“ଏଣିକି ଆଉ ଆମେ ସେମାନଙ୍କ କ୍ଷେତରେ ପାଦ ରଖିବୁ ନାହିଁ । ଆମେ ଆମ ନିଜର ଶସ୍ୟ ନିଜେ ଚାଷ କରିବୁ, ଆମେ ଚାଷ କରିବୁ ଆମ ଗୃହପାଳିତ ପଶୁମାନଙ୍କ ପାଇଁ ଖାଦ୍ୟ । ଯେତେଦୂର ପର୍ଯ୍ୟନ୍ତ ଆପଣଙ୍କ ଆଖି ପାଉଛି, ସେ ସବୁ ଆମ ନିଜର ଜମି ।” ଦୁଇ ହାତ ମେଲାଇ ପ୍ରାୟ ୧୨୫ ଏକରର ବିରାଟ ଜମି ଆଡ଼କୁ ଆଙ୍ଗୁଠି ଦେଖାଇ ଦିଅନ୍ତି ରାଜିନ୍ଦର କୌର । ଯେଉଁ ଜମିକୁ ୨୦୧୪ ମସିହାରେ ଗାଁର ପ୍ରତିପତ୍ତିଶାଳୀ ଜାତି କବଳରୁ ମୁକ୍ତ କରି ପୁନର୍ବାର ନିଜ ଦଖଲକୁ ନେଇଥିଲେ ଏଠାକାର ଦଳିତମାନେ, ସ୍ୱାଧୀନତାର ୬୭ ବର୍ଷ ପରେ ।
ବାଲଦ କଲାଁ ଗାଁର ପ୍ରାୟ ପ୍ରତିଟି ଭୂମିହୀନ ଦଳିତ ମହିଳାଙ୍କର ସେଇ ଗୋଟିଏ କାହାଣୀ- ଯେତେବେଳେ ସେମାନେ ଉଚ୍ଚ ଜାତିର ଲୋକଙ୍କ ଜମିରେ ପାଦ ରଖିଥିଲେ ଆଉ ସେମାନଙ୍କୁ ‘ସେମାନଙ୍କ ପାଇଁ ଠିକ୍ ଜାଗା’ ଦେଖାଇ ଦିଆଯାଇଥିଲା । ଯଦିଓ ଏବେ ବି ସେମାନଙ୍କ ସ୍ମୃତିରେ ସତେଜ ହୋଇ ରହିଛି ସେହି ଅପମାନର କଥା, ତଥାପି ସେସବୁକୁ ଅତୀତର ଅନ୍ଧକାର ଭିତରକୁ ଠେଲି ଦେଇଛି ସେମାନଙ୍କର ଏହି ଯୁଗାନ୍ତକାରୀ ସଂଘର୍ଷ ।
ପଞ୍ଚାୟତ ଜମିର ଏକ ତୃତୀୟାଂଶ ଭାଗ ଉପରେ ସେମାନଙ୍କ ଅଧିକାରକୁ ପୁଣି ହାସଲ କରିବା ପାଇଁ ଜୋରଦାର ଲଢ଼େଇର ରୂପ ନେଇଥିଲା ଦଳିତ ଆନ୍ଦୋଳନ । ୧୯୬୧ରେ ପ୍ରଣୀତ ପଞ୍ଜାବ ଗ୍ରାମାଞ୍ଚଳ ସର୍ବସାଧାରଣ ଜମି (ନିୟନ୍ତ୍ରଣ) ଆଇନରେ ଉଲ୍ଲିଖିତ ହୋଇଛି ସେମାନଙ୍କର ଏହି ଅଧିକାର । ୨୦୧୪ରୁ ଚାଲିଥିବା ଏହି ସଂଘର୍ଷ ଯୋଗୁଁ ଦକ୍ଷିଣ ପଞ୍ଜାବର ୧୬୨ଟି ଗାଁରେ ସେମାନେ ୨୦,୦୦୦ ବିଘା (ପ୍ରାୟ ୪,୨୧୦ ଏକର) ଜମି ପୁର୍ନଦଖଲ କରିପାରିଛନ୍ତି । ୧୯୭୨ ମସିହାର ଜମି ସିଲିଂ ଆଇନରେ ନିର୍ଦ୍ଧାରିତ ପରିମାଣଠାରୁ ଅଧିକ ଜମି ନିଜ ଅକ୍ତିଆରରେ ରଖିଥିବା ପ୍ରତିପତ୍ତିଶାଳୀ ଜାତିର ଲୋକମାନଙ୍କର ବଳକା ଜମି ସେମାନଙ୍କୁ ଦିଆଯାଉ ବୋଲି ସେମାନେ ଦାବି କରୁଛନ୍ତି ।
ସଙ୍ଗରୁର ଓ ପଟିଆଲା ମଧ୍ୟବର୍ତ୍ତୀ ୭ ନମ୍ବର ଜାତୀୟ ରାଜପଥରେ ଅବସ୍ଥିତ ବାଲଦ କଲାଁ ହେଉଛି ସେହି ଗାଁ, ଯେଉଁଠାରେ ଏହି ଆନ୍ଦୋଳନ ସର୍ବାଧିକ ନିର୍ଣ୍ଣାୟକ ମୁହୂର୍ତ୍ତର ସମ୍ମୁଖୀନ ହୋଇଥିଲା । ଏ ହେଉଛି ସେହି ଗାଁ, ଯେଉଁଠି ଆଜି ରାଜିନ୍ଦର କୌରଙ୍କ ଭଳି ମହିଳାମାନେ ମନଖୁସିରେ, ଖୋଲାଖୋଲି ଏବଂ ବିସ୍ତୃତ ଭାବରେ ଶୁଣାନ୍ତି ସେମାନଙ୍କର ସେହି ସାମୂହିକ ସଂଘର୍ଷର ବିସ୍ମୟଜନକ ସଫଳତାର କାହାଣୀ । ବାଲଦ କଲାଁରେ ନ୍ୟାୟ ପାଇଁ ଲଢ଼େଇ ନୂଆକଥା ନୁହେଁ । ପ୍ରତିବାଦ ଆନ୍ଦୋଳନରେ ଭରା ଏହାର ଇତିହାସର ନିରବ ପ୍ରମାଣ ହେଉଛି ଗାଁ ଚତୁର୍ଦିଗରେ ଦଣ୍ଡାୟମାନ ସ୍ମାରକୀ ସମୂହ, ଯେଉଁଥିରେ ଲିପିବଦ୍ଧ ସେମାନଙ୍କ କାହାଣୀ, ଯେଉଁମାନେ ଏକ ନ୍ୟାୟସଙ୍ଗତ ପୃଥିବୀର ସ୍ୱପ୍ନ ପାଇଁ ଲଢ଼େଇରେ ନିଜକୁ ଉତ୍ସର୍ଗ କରିଦେଇଥିଲେ ।













