ରିଜୱାନା ହାଜିଙ୍କୁ ଦେଖିଲା ମାତ୍ରେ ପ୍ରଥମେ ଆପଣଙ୍କ ନଜରରେ ପଡ଼ିବ ତାଙ୍କର ସୁନ୍ଦର, ଛଳଛଳ, ବାଦାମୀ ରଙ୍ଗର ଆଖି ଦୁଇଟି । ସେ ତାଙ୍କର ଦୁଇ ଆଖିକୁ ପୋଛି ନିଅନ୍ତି, ଓଢ଼ଣିର ଆବରଣ ତଳେ ସଯତ୍ନେ ସାଇତି ନିଅନ୍ତି ତାଙ୍କ କେଶ, ଏବଂ ଅନ୍ତରଙ୍ଗ ସ୍ୱରରେ ମୋତେ କହନ୍ତି ଯେ, କଳା ଚଷମା କେବଳ ପୁରୁଷମାନଙ୍କ ପାଇଁ ।
“ତାକୁ ମୋ ସ୍ୱାମୀ ପିନ୍ଧନ୍ତି,” ମୁଣ୍ଡ ହଲାଇ ଶରିଫଙ୍କ ଆଡ଼କୁ ଇଙ୍ଗିତ କରି ସେ କହନ୍ତି । ନିକଟବର୍ତ୍ତୀ ଏକ ଲୁଣ କ୍ଷେତରେ ଗୋଟିଏ ଖୁରୁପିରେ ଲୁଣର ସ୍ଫଟିକ ଚାଞ୍ଛିବାରେ ଲାଗିଥାନ୍ତି ଶରିଫ, କଳା ଚଷମା ଆଢୁଆଳରେ ଲୁଚି ରହିଥାଏ ତାଙ୍କ ଆଖି ଦୁଇଟି ।
“ଆପଣ କାହିଁକି ପିନ୍ଧୁ ନାହାନ୍ତି?” ମନଖୋଲା ହସଟିଏ ହସନ୍ତି ସେ, ସତେ ଯେମିତି ଏ ପ୍ରସ୍ତାବ ସଂପୂର୍ଣ୍ଣ ଅସମ୍ଭବ ଏବଂ ଅଜବ ମଧ୍ୟ । “ଏଠି ବୟସ୍କ ଲୋକମାନେ ଅଛନ୍ତି । ସେମାନେ କ’ଣ କହିବେ ! ଆମ ସଂପ୍ରଦାୟରେ, ମହିଳାମାନେ କଳା ଚଷମା ପନ୍ଧନ୍ତି ନାହିଁ,” କହିଲା ବେଳେ ହାତକୁ ସେ ଏପରି ଢଙ୍ଗରେ ହଲାନ୍ତି ଯେ ସତେ ଯେମିତି ମୋ ପ୍ରଶ୍ନକୁ ପୋଛି ଲିଭାଇ ଦେଉଛନ୍ତି । ଆଉ ଥରେ ସେ ତାଙ୍କର ଛଳଛଳ ଆଖି ଦୁଇଟିକୁ ପୋଛି ନିଅନ୍ତି, ଏବଂ କହନ୍ତି, “ମୋତେ ଲାଜ ମାଡୁଛି ।” ତାଙ୍କ କଥା ଭଳି ତାଙ୍କ ଲାଜେଇ ଯିବା ଢଙ୍ଗ ବି ମନକୁ ଛୁଇଁଯାଏ ।
ରିଜୱାନାଙ୍କ ଆଖିରେ ଅନବରତ ପାଣି ଜମି ରହି ତାଙ୍କ ଦୃଷ୍ଟିରେ ବାଧା ଉତ୍ପନ୍ନ କରିବାର କାରଣ ହେଉଛି ଲଗାତାର ଶୁଷ୍କ ଓ ଲବଣାକ୍ତ ପବନ ସଂସ୍ପର୍ଶରେ ଆସି ଏଥିରେ ମିଶି ରହିଥିବା ଧୂଳି ଏବଂ ଲବଣ କଣିକା ତାଙ୍କ ଆଖିରେ ପଡୁଥାଏ ଏବଂ ଆଖିର ଜଳୀୟ ଅଂଶ କମିବା ସହିତ ଏହା ଧୀରେ ଧୀରେ ଶୁଖି ନଷ୍ଟ ହେବାରେ ଲାଗିଥାଏ । ଗୁଜରାଟର ଲୁଣ କିଆରିରେ କାର୍ଯ୍ୟରତ ଶ୍ରମିକ- ଅଗରିୟାମାନଙ୍କ କ୍ଷେତ୍ରରେ ଏହା ଆଉ ଏକ ସାଧାରଣ ରୋଗ । ଅଗରିୟା ପଦ ଆସିଛି “ଅଗର”ରୁ, ଗୁଜରାଟୀରେ ଯାହାର ଅର୍ଥ ଲୁଣ କ୍ଷେତ, ଏବଂ ଯାହା କଚ୍ଛ ଅନ୍ତର୍ଗତ କ୍ଷୁଦ୍ର ରଣ ଅଞ୍ଚଳରେ ପ୍ରାୟ ୫,୦୦୦ ବର୍ଗ କିଲୋମିଟର ପରିବ୍ୟାପ୍ତ । ରଣ ହେଉଛି ଗିନା ଆକୃତିର ଏକ ତଳିଆ ଅଞ୍ଚଳ, ଯାହା ବର୍ଷା ଦିନେ ସନ୍ତସନ୍ତିଆ ହୋଇଯାଏ, କିନ୍ତୁ ଗ୍ରୀଷ୍ମ ଓ ଶୀତଦିନେ ଶୁଷ୍କ ରହିଥାଏ ।
