ମାଇ (ମେ) ମାସ ସରିଗଲା ବେଳକୁ ଆମେ ଶିମଗା ଉତ୍ସବକୁ ଅତି ଆଗ୍ରହର ସହିତ ଅପେକ୍ଷା କରିଥାଉ। ଆମ ୱର୍ଲି ଭାଷାରେ କ୍ୟାଲେଣ୍ଡରର ବାରମାସ ଯାକ ହେଲା ଚଇତ (ଚୈତ୍ର), ବୈଶାଖ, ଜେଠ (ଜ୍ୟେଷ୍ଠ), ଆଖାର (ଆଷାଢ), ଶ୍ରାବଣ, ଭାଦ୍ଵା (ଭାଦ୍ରବ), ଅଶ୍ଵୀନ (ଆଶ୍ଵିନ), କାର୍ତ୍ତିକ, ମକଶୀର (ମାର୍ଗଶିର), ପୂଷ (ପୌଷ), ମାଇ (ମାଘ) ଓ ଫାଲଗୁନ (ଯାହାକୁ ଶିମଗା ବୋଲି ମଧ୍ୟ କୁହାଯାଏ)।
ଶିମଗା ଦିନ ଆସିବାର ସପ୍ତାହେ କି ଦି’ ସପ୍ତାହ ପୂର୍ବରୁ ଆମେ କାଠ ସଂଗ୍ରହ କରି ଠିଆ ଭାବେ ଗଦା କରୁ ଓ ନିଆଁ ଲଗାଇ ଛୋଟ ଆକାରର ଉତ୍ସବ କରୁ, ଯାହାକୁ କୁହାଯାଏ ହୋଲି। ଆମେ ପାରମ୍ପରିକ ଆଟ୍ୟା ପାଟ୍ୟା ପରି ଖେଳ ଖେଳି ସାରା ରାତି କଟାଇ ଦେଉ। ଫାଲଗୁନ ପନ୍ଦର ଦିନରେ ପଡୁଥିବା ପୂର୍ଣ୍ଣମୀ ରାତିରେ ବଡ଼ ଡାଳ ଓ କାଠ ଏକାଠି କରି ବଡ଼ ଆକାରର ଅଗ୍ନି ଉତ୍ସବ ପାଳନ କରିବାକୁ ସମସ୍ତେ ସମବେତ ହୁଅନ୍ତି। ଏହି ଉତ୍ସବ ରୀତିରେ କେବଳ ପୁରୁଷମାନେ ଯୋଗ ଦିଅନ୍ତି। ଡାଳପତ୍ର ସହ ଗୋଟିଏ ଲମ୍ବା ବାଉଁଶକୁ ଜଙ୍ଗଲରୁ ଅଣାଯାଏ। ସେଥିରେ ଫୁଲମାଳ, ଗାଠି ବା ମିଶିରି ଓ ଚାଉଳରେ ତିଆରି ପାମ୍ପଡ଼ ଆଦି ବନ୍ଧାଯାଏ। କଳା କୁକୁଡ଼ା ଚିଆଁକୁ ବାଉଁଶ ଅଗରେ ବାନ୍ଧି ଦିଆଯାଏ। ଏହି ବାଉଁଶକୁ ମଝିରେ ପୋତି ଦେଇ ତା’ ଚାରିପଟେ ଆଖପାଖ ଜଙ୍ଗଲରୁ ସଂଗ୍ରହ କରି ଅଣାଯାଇଥିବା କାଠକୁ ତା’ ଚାରିପଟେ ସଜେଇ ରଖାଯାଏ। ଏହି ଗଠନଟିକୁ କୁହାଯାଏ ହୋଲି। ଲୋକେ ଗୋଟିଏ ନଡିଆ ଭାଙ୍ଗି ହୋଲିକୁ ପୂଜା କରନ୍ତି। ଗାଁର ଜଣେ ବୟସ୍କ ଲୋକ ବା ପୁଡହାରଖି ସାରା ଗାଁରେ ଘୋଷଣା (ଡୱାଣ୍ଡି) କରନ୍ତି ଓ ହୋଲିରେ ନିଆଁ ଲଗାଯାଏ।
ଆଗ କାଳରେ ଗାଁ ଓ ଏହାର ପଡ଼ାଗୁଡ଼ିକରୁ ସମସ୍ତେ ମିଳିତ ଭାବେ ଗୋଟିଏ ଜାଗାରେ ନିଆଁ ଲଗେଇ ଉତ୍ସବ ପାଳନ କରୁଥିଲେ। ଯେଉଁମାନେ ଶିମଗା ହେବା ପୂର୍ବରୁ ବାହା ହେଇଥିବେ ସେମାନେ ଜଳୁଥିବା ହୋଲି ଚାରିପଟେ ପାଞ୍ଚ ଥର ବୁଲୁଥିଲେ। ଉତ୍ସବ ପ୍ରକୃତରେ ରାତିରେ ହେଉଥିଲା ଓ ସମସ୍ତେ ଥଟ୍ଟାମଜାରେ ମାତୁଥିଲେ। ସବୁ ବୟସର ପୁରୁଷ ଓ ନାରୀମାନେ ସମସ୍ତେ ପରସ୍ପର ସହିତ ଥଟ୍ଟା, ମଜା, କୌତୁକ କରୁଥିଲେ। ଏଭଳି ଭାବେ ହିଁ ଆମେ ଆନନ୍ଦର ଅବସରକୁ ପାଳନ କରୁଥିଲୁ। ଛୋଟ ପିଲାମାନେ ବିଭିନ୍ନ ପ୍ରକାର ବେଶପଡ଼ି ଘରକୁ ଘର ବୁଲି ଲୋକଙ୍କ ସହ ଟାହି ଟାପରା କରୁଥିଲେ। ବଦଳରେ ସେମାନେ ଲୋକଙ୍କଠାରୁ ଉପହାର କିମ୍ବା ଟଙ୍କା ଆଦାୟ କରୁଥିଲେ। ଶିମଗା ଉତ୍ସବ ସମସ୍ତଙ୍କୁ ଆନନ୍ଦ ଓ ହସଖୁସି ଆଣି ଦେଉଥିଲା।





