“ଏକ୍ କିସେ ହୋର୍ ନୁ ଜିତା ରହେ ନେ, ସାଡ଼େ ଆଗେ କୋଇ ହର କୁଡ଼ି ନହିଁ ସି (ସେମାନେ ଆଉ ଜଣକୁ ଜିତାଇ ଦେଉଛନ୍ତି ସିନା, ଆମ ଆଗରେ ଆଉ କୌଣସି ଝିଅ ନ ଥିଲେ)” । କୋଚ୍ଙ୍କ ଆଗରେ ସମସ୍ୱରରେ ଅଭିଯୋଗ କରୁଛନ୍ତି କ୍ରୀଡ଼ାବିତ୍ ଯଶପାଲ, ରମନଦୀପ ଏବଂ ସେମାନଙ୍କ ସାଥୀମାନେ । ଚଣ୍ଡୀଗଡ଼ରେ ଆୟୋଜିତ ମାରାଥନ୍ରେ ଭାଗ ନେବା ପାଇଁ ଅମୃତସର ଜିଲ୍ଲାର ଡଜନେ ସରିକି ଯୁବକ-ଯୁବତୀ ୨୦୦ କିଲୋମିଟର ଯାତ୍ରା କରି ଆସିଥିଲେ, ଏବଂ ସେମାନଙ୍କ ମନର ତୀବ୍ର ଅସନ୍ତୋଷ ବେଶ୍ ବାରି ହୋଇ ପଡୁଥିଲା ।
ପାଞ୍ଚ କିଲୋମିଟର ଦୌଡ଼ରେ ଯଶପାଲ କୌର ଦ୍ୱିତୀୟ ପୁରସ୍କାର ବିଜୟୀ ହୋଇଛନ୍ତି ବୋଲି ମଞ୍ଚରୁ କରାଯାଇଥିବା ଘୋଷଣା କାରଣରୁ ଏ ସବୁ ଘଟୁଛି । ସେମାନେ ଜାଣିଥିଲେ ଯେ, ଯଶପାଲ ପ୍ରଥମ ହୋଇଥିଲେ, ରନର୍-ଅପ୍ ନୁହେଁ । କାରଣ, ପୂରା ଦୌଡ଼ ସମୟରେ ସେ ଅନ୍ୟମାନଙ୍କଠାରୁ ଆଗରେ ରହିଥିଲେ ଏବଂ ଫିନିଶିଂ ଲାଇନ୍ରେ ପହଞ୍ଚିଥିଲେ । କିନ୍ତୁ ନଗଦ ୫,୦୦୦ ଟଙ୍କାର ପୁରସ୍କାର ଲାଗି ଅନ୍ୟ ଜଣଙ୍କର ନାଁ ବିଜେତା ରୂପେ ଘୋଷଣା କରାଯାଇଥିଲା ।
ମଞ୍ଚ ଉପରକୁ ଯାଇ ଦ୍ୱିତୀୟ ପୁରସ୍କାର ଗ୍ରହଣ କରିବାକୁ ମନା କରିଦେଇଥିଲେ ଯଶପାଲ । ସେ ଓ ତାଙ୍କ କୋଚ୍ ମଞ୍ଚ ଉପରେ ଓ ତଳେ ଉପସ୍ଥିତ ଜଣଙ୍କ ପାଖରୁ ଅନ୍ୟ ଜଣଙ୍କ ପାଖକୁ ଯାଇ ସଂଗଠକମାନଙ୍କର ଏଭଳି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲେ ଏବଂ ଏଭଳି ଅନ୍ୟାୟର ପ୍ରତିରୋଧ କରିବାକୁ ସହାୟତା ଲୋଡ଼ିଥିଲେ । ଶେଷରେ, ତାଙ୍କ କୋଚ୍ଙ୍କ ଅନୁରୋଧରେ, ଯଶପାଲ ଦ୍ୱିତୀୟ ପୁରସ୍କାର ଗ୍ରହଣ କରିଥିଲେ, ଏବଂ ତାହା ଥିଲା ୩,୧୦୦ ଟଙ୍କା ଲେଖା ହୋଇଥିବା ବିଶାଳ ଆକାରର ଏକ ଚେକ୍ ।