ମରୁଭୂମିରୁ ଆର୍ଦ୍ରଭୂମିରେ ପରିଣତ ହେବାର ଏହି ପ୍ରକ୍ରିୟା ଯୋଗୁଁ ରଣର ଏହି ଅନନ୍ୟ ଭୂଭାଗ ଅସାଧାରଣ ଜୈବ ବିବିଧତାରେ ଭରିଯାଏ । ବର୍ଷା ଋତୁରେ ଏହା ଫ୍ଲେମିଙ୍ଗୋ ଓ ପେଲିକାନ ଭଳି ବିଦେଶାଗତ ପକ୍ଷୀଙ୍କ ଅଭୟାରଣ୍ୟ ଏବଂ ବର୍ଷ ସାରା ଏହା କୃଷ୍ଣସାର ମୃଗ, ବାରହା ଏବଂ ହରିଣ ଭଳି ଜୀବମାନଙ୍କ ପାଇଁ ସୁରକ୍ଷିତ ଚରାଭୂଇଁ । ବନ୍ୟପ୍ରାଣୀଙ୍କ ଆଗମନରୁ ଆଗାମୀ ବର୍ଷ କେଉଁ ଭଳି କଟିବ ତାହାର ପୂର୍ବାଭାସ ମିଳିଥାଏ ଏବଂ ଏଥିପାଇଁ ଏଠାକାର ଲୋକମୁଖରେ କଥାଟିଏ ରହିଛି ଯେ: କଛମା କାଲେ ଶୁ ଆବସେ, ଏ ଆଜେଜ ଦେଖାଏ । (କଛରେ, ଆସନ୍ତାକାଲିକୁ ଆଜି ହିଁ ଦେଖିହୁଏ)।
ଥରେ ପାଣି ଗଡ଼ିଗଲେ, ଅଗରିୟାମାନେ ପହଞ୍ଚି ଯାଆନ୍ତି, ତମ୍ବୁ ପକାନ୍ତି ଏବଂ ସେଠାରେ ଆଠ ମାସ କାଳ ରହି ଭୂତଳ ଲୁଣାପାଣିକୁ ଲୁଣରେ ପରିଣତ କରନ୍ତି । ସେମାନେ ଭାରତର ୭୫ ପ୍ରତିଶତରୁ ଅଧିକ ଲୁଣ ଉତ୍ପାଦନ କରନ୍ତି ।
ଏହି ରଣ ଏକ ସରଳରେଖା ସମୂହର ସଂସାର: ଲୁଣ କିଆରିର ଧଳା ଧଳା ହିଡ଼, ବର୍ଗାକାର ସୌରଶକ୍ତି ପ୍ୟାନେଲ ଏବଂ ଅନେକ ଆୟତକ୍ଷେତ୍ରକୁ ଭୂମି ଉପରେ ଏଭଳି ସମାନ ଭାବରେ ଖଞ୍ଜି ଦିଆଯାଇଛି ଯେ ଏହା ଏହି ସବୁ ଲୁଣ କ୍ଷେତର ନିର୍ମମ ରୂପରେଖକୁ ଆହୁରି ଖୋରାକ ଯୋଗାଏ । ଦିନ ୧୦ଟାରେ, ରଣରେ ସୂର୍ଯ୍ୟ ଯେମିତି ଅଗ୍ନିବର୍ଷୀ ଏକ ତରଳ ଗୋଲାକାର ପିଣ୍ଡ, ଚାରିଆଡ଼େ ଅନୁଭୂତ ହୁଏ ଅସହ୍ୟ ଖରା ତାତି । ଏହା ଏକ ଭିନ୍ନ ଜଗତର ଇଲାକା, ଯେଉଁଠି ଦିଗନ୍ତ ଯାଏଁ ବିସ୍ତାରିତ ଲୁଣର ମୋଟା ମୋଟା ପରସ୍ତ । ଉଭୟ ତଳ ଓ ଉପର ଶୁଭ୍ରତାର ସମ୍ମିଶ୍ରଣରୁ ସୃଷ୍ଟ ଉଜ୍ଜ୍ୱଳ ଦୃଶ୍ୟପଟ୍ଟ ଉଗ୍ରତାର ସୀମା ଛୁଇଁ ଯାଏ । ଖରା ସବୁଥିରୁ ପାଣି ଶୋଷି ନିଏ: ଓଠ ଫାଟେ, ଶୋଷରେ ତଣ୍ଟି ପୋଡ଼େ, ଆଖିରେ ସବୁବେଳେ ପାଣି ଜମେ ଏବଂ ପାଦ ତଳର ଶୁଖିଲା ଭୂଇଁ ଭଳି ଗୋଇଠି ଫାଟି ତଳିପାଦରେ ଯନ୍ତ୍ରଣାଦାୟକ ଗଭୀର ଫାଟ ଦେଖାଦିଏ ।














