁଣ୍ଡକୁ ହାଲୁକା ଥାପୁଡେଇ ଦିଅନ୍ତି ଏବଂ ତାଙ୍କର ଦୁର୍ଲଭ କଞ୍ଚା ମାଲ୍ ଖାଇବାରୁ ବାରଣ କରନ୍ତି।
ଭଲ କାରଣ ସହିତ: ପାମିରା ପାମ୍ [ବୋରାସସ୍ ଫ୍ଲାବେଲିଫର୍] ହେଉଛି ଏକ ଲମ୍ବା ଗଛ ଯାହାର ଉଚ୍ଚତା ପ୍ରାୟ ୩୦ ମିଟର। ‘‘ମୁଖ୍ୟ ପ୍ରତିବନ୍ଧକ ହେଉଛି ତାଳପତ୍ର ପାଇବା। ବଙ୍ଗରେ ଥିବା ସବୁଠାରୁ ଉଚ୍ଚ ବୃକ୍ଷ ମଧ୍ୟରୁ ଏହା ଅନ୍ୟତମ। ବହୁତ ଗଛ ଅଛି, କିନ୍ତୁ ସେଗୁଡ଼ିକୁ ଚଢିବାର ଦକ୍ଷତା କାହା ପାଖରେ ନାହିଁ, ୫୦ ବର୍ଷ ବୟସ୍କା କଲ୍ୟାଣୀ କୁହନ୍ତି।
ତାଙ୍କର ପଡ଼ୋଶୀ ଛାୟା ପ୍ରମାଣିକ ଏହି କାରିଗରୀରେ ଅନ୍ୟତମ ବରିଷ୍ଠ କାରୀଗର ହୋଇଥିବା ବେଳେ ସେ ଏହି କଥାରେ ରାଜି ହୁଅନ୍ତି। ସେ କୁହନ୍ତି, ‘‘ପୂର୍ବରୁ ଘରର ପୁରୁଷମାନେ ପତ୍ର ଆଣୁଥିଲେ। କିନ୍ତୁ ଏବେକାର ଯୁବକମାନେ ତାଳ ଗଛ ଚଢ଼ିବା ଜାଣନ୍ତି ନାହିଁ।’’ ତା’ପରେ ପ୍ରମାଣିକ ଦାର୍ଶନିକ ଓ ବାସ୍ତବବାଦୀ ମନ୍ତବ୍ୟ ଦେଇ କୁହନ୍ତି: ‘‘ତା’ଛଡ଼ା ଏବେ ଗଛ ଚଢ଼ିବା ପାଇଁ ସମୟ କାହା ପାଖରେ ଅଛି?’’
କଲ୍ୟାଣୀ ଏବଂ ଛାୟା ଉଭୟ ଅଖୁଡି ଡୋମ୍ ସମ୍ପ୍ରଦାୟର ଅଟନ୍ତି ଯେଉଁମାନେ ପିଢ଼ି ପିଢ଼ି ଧରି ଏହି ପତ୍ରରେ କାମ କରିଆସୁଛନ୍ତି। ‘‘ଆମ ଅଞ୍ଚଳ ତାଳ ପତ୍ର ଏବଂ ବାଉଁଶ କାମ ପାଇଁ ପରିଚିତ,’’ କଲ୍ୟାଣୀ କାମ କରୁ କରୁ କୁହନ୍ତି। ‘‘ପୂର୍ବରୁ ଆମ ସମାଜରେ ବାହାଘର ହେବା ବେଳେ ବାଉଁଶ କାରିଗରୀରେ ନିପୁଣତାକୁ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଶକ୍ତିଶାଳୀ ଗୁଣ ବୋଲି ବିବେଚନା କରାଯାଉଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଅଧିକାଂଶ ଡୋମ୍ ସମ୍ପ୍ରଦାୟର ମହିଳା (ରାଜ୍ୟରେ ଅନୁସୂଚୀତ ଜାତି ଭାବରେ ତାଲିକାଭୁକ୍ତ) ମାନେ ଏହି କାରିଗରୀ ଅଭ୍ୟାସ ଜାରି ରଖିଛନ୍ତି। ସେମାନେ ତାଳପତ୍ର ଏବଂ ବାଉଁଶରୁ ଟୋପି, ହାତ ପଙ୍ଖା ଏବଂ ଅନ୍ୟାନ୍ୟ ଜିନିଷ ତିଆରି କରନ୍ତି।


























