“ଭେଣ୍ଡା”, ଆମେ ଯେତେବେଳେ ତା’ ନାଁ ପଚାରିଲୁ, ସେ ତାମିଲରେ ଉତ୍ତର ଦେଲା। ବୁଝିବା ପାଇଁ ବେଶ କିଛି ସମୟ ଲାଗିଗଲା ଯେ ପ୍ରକୃତରେ ଏହା ତା’ର ନାଁ, ଏବଂ ଉତ୍ତର ଦେବା ପାଇଁ ସେ କୌଣସି କୁଣ୍ଠା ପ୍ରକାଶ କରୁ ନଥିଲା। ‘ଭେଣ୍ଡା’ ଶବ୍ଦଟି ତାମିଲର ଭେଣ୍ଡମର ସଂକ୍ଷିପ୍ତ ରୂପ, ଯାହାର ଅନୁଦିତ ଅର୍ଥ ହେଲା ‘ଦରକାର ନୁହେଁ’ / ଅଦରକାରୀ।
ଏନ୍. ଭେଣ୍ଡମ ହେଉଛନ୍ତି ନର୍ସିମ୍ମନ ଓ ସ୍ଵର୍ଗତା ରାଜାମ୍ମାଲଙ୍କ ୩୯-ବର୍ଷୀୟା ଝିଅ। ସେ ହେଉଛନ୍ତି ପଞ୍ଚମ ସନ୍ତାନ ଓ ଏକାଧିକ ଗର୍ଭଧାରଣ କରି ଦୁର୍ବଳ ହୋଇସାରିଥିବା ମା’ଠାରୁ ଜନ୍ମ ହୋଇଥିଲେ – ତିନି ପୁଅ ଓ ଦୁଇ ଝିଅ। ତାଙ୍କ ବାପା ମା’ ଆଉ ପିଲା ଦରକାର ନାହିଁ ବୋଲି ମନରେ ଭାବି ତାଙ୍କର ନାଁ ‘ଭେଣ୍ଡା’ ରଖିଥିଲେ। ତାଙ୍କ ଆଧାର କାର୍ଡରେ ତାଙ୍କ ନାଁ ‘ଭେଣ୍ଡମ’ ବୋଲି ଅଛି।
କିକଚି ବର୍ଷ ତଳେ ରାଜାମ୍ମାଲ ବଞ୍ଚିଥିବା ସମୟରେ ଥରେ କଥାବାର୍ତ୍ତା ବେଳେ ସେ ମତେ କହିଥିଲେ ଯେ ଯଦି ସେ ଗୋଟିଏ ପୁଅ ହେଇଥାନ୍ତା, ତେବେ ତା’ ନାଁ ‘ଭେଣ୍ଡା’ ରଖାଯାଇ ନଥାନ୍ତା। କିନ୍ତୁ ସେମାନଙ୍କର ଝିଅଟିଏ ହେଲା, ଏବଂ ତାଙ୍କର ଭବିଷ୍ୟତ ଜନ୍ମ ପ୍ରମାଣପତ୍ରରେ ନଥିଭୁକ୍ତ ହୋଇଗଲା।
କିନ୍ତୁ ସ୍ଵର୍ଗତା ରାଜାମ୍ମାଲ ତାଙ୍କର ଦୁଃଖ ପ୍ରକାଶ କରିଥିଲେ: “ଆମେ ଯଦି ତୋର ଗୋଟିଏ ଶୁଭ ନାଁ ରଖିଥାନ୍ତୁ, ଏବଂ ତୋତେ ବାରମ୍ବାର ‘ଭେଣ୍ଡା ଭେଣ୍ଡା’ ଡାକି ନଥାନ୍ତୁ, ତେବେ ହୁଏତ ତୋ ଜୀବନରେ ଭଲ ଭାଗ୍ୟ ଆସିଥାନ୍ତା”, ସେ ତାଙ୍କ ଝିଅକୁ କହିଥିଲେ।
ଭେଣ୍ଡାଙ୍କ ହିସାବରେ ତାମିଲନାଡୁର ଥିରୁଭାଲୁର ଜିଲ୍ଲା ଅନ୍ତର୍ଗତ ତାଙ୍କ ଗାଁ ମାଡ୍ଡୁରରେ ଭେଣ୍ଡା ନାଁରେ ଅନ୍ତତଃ ଦଶ ଜଣ ମହିଳା ଅଛନ୍ତି। “ତିରୁତ୍ତାନି ବ୍ଲକ ଅନ୍ତର୍ଗତ ଆଖପାଖ ଏକାଧିକ ଗାଁରେ ରହୁଥିବା ଆମ ଗୋଷ୍ଠୀରେ ସାଧାରଣ ଭାବେ ଏହି ନାଁଟି ପ୍ରଚଳିତ ଥିଲା”, ସେ ‘ପରୀ’କୁ କହନ୍ତି।





