ଶ୍ରୀନଗର ନିକଟରେ ଥିବା ହାରୱାନର ନିରବ ରାସ୍ତା ଜୋରଦାର ଝଣଝଣ ଶବ୍ଦରେ ଭରି ହେଇଯାଉଛି। ମହମ୍ମଦ ଆଫଜାଲ ଓ ସାଜିଦ ଖାଁ ଆଖରୋଟ (ଯୁଗଲାନ୍ସ ରେଗିଆ) ଗଛକୁ ଝାଡୁଛନ୍ତି, ଓ ଆଖପାଖରେ ଥିବା ଘରଗୁଡ଼ିକର ଟିଣ ଛାତ ଉପରେ ଟାଣ ଆଖରୋଟଗୁଡ଼ିକ ବାଡ଼େଇ ହେଇ ପଡୁଥିବା ବେଳେ ଏହି ଶବ୍ଦ ଉତ୍ପନ୍ନ ହେଉଛି।
ପ୍ରାୟ ଶହେ ଫୁଟ ବା ଦଶ ମହଲା କୋଠା ଉଚ୍ଚତାରୁ ଆଖରୋଟ ଝାଡ଼ିବା ହେଉଛି ଏକ ବିପଦଜନକ କାମ। ତେଣୁ, ଯେଉଁ ଲୋକମାନେ ଆଖରୋଟ ଅମଳ କରନ୍ତି, ସେମାନେ ଅତ୍ୟନ୍ତ ଦକ୍ଷ ଓ ସେମାନଙ୍କୁ ଛାନନ ୱଲ (ଆଖରୋଟ ପିଟାଳି) ବୋଲି କୁହାଯାଏ। ଜାମ୍ମୁସ୍ଥିତ ରାଜୌରୀ ନିବାସୀ ମହମ୍ମଦ ଆଫଜଲ ଗତ ଛ’ ବର୍ଷ ହେଲା ଆଖରୋଟ ପିଟାଳି ଭାବେ କାମ କରୁଛି। ପ୍ରତି ବର୍ଷ ବକରୱାଲ ଗୋଷ୍ଠୀର ୨୪-ବର୍ଷୀୟ (ରାଜ୍ୟରେ ଅନୁସୂଚୀତ ଜନଜାତି ଭାବେ ତାଲିକାଭୁକ୍ତ ଗୋଷ୍ଠୀ) କାଶ୍ମୀରକୁ ଯାଇ କାମ କରେ। “ମତେ ଡର ଲାଗେ”, ସେ କହେ “କାରଣ ଗଛଗୁଡ଼ିକ ବହୁତ ବଡ଼”। ଆଖରୋଟ ତୋଳିବା ଛଡ଼ା ଅକ୍ଟୋବର ଓ ନଭେମ୍ବରରେ ସେ ସେଓ ପ୍ୟାକେଜିଂ ଓ ଗଛ କାଟିବା କାମ କରି ଦିନକୁ ୫୦୦ରୁ ୭୦୦ ଟଙ୍କା ପାଏ। ଏହି ସମୟରେ ଆଫଜଲ ଓ ଅନ୍ୟ ଆଖରୋଟ ଝଡ଼ାଳିମାନେ ବଗିଚା ନିକଟରେ ଉଠା-ତମ୍ବୁ ପକେଇ ରହନ୍ତି।
ଅଗଷ୍ଟରୁ ଅକ୍ଟୋବର ଭିତରେ ଅମଳ ସମୟରେ ଆଫଜଲର ଦିନ ସକାଳ ୭ ଟାରେ ଆରମ୍ଭ ହୋଇ ପ୍ରାୟତଃ ସନ୍ଧ୍ୟା ଛ’ଟାରେ ଶେଷ ହୁଏ। ଗଛର ଉଚ୍ଚତାକୁ ଘେନି ସେ ଦିନକୁ ପ୍ରାୟ ଚାରି ପାଞ୍ଚଟି ଗଛରୁ ଝାଡ଼େ, ଗଛ ଉପରେ ଚଢ଼ି ସବୁଠୁ ଉପର ଡାଳରେ ଥିବା ଆଖରୋଟକୁ ୱିଲୋ କିମ୍ବା ଅନ୍ୟ ଶକ୍ତ କାଠରୁ ତିଆରି ଲମ୍ବା ବାଡ଼ିରେ ପିଟି ଝାଡ଼େ।
ଆଖରୋଟ ଝାଡ଼ିବା ଆଫଜଲକୁ ଅତି କଷ୍ଟକର କାମ ଭଳି ଲାଗେ। “ଏହା ଅତି ବିପଦଜନକ କାମ”, ସେ କହେ। “ଗଛ ଉପରେ ନିଜର ଭାରସାମ୍ୟ ରଖି ହାତରେ ପ୍ରାୟ ପାଞ୍ଚ କେଜି ଓଜନର ବାଡ଼ି ଧରି ସେଥିରେ ଆଖରୋଟଗୁଡ଼ିକୁ ଜୋର ଦେଇ ବାଡ଼େଇବା ପାଇଁ ଜଣେ ଅଧିକ ଭାବେ ଚଳଚଞ୍ଚଳ ହେବା ଦରକାର”।
ବଡ଼ଗାଓଁ ଭଳି ସ୍ଥାନରେ କେତେକ ଆଖରୋଟ ଗଛ ୧୫୦ ଫୁଟ ଉଚ୍ଚ ହୋଇଥାଏ। “ବର୍ଷା ଦିନେ ଆମେ ଗଛ ଚଢୁନାହୁଁ, କାରଣ ସେଗୁଡ଼ିକ ପିଚ୍ଛିଳ ହୋଇଥାଏ”, ଆଫଜଲ ଜଣାଏ। “ଭାଗ୍ୟ ଭଲ ଯେ ମୁଁ କେବେ ଅଘଟଣର ସମ୍ମୁଖୀନ ହୋଇନାହିଁ”।
କିନ୍ତୁ ତା’ର ସୁରକ୍ଷା ବାବଦରେ ପରିବାର ଲୋକେ ବହୁତ ଚିନ୍ତିତ। “ମୋ ମା’ ମୁଁ ଏହି କାମ କରିବା ଚାହେଁ ନାହିଁ କାରଣ ଆମ ଗାଁର ବହୁତ ଲୋକ ଗଛରୁ ପଡ଼ି ମରିଛନ୍ତି”, ସେ ମାନିଯାଏ।














