‘‘କିଛି ବର୍ଷ ପୂର୍ବରୁ, ଗାଁରେ ପୋଖରୀଟିଏ ଖୋଳିବା ହେଉ କିମ୍ବା ଆଉ କିଛି, ଯଦି ଆମେ ଗ୍ରାମ୍ ସଭା (ଗ୍ରାମ ସଭା)ରେ କୌଣସି ପ୍ରସଙ୍ଗ ଉପସ୍ଥାପନ କରିବାକୁ ଚାହୁଁଥିଲୁ, ତ’ ଆମ ଭଳି ମହିଳାମାନଙ୍କୁ ବସିବା ଏବଂ ସରପଞ୍ଚ କିମ୍ବା ଗ୍ରାମ ସଭାର ଅଧ୍ୟକ୍ଷ (ଅଧ୍ୟକ୍ଷ)ଙ୍କୁ କିଛି କହିବା ପାଇଁ ସୁଯୋଗ ମିଳୁନଥିଲା,’’ ଗୋଦାୱରୀ ମାରୱି କୁହନ୍ତି।
ସେହି ସମୟ ତୁଳନାରେ ଏବେ ପରିସ୍ଥିତି ଅନେକାଂଶରେ ବଦଳି ଯାଇଛି, ତେବେ ଏଥିରେ ସେହି ମହିଳାମାନଙ୍କର ସାହସ ଓ ଦୃଢ଼ସଂକଳ୍ପ ରହିଛି। ଜୁଲାଇ ୨୦୨୪ର ଏକ ବର୍ଷା ଦିନରେ ପରୀ ଏହି ମହିଳାମାନଙ୍କୁ ଭେଟିଥିଲା।
କେବଳ ମହିଳାଙ୍କୁ ନେଇ ପରିଚାଳିତ ହଲଚଲିତ୍ ମହିଳା କିଷାନ ମହିଳା ଉତ୍ପାଦକ କମ୍ପାନୀ ଲିମିଟେଡ୍ (ଏଚଏମକେଡବ୍ଲୁପିସି)ର ସଦସ୍ୟା ଗୋଦାବରୀ ଏବଂ ଅନ୍ୟ ଛଅ ଜଣ ମହିଳା ସକାଳୁ ଆସିଯାଇଥିଲେ। ସେମାନେ ଡିଣ୍ଡୋରୀ ଜିଲ୍ଲାର ସାମନାପୁର ବ୍ଲକରେ ଥିବା ଟିଣ ଛାତ ଓ କାନ୍ଥ ଥିବା ବଡ଼ ଶେଡ୍ ଭଳି କାର୍ଯ୍ୟାଳୟ ଓ ଗୋଦାମରେ ବସିଥିଲେ। ପ୍ରବେଶ ଦ୍ୱାରରେ ଗୋଟିଏ ପଟେ ଚୌକି ଏବଂ ମେଜ ସହିତ ଗୋଟିଏ କମ୍ପ୍ୟୁଟର, କିଛି ଆଲମାରୀ ଏବଂ ଗୋଟିଏ ଏୟାର-କୁଲର ଛୋଟ କାର୍ଯ୍ୟାଳୟକୁ ଦର୍ଶାଉଥିଲା।
ଉତ୍ପାଦକ କମ୍ପାନୀର ନାମ ମହିଳାଙ୍କ ଦ୍ୱାରା ନିଜକୁ ଚାଷୀ ରୂପେ ପରିଚିତ କରାଇବାର ଗର୍ବରୁ ଉତ୍ପତି ହୋଇଥିଲା। ଯେହେତୁ ହଲ୍ ବା ହଳ ଚଲାଇବା ପାରମ୍ପରିକ ରୂପେ ପୁରୁଷଙ୍କ କାମ ରୂପେ ବିବେଚନା କରାଯାଏ, ସେଥିପାଇଁ ସେମାନେ ଏହି ଧାରଣାକୁ ଆହ୍ୱାନ ଦେଇଥିଲେ ଏବଂ ନିଜକୁ ହଳ ଚଲାଉଥିବା ମହିଳା-ହଲଚଲିତ୍ ମହିଲା ରୂପେ ପରିଚିତ କରାଇଥିଲେ। ସେଥିପାଇଁ ଏହାର ନାମ ହୋଇଥିଲା ହଲଚଲିତ୍ ମହିଲା କିଷାନ୍ ମହିଳା ଉତ୍ପାଦକ କମ୍ପାନୀ। ଆଜି ସେମାନଙ୍କ ନିକଟରେ ୧,୪୦୦ ପଞ୍ଜିକୃତ ସଦସ୍ୟ ରହିଛନ୍ତି ଯେଉଁମାନେ ମଧ୍ୟ ଏହାର ଅଂଶୀଦାର ଅଟନ୍ତି।
