ଗହମର ସବୁଜ କ୍ଷେତ ସବୁ ଯେତେବେଳେ ସୁନେଲି ରୂପ ନେଉଥାଏ, ସେତେବେଳେ ଦଲବାରା ସିଂହଙ୍କ ଦୁଶ୍ଚିନ୍ତା ମଧ୍ୟ ପରିପକ୍ୱ ହୋଇଉଠୁଥାଏ । ଆଗକୁ ଫସଲ ଅମଳ ସମୟ ଆସିଯିବ । ଏଣିକି ଡିଜେଲ କେବଳ ଆଉ ଏକ ଇନ୍ଧନ ହୋଇ ରହିବନି, ବରଂ ଜୀବନରେଖାରେ ପରିଣତ ହେବ । ସେହି କାରଣରୁ ହିଁ ସବୁବେଳେ ତାଙ୍କ ଡିଜେଲ ଡ୍ରମକୁ ପୂରା କରି ରଖିବା ସକାଶେ, ବର୍ଣ୍ଣାଲା ଜିଲ୍ଲା ଅନ୍ତର୍ଗତ ପତ୍ତି ଗାଁର ଏହି ଭୂମିହୀନ ଦଳିତ ଚାଷୀ ଜଣକ ବିନା ଦ୍ୱିଧାରେ ବର୍ଷକୁ ୧୮ ପ୍ରତିଶତ ସୁଧ ହାରରେ ଟଙ୍କା ଋଣ କରିଛନ୍ତି ।
ତିନି ଭାଇଙ୍କ ସହିତ ମିଶି ୫୫ ବର୍ଷୀୟ ଦଲବାରା, ଜଣେ ପ୍ରବାସୀ ଭାରତୀୟଙ୍କ ପାଖରୁ ଲିଜ୍ ସୂତ୍ରରେ ନେଇଥିବା ୨୦ ଏକର ଜମି ଚାଷ କରନ୍ତି । ଏବଂ ଅମଳ ଋତୁରେ ଗହମ କାଟି ଦୁଗ୍ଧ ଚାଷୀଙ୍କୁ ନଡ଼ା ଯୋଗାଇ ଦେବା ଲାଗି ଜଣେ ‘ସାମୟିକ ଅମଳକାରୀ’ ରୂପେ ଅନ୍ୟମାନଙ୍କ ଜମିରେ ମଧ୍ୟ କାମ କରନ୍ତି । ସେ ତାଙ୍କ ଟ୍ରାକ୍ଟର ଓ ଫସଲ କଟା ମେସିନ ଆଡ଼କୁ ଆଙ୍ଗୁଠି ଦେଖାଇ କହନ୍ତି, “ଏଗୁଡ଼ିକ ସବୁ ଖାଲି ପିଇବାକୁ ରହିଛନ୍ତି । ଯଦି ପୂରା ଦମ୍ରେ ଚାଲିବେ, ତେବେ ଡିଜେଲର ଏହି ପୂରା ଡ୍ରମ୍ ମାତ୍ର ଦୁଇ ଦିନରେ ଶେଷ ହୋଇଯିବ ।”
ହେଲେ ଏତେ ଚଢ଼ା ସୁଧହାରରେ କରଜ କାହିଁକି ? “ମୋର ଆଉ କି ଅନ୍ୟ ଉପାୟ ଅଛି? ଯଦି ସପ୍ତାହକ ପରେ ମୋତେ ଡିଜେଲ ନ ମିଳେ, ତେବେ କ’ଣ ହେବ ? ମୋର ପୂରା ଫସଲ ପଚି ନଷ୍ଟ ହୋଇଯିବ । ମୁଁ ଏହାକୁ ମୋ ପିଲାଙ୍କ ଭଳି ବଢ଼ାଇଛି,” ସେ କହନ୍ତି । ଦଲବାରାଙ୍କ ଆୟ ହିସାବ କରିବା କଷ୍ଟକର । କାହିଁକି ନା ବର୍ଷକରୁ ଅଧିକ କାଳ ହେଲା ସେ କିଛି ରୋଜଗାର କରିନାହାନ୍ତି । କିନ୍ତୁ ତାଙ୍କ କ୍ଷତି ଓ ଋଣ ଭାର ବଢ଼ିବାରେ ଲାଗିଛି ।