ଏହାର ମାସକ ପରେ, ୨୦୨୩ ଏପ୍ରିଲ ମାସରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୫,୦୦୦ ଟଙ୍କା ଜମା କରାଯାଇଥିବା ଦେଖି ବିସ୍ମିତ ହୋଇଥିଲେ ଯଶପାଲ । ଏ ସଂପର୍କରେ ଯଶପାଲଙ୍କୁ କେହି କିଛି କହି ନଥିଲେ କି ସ୍ଥାନୀୟ ଖବରକାଗଜରେ ମଧ୍ୟ ଏ ସଂପର୍କରେ କିଛି ପ୍ରକାଶ ପାଇ ନଥିଲା । ଦୌଡ଼ ପ୍ରତିଯୋଗିତାରେ ଫଳାଫଳ ନିର୍ଣ୍ଣୟ ଲାଗି ସମୟ ରେକର୍ଡ କରୁଥିବା ‘ରୁନିଜେନ୍ ଟାଇମିଂ ସିଷ୍ଟମ’ର ୱେବ୍ସାଇଟ୍ରେ ୫ କିଲୋମିଟର ଦୌଡ଼ ପ୍ରତିଯୋଗିତାର ଶୀର୍ଷରେ ତାଙ୍କ ନାଁ ରହିଥିଲା ଏବଂ ସେ ୨୩.୦୭ ସେକେଣ୍ଡରେ (ଦୌଡ଼ ସମୟ) ଦୌଡ଼ ଶେଷ କରିଥିବା ଉଲ୍ଲେଖ ରହିଥିଲା । ସେ ବର୍ଷ ପୁରସ୍କାର ବିତରଣ ସମୟରେ ଉତ୍ତୋଳିତ ଫଟୋଗୁଡ଼ିକରେ ସେ ନଥିଲେ । କିନ୍ତୁ ଯଶପାଲ ତାଙ୍କୁ ମିଳିଥିବା ଅନ୍ୟାନ୍ୟ ଅନେକ ପଦକ ସହିତ ଆଜି ବି ସେହି ବିଶାଳ ଆକାରର ଚେକ୍ଟିକୁ ନିଜ ପାଖରେ ରଖିଛନ୍ତି ।
୨୦୨୪ରେ, ପରବର୍ତ୍ତୀ ମାରାଥନ୍ ପ୍ରତିଯୋଗିତା ନିମନ୍ତେ ଝିଅମାନଙ୍କ ସହ ଯାଇଥିବା ଏହି ରିପୋର୍ଟର ଜାଣିବାକୁ ପାଇଥିଲେ ଯେ, ପୂର୍ବ ପ୍ରତିଯୋଗିତା ସମୟରେ ରେକର୍ଡ କରାଯାଇଥିବା ଭିଡିଓ ଯାଞ୍ଚ କରିବା ପରେ ଆୟୋଜକ ସଂଗଠନର କର୍ମକର୍ତ୍ତାମାନେ ଯଶପାଲଙ୍କ ପ୍ରତିଦ୍ୱନ୍ଦ୍ୱୀ ଝିଅଟିକୁ ଅଯୋଗ୍ୟ ଘୋଷଣା କରିଥିଲେ । ସେ ସମୟରେ ପ୍ରତିବାଦ କରୁଥିବା ଝିଅମାନେ ଠିକ୍ କହୁଥିଲେ ବୋଲି ସେମାନେ ହୃଦୟଙ୍ଗମ କରିଥିଲେ । ସେତେବେଳେ ସେହି ଦୌଡ଼ ପ୍ରତିଯୋଗିତାରେ ସମୟ ରେକର୍ଡ କରିବାକୁ ବ୍ୟବହୃତ କାଗଜରେ କିଛି ଏପଟସେପଟ କରାଯାଇଥିଲା । ସେହି କାରଣରୁ ପରେ ଯଶପାଲଙ୍କୁ ପ୍ରଥମ ସ୍ଥାନ ଲାଗି ନଗଦ ଟଙ୍କା ପୁରସ୍କାର ମିଳିଥିବା କଥା ବୁଝି ହୋଇଥିଲା ।
