“ସାତ ଥାକ କାମରେ ଗୋଟିଏ ଝାଡୁ ତିଆରି ହୋଇଥାଏ,” ଭାଗବତୀ କହନ୍ତି ।
ଯଦିଓ ତାଙ୍କୁ ମାତ୍ର ୨୦ ବର୍ଷ ବୟସ, ତଥାପି ତାଙ୍କ ମାଆ ଓ ପରିବାରର ଅନ୍ୟମାନଙ୍କ ପାଖରୁ ଶିଖିଥିବା ଏହି କାରିଗରୀକୁ ଭଲ ଭାବରେ ଜାଣିଛନ୍ତି ଭାଗବତୀ । “ପ୍ରଥମେ ଆମେ ଖଜୁରି ବରଡ଼ାକୁ ଅଧା ଅଧା କରି ଚିରି ଦେଉ ଏବଂ ତା’ପରେ ସେଥିରୁ ବାହାରିଥିବା ଛୋଟ ପତ୍ରଗୁଡ଼ିକୁ ଛିଣ୍ଡାଇ ଦେଉ,” ଏହି ରିପୋର୍ଟରଙ୍କୁ ସେ କହନ୍ତି ।
ଖଜୁରି ପତ୍ରରୁ ବାହାରିଥିବା ଛୋଟ ଛୋଟ ପତ୍ରଗୁଡ଼ିକୁ ସେ “ଟୁକ୍ଡ଼େ ଟୁକ୍ଡ଼େ” (ଛୋଟ ଛୋଟ ଖଣ୍ଡ) ବୋଲି କହନ୍ତି । ଏଗୁଡ଼ିକ ହେଉଛି ପକ୍ଷୀର ପର ଭଳି ଦିଶୁଥିବା ବଡ଼ ଆକାରର ଖଜୁରି ପତ୍ରରେ ଲାଗିଥିବା ଛୋଟ ଛୋଟ ପତ୍ର । ଝାଡୁ କାରିଗରମାନେ ଏଗୁଡ଼ିକୁ ଗୋଟି ଗୋଟି କରି କାଟି ବିଡ଼ା ବାନ୍ଧି ରଖନ୍ତି । ତା’ପରେ ଏହି ବିଡ଼ାକୁ ଗୋଟିଏ ବାଉଁଶ ବାଡ଼ିରେ ବାନ୍ଧି ଏହା ଉପରେ ଭଲ ଭାବରେପନ୍ନି (ପଲିଥିନ୍) ଗୁଡ଼ାଇ ଦିଅନ୍ତି । ଶେଷ ପର୍ଯ୍ୟାୟରେ ଏହି ପତ୍ରଗୁଡ଼ିକୁ ସରୁ ସରୁ କରି କାଟି ଦିଆଯାଏ ଏବଂ ପତ୍ର ଧାରରେ ବାହାରକୁ ବାହାରିଥିବା ରୁଆକୁ ଚାଞ୍ଛି ସମାନ କରିଦିଆଯାଏ ବୋଲି ଗୋଟି ଗୋଟି କରି ସବୁ ପର୍ଯ୍ୟାୟ ସଂପର୍କରେ ବୁଝାଇବାକୁ ଯାଇ ସେ ଆମକୁ କହନ୍ତି । ମଝିରେ ମଝିରେ ତାଙ୍କ ସଂପର୍କୀୟା ଭଉଣୀ ଦେଓଲି ବି କିଛି ନା କିଛି କହିଦେଉଥା’ନ୍ତି ।