ପଞ୍ଜାବର ଚାଷୀଙ୍କ ପାଇଁ ଇରାନ ସହିତ ଆମେରିକା-ଇସ୍ରାଏଲର ଯୁଦ୍ଧର ଅର୍ଥ ହେଉଛି ଅଧିକ ଋଣଭାର । କିନ୍ତୁ ଦଲବାରା ସିଂହ ଓ ତାଙ୍କ ଭଳି ଆହୁରି ଅନେକ, ଯେଉଁମାନଙ୍କ ପିଲାମାନେ ବିଭିନ୍ନ ଉପସାଗରୀୟ ଦେଶରେ ଶ୍ରମିକ କିମ୍ବା ଅର୍ଦ୍ଧକୁଶଳୀ କର୍ମଚାରୀ ଭାବେ କାମ କରନ୍ତି, ସେମାନଙ୍କ ପାଇଁ ଏହା ଆହୁରି ବଡ଼ ସଂକଟ । ଯୁଦ୍ଧ ଯୋଗୁଁ ସେମାନଙ୍କ ଭବିଷ୍ୟତ ବିପନ୍ନ ହେବାର ଆଶଙ୍କା ବି ଲାଗି ରହେ । ପୁଅକୁ ସାଇପ୍ରସ ପଠାଇବା ପାଇଁ ଗତ ମାସରେ ହିଁ ସେ ୪ ଲକ୍ଷ ଟଙ୍କା ଧାର କରିଥିଲେ । ସାଇପ୍ରସ ପଶ୍ଚିମ ଏସିଆର ଏକ ଦେଶ (ଭୂ-ରାଜନୈତିକ ଦୃଷ୍ଟିରୁ ୟୁରୋପର ଅଂଶ ରୂପେ ବିବେଚିତ) ଏବଂ ପର୍ଯ୍ୟଟନ ଓ ଜାହାଜ ଚଳାଚଳ ଉପରେ ନିର୍ଭର କରେ। ଏବକାର ଯୁଦ୍ଧ ଯୋଗୁଁ ଏହାର ଉଭୟ କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଛି । “କିନ୍ତୁ କୌଣସି କାମ ପାଇପାରି ନଥିବାରୁ ମୋ ପୁଅ ଖୁସି ନୁହଁ । ତେଣୁ ଏବେ ସେ ଅଶାନ୍ତିରେ ଅଛି ଏବଂ ଫେରି ଆସିବାକୁ ଚାହୁଁଛି,” ସେ କହନ୍ତି । ଆମ ସହିତ କଥାବାର୍ତ୍ତା କରୁଥିବା ସମୟରେ ସେ ସରଳ ଭାବରେ ନିଜ ଭାଗ୍ୟକୁ ଦୋଷ ଦେଇ ଚାଲିଥିଲେ ଏବଂ ଥରେ ହେଲେ ଯୁଦ୍ଧ କଥା କହି ନଥିଲେ ।
ଗହମ ଅମଳ ସମୟ ପାଖେଇ ଆସୁଥିବାରୁ, ଏବଂ ଯୁଦ୍ଧ ଯୋଗୁଁ ଉପୁଜିଥିବା ଅନିଶ୍ଚିତତା ଲାଗି ରହିଥିବା ବେଳେ, ଅନେକ ଚାଷୀ ପନ୍ଦର ଦିନ ଆଗରୁ ଡିଜେଲ କିଣିବା ଆରମ୍ଭ କରିଦେଇଛନ୍ତି । ବିଭିନ୍ନ ପେଟ୍ରୋଲ ପମ୍ପରେ, ପଛ ଡାଲାରେ ଖାଲି ଡିଜେଲ ଡ୍ରମ ସବୁ ରଖିଥିବା ଅନେକ ଟ୍ରାକଟରର ଲମ୍ବା ଧାଡ଼ି ଆପଣ ଦେଖିପାରିବେ । “ସେମାନେ ସମସ୍ତେ ଅତି ଅଧିକ ସୁଧହାରରେ ଟଙ୍କା ଋଣ କରୁଛନ୍ତି,” ପାଟିଆଲା ଜିଲ୍ଲାରେ ଭାରତୀୟ କିଷାନ ୟୁନିଅନ (ଦାକୌନ୍ଦା)ର ଜଣେ ନେତା ରଘୁବୀର ସିଂହ ଡକାଲା କହନ୍ତି ।




