ବିଡ଼ି ଟାଣିବା ଭିତରେ ଫରିଦାବାଦ ଜିଲ୍ଲାର ମଙ୍ଗର ଗାଁର ଗୁଜ୍ଜର ସମୂହର ଜଣେ ପଶୁଚରାଳୀ ରତନ ସିଂହ ତାଙ୍କ ଛେଳିଗୁଡ଼ିକଙ୍କ ଉପରେ ନଜର ରଖନ୍ତି। ଆରାବଳିଉପରକୁ କିଛି ଦୂର ଚଢ଼ିବା ପରେ ଏକ ଘାସ ଥିବା ଅଞ୍ଚଳରେ ପହଞ୍ଚିବା ପରେ ପରେ ସେ ପାଣି ପିଇବାକୁ ଦେବାକୁ ଡାକ ପକାନ୍ତି। ‘‘ଟରର୍ ଟରର୍,’’ ତାଙ୍କର ଏହି ଶାଣିତ ତଥା ଦ୍ରୁତ ଡାକରାରେ ୪୫ଟି ଛେଳି ଏକାଠି ହେବାକୁ ଆରମ୍ଭ କରନ୍ତି।
ସେ କହନ୍ତି, ‘‘ପ୍ରତ୍ୟେକ ଡାକରାର ଶୈଳୀ ଏବଂ ତୀବ୍ରତା ଭିନ୍ନ ଏବଂ ଏହା ଏକ ନିର୍ଦ୍ଦିଷ୍ଟ ଆଦେଶକୁ ସୂଚିତ କରେ। ଏମିତି ଡଜନେ ଭିନ୍ନ ଭିନ୍ନ ଡାକରା ଅଛି ଯାହା ଏହି ପଶୁ ପଲକୁ ନିୟନ୍ତ୍ରିତ କରିବା ପାଇଁ ଉଦ୍ଦିଷ୍ଟ।’’
ଏ ମଧ୍ୟରେ ଅଛି ‘‘ଆଓ, ଆଓ’’, ଏକ କୋମଳ ଡାକରା ଯାହା ଛେଳିମାନଙ୍କୁ ଛେଳି ଚରାଳୀଙ୍କ ଆଡ଼କୁ ଆଣିଥାଏ, ଯେମିତି ‘‘ଏଠାକୁ ଆସ’’। ଆଉ ଗୋଟିଏ ହେଉଛି ‘‘ଲେଃ ଲେଃ ଲେଃ’’, ଏହି ବିଶେଷ ଡାକରା ଛେଳିମାନଙ୍କୁ ଏହା କହିବା ପାଇଁ ଯେ କିଛି ଲୁଣ ଖାଇବାର ସମୟ ହୋଇଗଲାଣି।
‘‘ଆଓଲେ, ଆଓଲେ – ଉହଃ ଉହଃ’’ ଏହି ଡାକରା ଦୁଇଟି ଉଦ୍ଦେଶ୍ୟ ପାଇଁ, ଏହା ଛେଳି ପଲକୁ ଛେଳି ଚରାଳୀଙ୍କ ଉପସ୍ଥିତି ସମ୍ପର୍କରେ ଆଶ୍ୱସ୍ତ କରେ ଏବଂ ସମ୍ଭାବ୍ୟ ଶିକାରୀମାନଙ୍କୁ ସତର୍କ କରାଇଦିଏ ଯେ ଛେଳି ପଲ ଏକୁଟିଆ ନାହାଁନ୍ତି।
୬୫ ବର୍ଷ ବୟସ୍କ ରତନ ସିଂହ ପ୍ରତ୍ୟେକ ଡାକରାକୁ କରି ଦେଖାନ୍ତି, ଶୈଳୀ ଏବଂ ତାଳରେ ସୂକ୍ଷ୍ମ ଫରକକୁ ବ୍ୟାଖ୍ୟା କରନ୍ତି, ଦର୍ଶାଇ ଦିଅନ୍ତି ଯେ କିପରି ଶବ୍ଦଗୁଡ଼ିକ ପଶୁ ପଲ ଏବଂ ପଶୁ ଚରାଳୀ ମଧ୍ୟରେ ଏକ ପ୍ରାଚୀନ ସମ୍ବନ୍ଧକୁ ଅତୁଟ ରଖିଥାଏ।
ଡେଙ୍ଗା ଏବଂ ପତଳା ରତନ ସିଂହ କୁର୍ତ୍ତା-ପାଇଜାମା ଏବଂ ସାଫି ବା ପଗଡ଼ି ପିନ୍ଧନ୍ତି। ତାଙ୍କ ଚମଡ଼ା ଜୋତା ହଳକ ଖୁବ୍ ଓଜନିଆ ଯାହା ପାହାଡ଼ର ଆବୁଡ଼ାଖାବୁଡ଼ା ପଥର ଏବଂ କଣ୍ଟା ଉପରେ ଚାଲିବା ପାଇଁ ଉପଯୁକ୍ତ।
ରତନ ସିଂହ ଦିଲ୍ଲୀ-ହରିଆଣା ସୀମାରେ ଏହାର ସମୃଦ୍ଧ ଜୈବ ବିବିଧତା ପାଇଁ ଜଣାଶୁଣା ଆରାବଳି ପାର୍ବତ୍ୟାଞ୍ଚଳର ଏକ ଗ୍ରାମ ମଙ୍ଗରର ବାସିନ୍ଦା।

















