ଖୁମାନିୟା ଆଦିବାସୀ କଫାରର ସରପଞ୍ଚ। ଏହା କେବଳ କାଗଜପତ୍ରରେ ସତ।
କିନ୍ତୁ ସେ କୁହନ୍ତି, ‘‘କୋଇ ନାମ-ମାତ୍ର କା ସରପଞ୍ଚ ଭି ନହିଁ ସମଝତା ଇସ୍ ଗାଓଁ ମେଁ (ଏ ଗାଁରେ ମୋତେ କେହି ସରପଞ୍ଚ ବୋଲି ମାନନ୍ତି ନାହିଁ)।’’
ଖୁମାନିୟା ୧୪ ଜୁନ୍ ୨୦୨୨ରେ ଏହି ପଦବୀରେ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ହୋଇଥିଲେ। ମଧ୍ୟପ୍ରଦେଶର କଫାର ଗ୍ରାମରେ ଥିବା ତାଙ୍କ ଗାଁରେ ସ୍ଥାନୀୟ ପ୍ରଶାସନିକ କାର୍ଯ୍ୟାଳୟ ପଞ୍ଚାୟତ ଅଫିସକୁ ତାଙ୍କୁ କିଭଳି ଡକା ଯାଇଥିଲା ସେ ସମ୍ପର୍କରେ ଏହି ୫୮ ବର୍ଷୀୟା ସହରିୟା ଆଦିବାସୀ ମହିଳା ସ୍ମରଣ କରିଥା’ନ୍ତି। ସେ ପ୍ରଥମ ଏବଂ ଗୋଟିଏ ଥର କେବଳ ସେହି ସ୍ଥାନକୁ ଯାଇଥିଲେ।
‘‘ଆରମ୍ଭରୁ ମୋତେ କେବଳ ଗୋଟିଏ ଥର ଡକାଯାଇଥିଲା,’’ ଖୁମାନିୟା କୁହନ୍ତି। ସେଠାରେ ପହଞ୍ଚିବା ପରେ ତାଙ୍କୁ ଗୋଟିଏ ପ୍ରମାଣପତ୍ର ହସ୍ତାନ୍ତର କରାଯାଇଥିଲା। ସେ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ସରପଞ୍ଚ (ଗାଁ ମୁଖିଆ) ପଦବୀକୁ ନିର୍ବାଚିତ ହୋଇଥିବା ଉକ୍ତ ଦସ୍ତାବିଜରେ ଲେଖା ଥିଲା। ସେ କେବେ ହେଲେ ସ୍କୁଲ୍ ଯାଇନଥିବାରୁ ପାଠ ପଢ଼ି କିମ୍ବା ଲେଖିପାରନ୍ତି ନାହିଁ। ତେଣୁ ଅନ୍ୟ ଜଣେ ବ୍ୟକ୍ତି ସେହି କାଗଜ ପଢ଼ି ତାଙ୍କୁ ଜଣାଇଥିଲେ।
‘‘ହମୈ ପଞ୍ଚାୟତ ମେଁ ଆଦିବାସୀ ସିଟ୍ ଆୟିହାତି, ତୋ ଗାଓଁ କେ ବଡ଼େ ଲୋଗୋଁ ନେ ହମାଓ ନାମ ଦେ ଦେଓ (ଆମ ପଞ୍ଚାୟତରେ ଯେତେବେଳେ ଗୋଟିଏ ଆଦିବାସୀ ଆସନ ଆସିଲା, ଗାଁର ପ୍ରଭାବଶାଳୀ ଲୋକମାନେ ମୋତେ ଏଥିପାଇଁ ମନୋନିତ କରିଥିଲେ)। କେହି ମୋ ବିରୋଧରେ ଛିଡ଼ା ହୋଇନଥିଲେ,’’ ଖୁମାନିୟା ସ୍ଥାନ ବୁନ୍ଦେଲଖଣ୍ଡି ଭାଷାରେ କୁହନ୍ତି।