ଯଶପାଲଙ୍କ ପାଇଁ ପୁରସ୍କାର ବାବଦରେ ମିଳୁଥିବା ନଗଦ ଟଙ୍କା ଗୁରୁତ୍ୱପୂର୍ଣ୍ଣ । ଯଦି ସେ ପର୍ଯ୍ୟାପ୍ତ ଟଙ୍କା ସଞ୍ଚୟ କରିପାରିବେ ତେବେ ସେ ପୁଣି କଲେଜରେ ପଢ଼ିପାରିବେ । ଦୁଇ ବର୍ଷ ତଳେ, ଗୋଟିଏ ବେସରକାରୀ ବିଶ୍ୱବିଦ୍ୟାଳୟର ଅନ୍ଲାଇନ୍ ବିଏ (କଳା) ପାଠ୍ୟକ୍ରମରେ ଯଶପାଲ ଯୋଗ ଦେଇଥିଲେ । “କିନ୍ତୁ ମୁଁ ପ୍ରଥମ ସେମିଷ୍ଟାର ପରେ ଆଉ ଆଗକୁ ପରୀକ୍ଷା ଦେଇପାରି ନଥିଲି,” ସେ କହନ୍ତି । “ପରୀକ୍ଷାରେ ବସିବା ଲାଗି ପ୍ରତି ସେମିଷ୍ଟାର ବାବଦରେ ମୋତେ ପ୍ରାୟ ୧୫,୦୦୦ ଟଙ୍କା ଦେବାକୁ ପଡ଼ିଥାଆନ୍ତା । ପ୍ରଥମ ସେମିଷ୍ଟାର ସମୟରେ ମୁଁ ପରୀକ୍ଷା ଫି’ ଦେବା ଲାଗି ମୋତେ ପୁରସ୍କାର ରୂପରେ ମିଳିଥିବା ନଗଦ ଟଙ୍କା (ଗାଁର ଲୋକ ପ୍ରତିନିଧିମାନଙ୍କ ପାଖରୁ ଏବଂ ଜାତୀୟ ସ୍ତରରେ ସଫଳତା ଲାଗି ସ୍କୁଲ ତରଫରୁ) ଦେଇଥିଲି । କିନ୍ତୁ ତା’ପରେ ମୋ ପାଖରେ ଆଉ ଟଙ୍କା ନଥିବାରୁ ଅନ୍ୟ କୌଣସି ସେମିଷ୍ଟାର ଶେଷ କରିପାରି ନଥିଲି ।”
କଲେଜ ପାଠ ପଢ଼ିଥିବା ତାଙ୍କ ପରିବାରର ପ୍ରଥମ ପିଢ଼ିରେ ଗଣା ହୁଅନ୍ତି ୨୨ ବର୍ଷୀୟା ଯଶପାଲ ଏବଂ ତାଙ୍କ ଗାଁରେ, ପଞ୍ଜାବରେ ସର୍ବାଧିକ ବଞ୍ଚିତ ଅନୁସୂଚିତ ଜାତି ରୂପେ ଶ୍ରେଣୀଭୁକ୍ତ ମଜହବି ଶିଖ ସଂପ୍ରଦାୟ ନାମକ ତାଙ୍କ ସଂପ୍ରଦାୟର ଅଳ୍ପ କେତେକ ମହିଳାଙ୍କ ମଧ୍ୟରୁ ସେ ଜଣେ । ଯଶପାଲଙ୍କ ମାଆ, ୪୭ ବର୍ଷୀୟା ବଲଜିନ୍ଦର କୌର ୫ମ ଶ୍ରେଣୀ ଯାଏଁ ପଢ଼ିଥିଲେ ଏବଂ ତାଙ୍କ ବାପା, ୫୦ ବର୍ଷୀୟ ବଲକାର ସିଂହ, ଆଦୌ ସ୍କୁଲ ଯାଇ ନଥିଲେ । ତାଙ୍କ ଗାଁ କୋହାଲି ଏବଂ ଆଖପାଖ ଅଞ୍ଚଳରେ ନିର୍ମାଣ ଶ୍ରମିକ ଭାବରେ କାମ କରୁଥିବା ତାଙ୍କ ବାପାଙ୍କୁ କାମରେ ସହାୟତା କରିବା ଲାଗି ତାଙ୍କ ବଡ଼ଭାଇ, ୨୪ ବର୍ଷୀୟ ଅମ୍ରିତପାଲ ସିଂହ ୧୨ଶ ଶ୍ରେଣୀ ପରେ ପାଠ ଛାଡ଼ିଦେଇଥିଲେ ଏବଂ ତାଙ୍କ ସାନଭାଇ ୧୭ ବର୍ଷର ଆକାଶଦୀପ ସିଂହ ୧୨ଶ ଶ୍ରେଣୀ ପାସ୍ କରିଥିଲେ ।


















