ୱାୟନାଡ଼ର ପାହାଡ଼ିଆ ଢାଲୁରେ, ଯେଉଁଠି ସବୁଜ ଉପତ୍ୟକାରେ କୁହୁଡ଼ିର ଘନ ଆସ୍ତରଣ ପଡ଼ିଥାଏ ଏବଂ ଲାଲମାଟି ପାହାଡ଼ରୁ କୁଳୁକୁଳୁ ଶବ୍ଦ କରି ଝରଣା ବୋହିଯାଏ, ସେଠାରେ ସମୟ ସହ ଲଢ଼େଇ କରି ମାଟିର ଏକ ଘର ଅଟଳ ହୋଇ ଛିଡ଼ା ହୋଇଛି । ଏହାର ମାଟିକାନ୍ଥ ଖରାଦିନେ ଶୀତଳ ପବନର ଅନୁଭୂତି ଦିଏ, ମୃଦୁ ପବନରେ ଏହାର ବାଉଁଶଗୁଡ଼ିକ କର କର ଶବ୍ଦ କରେ, ଆଉ ଏହାର ଓଜନଦାର ରୋଜ୍ଉଡର ବିମ୍ଗୁଡ଼ିକ ୧୫୦ ବର୍ଷା ଋତୁର ଭାର ସହିଆସୁଛି । ଏହାର ଚଟାଣ ଲାଲ ମାଟିରେ ତିଆରି, ଯାହାକୁ ପ୍ରତି ସପ୍ତାହରେ ଗୋବରରେ ଲିପାପୋଛା କରି ଚିକ୍କଣ କରାଯାଏ ।
କେରଳର ମାନନ୍ଥୱାଡ଼ି ସହର ନିକଟ କାମ୍ମାନା ଗାଁର ଏହି ଘରଟିରେ, ଧାନ ବିହନ ନିଜ ନିଜର କାହାଣୀ ଫିସ୍ଫିସ୍ କରି କହନ୍ତି ।
ଏହି ବିହନଗୁଡ଼ିକର ରକ୍ଷକ ହେଉଛନ୍ତି କୁରଚିୟା ସମ୍ପ୍ରଦାୟର (ରାଜ୍ୟରେ ଅନୁସୂଚିତ ଜନଜାତି ଭାବେ ତାଲିକାଭୁକ୍ତ) ଚେରୁଭାୟଲ ରାମଣ । ଧାନଚାଷରେ ଦକ୍ଷତା ପାଇଁ ତାଙ୍କ ସମ୍ପ୍ରଦାୟ ଦିନେ ସମଗ୍ର ମାଲାବାର ଅଞ୍ଚଳରେ ବେଶ୍ ଜଣାଶୁଣା ଥିଲା । ଦଶନ୍ଧି ଦଶନ୍ଧି ଧରି ଆର୍ଥିକ ଅନଟନ, ଭଗ୍ନସ୍ୱାସ୍ଥ୍ୟ ଏବଂ ସରକାର ତଥା ଅନ୍ୟାନ୍ୟ ସଂସ୍ଥାର ଅବହେଳା ସତ୍ତ୍ୱେ, ଏହି ୭୩ ବର୍ଷୀୟ ଚାଷୀ ପାରମ୍ପରିକ ବିହନଗୁଡ଼ିକୁ ସାଇତି ରଖିଛନ୍ତି ।
"ଏଗୁଡ଼ିକ [ବିହନ] ଆମର ଜୀବନ୍ତ ପୂର୍ବପୁରୁଷ," ବୋଲି ରମଣ କହନ୍ତି । ଲୋକେ ତାଙ୍କୁ ଶ୍ରଦ୍ଧା ଓ ସମ୍ମାନର ସହ ‘ରାମେଟ୍ଟାନ୍’ ବୋଲି ଡାକନ୍ତି । ତାଙ୍କୁ କେରଳର କୃଷି-ଆତ୍ମାର ରକ୍ଷକ ଭାବେ ବିବେଚନା କରାଯାଏ – ଏହା ଏପରି ଏକ ଭୂମି ଯେଉଁଠି ଏକଦା ଗୋଟିଏ ପରିବାରର ସମ୍ପତ୍ତି, ସେହି ପରିବାରର ଅମାରରେ ଗଚ୍ଛିତ ଥିବା ବିଭିନ୍ନ କିସମର ଧାନରୁ ଆକଳନ କରାଯାଉଥିଲା ।
