ବର୍ଷର ଏକକ ଚାଉଳ ଫସଲ ଜମିରେ ପ୍ରସ୍ତୁତ ହୋଇସାରିଛି । ଅକ୍ଟୋବର ସରିବାକୁ ଆସୁଛି ଆଉ ଲୋକମାନେ ଉତ୍ପାଦଗୁଡ଼ିକୁ ଜମିରୁ ସେମାନଙ୍କ ଘରକୁ ବୋହି ଆଣିବା କାମ ଆରମ୍ଭ କରିଦେଲେଣି । ଦୀର୍ଘ ସମୟ ପରେ ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାର ଅତି ଗରିବ ସାନ୍ତାଳ ଜନଜାତିର ଲୋକମାନଙ୍କ ଘରେ ଆବଶ୍ୟକତାଠାରୁ ଅଧିକ ଶସ୍ୟ ଗଚ୍ଛିତ ହୋଇ ରହିଛି।
ଜମିରେ ଏକ ସଂକ୍ଷିପ୍ତ କିନ୍ତୁ କ୍ଲାନ୍ତିକର ଋତୁ ବିତେଇବା ପରେ, ପାର୍କିଡିହର ପାଖାପାଖି ୪୦୦ ଯୁବକ ଯୁବତୀ, ଅଭିଭାବକ ଓ ଜେଜେବାପା ଓ ଜେଜେମା, ସମସ୍ତଙ୍କ ପାଖରେ ବର୍ତ୍ତମାନ ଆରାମ କରିବା ପାଇଁ କିଛି ଅତିରିକ୍ତ ସମୟ ରହିଛି । ଶୀତ ପ୍ରାୟ ଆରମ୍ଭ ହୋଇଗଲାଣି । ଛୋଟ ନାଗପୁର ମାଳଭୂମିର ଗଜବୁରୁ ପାହାଡ ପାଖ ଜଙ୍ଗଲରେ ଗଛଗୁଡ଼ିକର ରଙ୍ଗ ବଦଳୁଛି । ଧୀରେ ଧୀରେ ଅସହନୀୟ ଗରମର ସ୍ଥାନ ଉତ୍ତର ଆଡୁ ବହୁଥିବା ହେମାଳ ପବନ ଅଧିକାର କରିବାରେ ଲାଗିଛି ।














