ଲାଜୋ ଦେବୀ ଏହି ରିପୋର୍ଟର ବିବରଣୀ ଟିପି ଚାଲିଥିବା ଟିପାଖାତାକୁ କୌତୁହଳ ସହକାରେ ଦେଖୁଥାଆନ୍ତି। ମାତ୍ର କେତେ ମିନିଟ ଭିତରେ ତାଙ୍କର କୌତୁହଳ ଭୟରେ ପରିଣତ ହେଲା।
“ଇ ସବ ଲିଖ କେ ଥାନୱା ମେଁ ଦେବାହୁ କ୍ୟା? [ତୁମେ ଥାନାରେ ଦେବାକୁ ଏସବୁ ଲେଖୁଛ କି?”, ସେ ମାଗାହିରେ ପଚାରିଲେ – ବିହାରର ମଗଧ ଅଞ୍ଚଳରେ ମାଗାହି ଭାଷାରେ କଥା ହୁଅନ୍ତି। ସେ ମହୁଲ ଗଛରୁ (ମଧୁକା ଲଙ୍ଗିଫୋଲିଆ ଭାର. ଲାଟିଫୋଲିଆ) ମିଳୁଥିବା ମହୁଲ ଫୁଲରୁ କେମିତି ମହୁଲି ମଦ ରନ୍ଧାଯାଏ ସେ ବିଷୟରେ କହୁଥିଲେ – ତାହା ବଞ୍ଚି ରହିବା ପାଇଁ ସେ ରୋଜଗାର କରିବାର ଏକ ମାତ୍ର ଉପାୟ।
ଯଦିଓ ବା ପ୍ରଥମେ ସେ ମାନିବାକୁ ଚାହୁଁ ନଥିଲେ, ତେବେ ତାଙ୍କ କଚ୍ଚା ଘରର ଗୋଟିଏ କୋଣରେ ଦୁଇଟି ଡବାରେ ଭର୍ତ୍ତି ହୋଇ ସଢୁଥିବା ଆଠ କିଲୋ ଜାଗେରି (ପାଣିଆ ଗୁଡ଼) ଯୋଗୁଁ ରାଜି ହେଲେ। ଏହି ରିପୋର୍ଟରର ଦୃଷ୍ଟି ସେହି ଗୁଡ଼ ଭର୍ତ୍ତି ଡବାଗୁଡ଼ିକ ଉପରେ ପଡ଼ିବା ଦେଖି ସେ ସାଙ୍ଗେ ସାଙ୍ଗେ ସେଗୁଡ଼ିକୁ କଳା ପଲିଥିନ ଦ୍ଵାରା ଘୋଡ଼େଇ ଦେଲେ। “କେବଳ ହୋଲି ବେଳେ ବିକିବା ପାଇଁ ମୁଁ ଏହା କରୁଛି”, ସେ ଚଟାପଟ ସଫେଇ ଦେଲେ।
ଘରେ ମହୁଲି ମଦ ରାନ୍ଧିବା ଲାଜୋ ଦେବୀଙ୍କ ଭୟ ଓ ଚିନ୍ତାର କାରଣ ହେବା ନିୟମ ଦୃଷ୍ଟିରୁ ଭୁଲ ନୁହେଁ। ବିହାର ପ୍ରୋହିବିସନ ଆଣ୍ଡ ଏକ୍ସସାଇଜ ଆକ୍ଟ, ୨୦୧୬ ଦ୍ଵାରା ମଦ ପ୍ରସ୍ତୁତ କରିବା ବା ମହୁଲି ମଦ ସମେତ ଯେ କୌଣସି ନିଶାଦ୍ରବ୍ୟ ପାଖରେ ରଖିବା, ବଣ୍ଟନ ଓ ବ୍ୟବହାର କରିବା ନିଷିଦ୍ଧ ଘୋଷଣା କରାଯାଇଛି। ଏହା କଲେ ଦଣ୍ଡ ରୂପେ କାରାଦଣ୍ଡ ଦିଆଯିବ, ଯାହାକି ଆଜୀବନ ହୋଇପାରେ, ଓ ୧ ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯିବ।