ରମଣ ତାଙ୍କ ପୈତୃକ ଜମିକୁ ବିବିଧତାର ଏକ ଜୀବନ୍ତ ସଂଗ୍ରହାଳୟରେ ପରିଣତ କରିଛନ୍ତି । ତାଙ୍କ ଅମାରରେ ୱାୟନାଡ଼ର ୫୦ଟି ସ୍ଥାନୀୟ ପାରମ୍ପରିକ କିସମ ଏବଂ କେରଳର ଅନ୍ୟାନ୍ୟ ଭାଗରୁ ସଂଗୃହୀତ ୧୪ଟି କିସମର ଧାନ ବିହନ ଗଚ୍ଛିତ ଅଛି । ସେ ପ୍ରତି ଋତୁରେ ଏଗୁଡ଼ିକୁ ଚାଷ କରନ୍ତି, ବିହନ ସଂରକ୍ଷଣ କରନ୍ତି ଏବଂ ପାରମ୍ପରିକ ଚାଷ ପ୍ରତି ଆଗ୍ରହୀ ଯେକୌଣସି ବ୍ୟକ୍ତି-ଯଥା ଆଦିବାସୀ ଚାଷୀ, ବ୍ୟକ୍ତିଗତ ଚାଷୀ, ଗବେଷକ ଏବଂ ଅନୁଷ୍ଠାନଗୁଡ଼ିକୁ ମାଗଣାରେ ବାଣ୍ଟନ୍ତି । "ପ୍ରତ୍ୟେକ ଧାନର ଏକ ଆତ୍ମା ଅଛି," ବୋଲି ସେ କହନ୍ତି । "ଏହା ମାଟି, ବର୍ଷା ଏବଂ ପିଢ଼ି ପରେ ପିଢ଼ିର ପରସ ମନେ ରଖିଥାଏ । ଯଦି ଆପଣ ଏହାକୁ ହରାନ୍ତି, ତାହାହେଲେ ଆପଣ ଆପଣଙ୍କର ଇତିହାସକୁ ହରାଇ ବସିବେ ।"
ତାଙ୍କ ଘରର ଆଗ ବଖରାର ମ୍ଳାନ ଆଲୁଅରେ, ଗୋଟିଏ ଉପରେ ଗୋଟିଏ ବିରଳ କିସମର ଧାନ ଭର୍ତ୍ତି ଅଖା ବସ୍ତାଗୁଡ଼ିକ ଗଦା ହୋଇ ରହିଛି - ସତେ ଯେମିତି ଇତିହାସର ଏକ ଏକ ପ୍ରହରୀ । ପ୍ରତିଟି ବସ୍ତାରେ ମାଲୟାଲମ୍ ଭାଷାରେ ନାମ ଲେଖାଯାଇଛି, ଯାହା ଶୁଣିଲେ ଲୋରୀ ଭଳି ମନେହୁଏ: ଚେନ୍ନଲୁ, ଥୋଣ୍ଡି, ଚେମ୍ବାକମ୍, ଭେଲିୟାନ୍, ଗନ୍ଧକାଶାଳା, କାୟାମା ।
ରମଣ ‘ପରୀ’କୁ କହିଥିଲେ ଯେ ଗରମ ଗନ୍ଧକାଶାଳା ଭାତର ବାମ୍ଫରୁ ମଲ୍ଲୀ ଫୁଲ ଏବଂ ଚନ୍ଦନ ଭଳି ବାସ୍ନା ଆସେ, ଯାହା ପରିବେଶକୁ ମହକାଇ ଦିଏ; କାୟାମା, ଯାହାକୁ ଜୀରାକାଶାଳା ମଧ୍ୟ କୁହାଯାଏ, ସେଥିରୁ ଲହୁଣୀ ଭଳି ଏକ ବାସ୍ନା ଆସେ ଯାହା ମାଲାବାର ବିରିୟାନି ପରମ୍ପରାର ପରିଚୟ ଅଟେ ଏବଂ ଚେମ୍ବାକମ୍ର ସ୍ୱାଦ ମିଠା ଓ ରୁଚିକର ହୋଇଥାଏ, ଯାହା ପାୟସମ୍, ଏକ ମିଠା ବ୍ୟଞ୍ଜନ, ପ୍ରସ୍ତୁତ କରିବାବେଳେ ନଡ଼ିଆ କ୍ଷୀରରେ ଗୋଳି ହୋଇଯାଏ ।










