“ରାଜ୍ୟ ବୋର୍ଡ ପରୀକ୍ଷାରେ ମୁଁ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଦେଇ ସାରିଛି। କଳା ବିଭାଗର ପରୀକ୍ଷା ଫଳ ଜୁନ ମାସରେ ବାହାରିବ। ତା’ପରେ କ’ଣ କରିବି ମୁଁ ସଠିକ ଭାବେ ଜାଣି ନାହିଁ, କିନ୍ତୁ ମୁଁ କଲେଜରେ ଉପର ଶ୍ରେଣୀରେ ପଢ଼ି ଡିଗ୍ରୀ ହାସଲ କରିବାକୁ ଚାହେଁ”, ସ୍ଵପ୍ନିଳ ଭାବେ କହନ୍ତି ସଙ୍କେତ ଲୋଖଣ୍ଡେ। ତାହା ଥିଲା ୨୦୨୧ର କଥା, ଯେତେବେଳେ ଯେ କୌଣସି ୧୮-ବର୍ଷୀୟ ଯୁବକଙ୍କ ଭଳି ସେ ଉତ୍ସାହରେ ଭରପୁର ଥିଲେ। ସେ ଏବେ କହିଲା ବେଳେ ଦୀର୍ଘଶ୍ଵାସ ଛାଡ଼ନ୍ତି, ଏବଂ ସେତିକି ମଧ୍ୟ ତାଙ୍କୁ କ୍ଳାନ୍ତ କରିଦିଏ। ଘର ଅଗଣାରେ ଗୋଟିଏ ବୁଣା ଖଟ ଉପରେ ଦୁଇ ଆଣ୍ଠୁ ଉପରେ କହୁଣି ଭରା ଦେଇ ସେ ବସିଥିବା ବେଳେ କ୍ଳାନ୍ତିର ଅବଶତା ତାଙ୍କ ଶରୀର ଉପରେ ଦିଶି ଯାଉଥାଏ। ଏ ସପ୍ତାହରେ ତାଙ୍କର ଡାୟାଲିସିସ ହେବାର ଚାରିଦିନ ହେଇଗଲାଣି।
“ବୋର୍ଡ ପରୀକ୍ଷା ସରିବାର ଅଳ୍ପ କେଇ ସପ୍ତାହ ପରେ ଶ୍ୱାସରୁଦ୍ଧ ଅନୁଭବ କରିବା ଆରମ୍ଭ ହେଲା। ମାତ୍ର ଅଳ୍ପ କେଇ ପାଦ ଚାଲିଲା ପରେ ମୁଁ ସମ୍ପୂର୍ଣ୍ଣ ଭାବେ ଥକି ଯାଉଥିଲି”, ସେ କହନ୍ତି। ତାଙ୍କ ବାପା ମା’ ସବୁଠୁ ଭଲ ଚିକିତ୍ସା କରିବା ଆଶାରେ ତାଙ୍କୁ ସେମାନଙ୍କ ଗାଁ ନିମଗାଓଁ ଭୋଗିଠାରୁ ୬୪ କି. ମି. ଦୂରରେ ଥିବା ଅହିଲ୍ୟାନଗରଠାରେ (ପୂର୍ବ ନାମ ଅହମ୍ମଦନଗର) ଥିବା ଘରୋଇ ଚିକିତ୍ସାଳୟକୁ ନେଇଗଲେ। କିନ୍ତୁ ସଙ୍କେତଙ୍କ ପରୀକ୍ଷା ଫଳ ବାହାରିବା ବେଳକୁ ତାଙ୍କର କିଡନି ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇ ଯାଇଥିବାରୁ ସେ ଘର ଛାଡ଼ି କୁଆଡ଼େ ବି ଯାଇପାରୁନଥିଲେ।
“ଡାକ୍ତର କହିଲେ ଯେ ଆମେ ଯୋଉ ପାଣି ପିଉଛୁ ସେଇଟା କାରଣ ହୋଇଥାଇ ପାରେ। ଆମେ ସମସ୍ତେ ପୋଖରୀରୁ ପାଣି ପିଉ, ଯାହା ନିଶ୍ଚୟ ଦୂଷିତ ହୋଇଯାଇଛି। ଆମ ପୁଅ ଅସୁସ୍ଥ ହେବା ପର୍ଯ୍ୟନ୍ତ ଆମେ କେହି ତାହା ଜାଣି ପାରିଲୁ ନାହିଁ”, କହନ୍ତି ୪୭-ବର୍ଷୀୟା ସଙ୍କେତଙ୍କ ମା’ ମନୀଷା।
ସେ ପାଜର ତଲାବ – ଝର ପୋଖରୀ ବିଷୟରେ କହୁଥିଲେ, ଯାହାକି ଶହେ ବର୍ଷ ପୂର୍ବରୁ ପ୍ରାକୃତିକ ନିଷ୍କାସନ ପ୍ରଣାଳୀ ଉପରେ କୃତ୍ରିମ ଉପାୟରେ ତିଆରି ହୋଇଥିବା ଗୋଟିଏ ଜଳଛାୟା ପ୍ରକଳ୍ପ। ଗାଁର ୩୩୦ଟି ପରିବାର ସେମାନଙ୍କର ଘର ଓ ଚାଷଜମିର ଆବଶ୍ୟକତା ପୂରଣ କରିବା ପାଇଁ ଏହି ପୋଖରୀ ଉପରେ ନିର୍ଭର କରନ୍ତି। କିନ୍ତୁ ବିଗତ ୧୨ରୁ ୧୫ ବର୍ଷ ହେଲା ସାରା ଗାଁରେ କ୍ୟାନସର ଓ କିଡନି ଅକାମି ହେବା ଅବସ୍ଥା ବଢ଼ିବାରେ ଲାଗିଛି।
“ଦୀର୍ଘ ଦିନ ଧରି ଦୂଷିତ ଜଳ ପିଇବା କିଡନିକୁ ନଷ୍ଟ କରିଦିଏ, ଡାକ୍ତରମାନେ ଆମକୁ ଚେତେଇ ଦେଇଥିଲେ। ଆମ ଗାଁରେ ବହୁତ ଲୋକଙ୍କ କିଡନି ନଷ୍ଟ ହେବା ରୋଗରେ ଆକ୍ରାନ୍ତ ହୋଇଛନ୍ତି”, କହନ୍ତି ମନୀଷା। କେବଳ ଗୋଟିଏ ଥର ରିପୋର୍ଟିଂ କରିବାକୁ ଯାଇଥିବା ବେଳେ ପାଞ୍ଚଟି ପରିବାରର ଅନ୍ତତଃ ପକ୍ଷେ ଜଣେ ବ୍ୟକ୍ତି ଡାୟାଲିସିସରେ ଥିବା ମୋ ଦୃଷ୍ଟିକୁ ଆସିଥିଲା।






