କୋଡ଼ିଏରୁ କିଛି ଅଧିକ ବର୍ଷ ବୟସର ଏହି ସଂପର୍କୀୟା ଭଉଣୀ ଦୁହେଁ ଝାଡୁ ତିଆରିର ପ୍ରତିଟି ପର୍ଯ୍ୟାୟକୁ ମନେ ରଖିଛନ୍ତି । ପଞ୍ଜାବର ମାଲୋଟରେ, ଗୋଟିଏ ପାଦଚଲା ରାସ୍ତା ଉପରେ ଭାଗବତୀଙ୍କ ମାଆ ସୋନି ଦେବୀଙ୍କ ସହିତ ସାମନା ସାମନି ଏବଂ ଲଗାଲଗି ହୋଇ ବସିଥାଆନ୍ତି ଏହି ତିନି ମହିଳା । ଖୁବ୍ ଭଲ ଭାବରେ ଅଭ୍ୟାସ କରିଥିବା କୌଣସ ଏକ ନୃତ୍ୟର ଅଙ୍ଗଭଙ୍ଗୀ ସଦୃଶ, ଗୋଟିଏ ପର୍ଯ୍ୟାୟର ଝାଡୁ ତିଆରି କାମ ସାରି ଜଣେ ଅନ୍ୟ ଜଣଙ୍କ ହାତକୁ ତାହା ବଢ଼ାଇ ଦେଉଥାଆନ୍ତି ।
ପରିବାରର ଏହି କାରିଗରୀ ପ୍ରତି ଦେଓଲିଙ୍କ ଆଗ୍ରହ ତାଙ୍କ କଣ୍ଠସ୍ୱରରୁ ବାରି ହୋଇପଡୁଥାଏ: “ପିଲାଦିନରୁ ହିଁ ଆମେ ଝାଡୁ ତିଆରି କରିବା ଲାଗି ଖୁବ୍ ଆଗ୍ରହୀ ଥିଲୁ (ବୋହତ୍ ମନ୍ କର୍ତେ ଥେ) । ଏବଂ ଆମର ଏହି ଆଗ୍ରହ ଏବେ ବି ରହିଛି ।” ସେ ତାଙ୍କ ମାଆ ରୁକ୍ମଣୀଙ୍କ ପାଖରୁ ଏହି କାରିଗରୀ ଶିଖିଥିଲେ ଏବଂ ତାଙ୍କର ତିନି ଛୋଟ ଭାଇଭଉଣୀଙ୍କୁ ଏହା ଶିଖାଇବାକୁ ଚାହାଁନ୍ତି ।
ତାଙ୍କ ସଂପର୍କୀୟା ଭଉଣୀ ଭାଗବତୀ ମଧ୍ୟ ପରିବାରର ଏହି କାରିଗରୀକୁ ନେଇ ସମଭାବରେ ଉତ୍ସାହିତ, ଅଥଚ ସେ ଅଧିକ ବାସ୍ତବବାଦୀ: “କ୍ୟୁଁ କି ଜବ୍ ମେହନତ କରେଙ୍ଗେ ତୋ ଖାନେ କୋ ମିଲେଗା ଔର ମେହନତ ନହିଁ କରେଙ୍ଗେ ତୋ କ୍ୟା ଖାୟେଙ୍ଗେ (ଖାଇବା ଲାଗି ଆମକୁ କଠିନ ପରିଶ୍ରମ କରିବାକୁ ପଡ଼ିବ । ଆମେ ଯଦି କାମ ନ କରିବୁ, ତେବେ କ’ଣ ଖାଇବୁ)?” ସେ ପଚାରନ୍ତି । “ଆମେ ଯଦି ଝାଡୁ ତିଆରି ନ କରିବୁ ତେବେ କ’ଣ ଖାଇବୁ ?” ତାଙ୍କ ମାଆ ସୋନି ଦେବୀଙ୍କର ଏହି କଥା ଶୁଣି ଶୁଣି ସେ ବଡ଼ ହୋଇଛନ୍ତି । ରାଜସ୍ଥାନର ମେୱାର ଅଞ୍ଚଳରୁ ପଞ୍ଜାବ ଯାତ୍ରା କରୁଥିବା ଅନ୍ୟ ଝାଡୁ କାରିଗରମାନେ ମଧ୍ୟ ଏହି ମନୋଭାବ ପ୍ରକାଶ କରିଥାଆନ୍ତି ।





