ଏହାର ଦୁଇ ଜଣ ସଦସ୍ୟ ଗୋଦାବରୀ ମରାୱି (୪୪) ଏବଂ ଦେବକୀ ୱାଗଲେ (୪୭) ବରଗାଗାଁଓ (ଯାହା ବର୍ଗା ଗ୍ରାମ ନାମରେ ମଧ୍ୟ ପରିଚିତ)ରେ ରୁହନ୍ତି ଏବଂ ଚାଲି ଚାଲି କାର୍ଯ୍ୟାଳୟକୁ ଯାଆନ୍ତି। ଅନ୍ୟ ମହିଳାମାନେ ସାମନାପୁର ବ୍ଲକରେ ନିଜ ଘରୁ ଅଟୋ ରିକ୍ସାରେ କିମ୍ବା ପରିବାରର କୌଣସି ସଦସ୍ୟଙ୍କ ସହିତ ମୋଟର ସାଇକେଲ ପଛରେ ବସି ଆସନ୍ତି।
ଗୋଦାବରୀ ମରାୱି ଏବେ ଅଧ୍ୟକ୍ଷା ଅଛନ୍ତି। କିପରି ଭାବେ ପାରମ୍ପରିକ ରୂପରେ, ଏଠାକାର ଚାଷୀମାନେ ରାସାୟନିକ ସାର ଉପଯୋଗ କରୁନଥିଲେ, କିନ୍ତୁ ୨୦୧୦ଠାରୁ ଧୀରେ ଧୀରେ ଏହା ବଦଳିଥିଲା। ସେବେଠାରୁ କୃଷି କ୍ଷେତ୍ରରେ ରାସାୟନିକ ସାର ଏବଂ କୀଟନାଶକର ଉପଯୋଗ ସ୍ୱାଭାବିକ ହୋଇଗଲା ବୋଲି ସେ ଆମକୁ ପ୍ରାରମ୍ଭରେ କହିଥିଲେ। ତେବେ ୨୦୨୨ ପରଠାରୁ ଡିଣ୍ଡୋରୀ ଜିଲ୍ଲାର ଅନେକ ଚାଷୀ ଜୈବିକ କିମ୍ବା ପ୍ରାକୃତିକ କୃଷି ଅଥବା ଉଭୟ ଆଡ଼କୁ ଅଗ୍ରସର ହେବାକୁ ପ୍ରୟାସ ଜାରି ରଖିଛନ୍ତି । ଅଣ-ରାସାୟନିକ କୃଷିକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ କାମ କରୁଥିବା ସଂଗଠନଗୁଡ଼ିକ ସେମାନଙ୍କୁ ସମର୍ଥନ ଓ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି।
‘‘ଆମେ ଚାଷୀମାନଙ୍କୁ ଜୈବିକ ବିହନ ଯୋଗାଇ ଦେଉଛୁ। ଘାସ, ତୃଣ ଏବଂ ହର୍ପତୱାର୍ (ମୂଳ ନଡ଼ା), ସହିତ କ୍ଷେତକୁ ହଳ କଲେ ସେଗୁଡ଼ିକ ମାଟିରେ ମିଶି ଯାଇ ପ୍ରଥମ ପ୍ରାକୃତିକ ସାରା ରୂପେ କାମ କରିଥା’ନ୍ତି,’’ ଗୋଦାୱରୀ ଆମକୁ କହିଥିଲେ।


