‘‘ମୁଁ କେବଳ ଗାଧୋଇବା ପାଇଁ ଘରକୁ ଯାଏ,’’ ମିର୍ଜା ମହମ୍ମଦ ଖାନ ଥଟ୍ଟାଳିଆ ଭାବେ କୁହନ୍ତି। ସେ ଶ୍ରୀନଗରରୁ ଗୁରେଜ ଉପତ୍ୟକାକୁ ଯାଉଥିବା ପର୍ଯ୍ୟଟକଙ୍କ ପାଇଁ ଥିବା ଗୋଟିଏ ମାତ୍ର ଦୋକାନ ତ୍ରଗବଲ ଟିଷ୍ଟଲ୍ ଚଳାନ୍ତି। କାଶ୍ମୀରର ଏହି କମ୍ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳରେ ଥିବା ଷ୍ଟଲ୍ ଏବଂ ସେଥିରେ ଲାଗିଥିବା ହୋର୍ଡିଂକୁ ଅଣଦେଖା କରାଯାଇପାରିବ ନାହିଁ।
‘‘ଆମକୁ ଚାରି ଦିନରେ ଥରେ ୫୦୦ ଲିଟର ପାଣି ମିଳିଥାଏ,’’ ୩୨ ବର୍ଷୀୟ ଷ୍ଟଲ୍ ମାଲିକ ଆଗକୁ କୁହନ୍ତି । ‘‘ଏଥିରେ ଚା’ କରିବା, ବାସନ ମାଜିବା ଏବଂ ଅନ୍ୟାନ୍ୟ ଜରୁରୀ କାମ କରିବାକୁ ହୋଇଥାଏ। ମୁଁ ଏଠାରେ ଗାଧୋଇ ୨୦-୩୦ ଲିଟର ପାଣି ନଷ୍ଟ କରିପାରିବି ନାହିଁ! ପ୍ରତ୍ୟେକ କପ୍ ପାଣିର ମୂଲ୍ୟ ରହିଛି,’’ ସେ ଆହୁରି କହିଥାନ୍ତି।
ରଜଦାନ ପାହାଡ଼ କୋଳରେ, ତ୍ରଗବାଲର ଏହି ସ୍ଥାନରେ ମିର୍ଜା ୧୨ ବର୍ଷ ହେଲା ଦୋକାନ ଚଳାଇଛନ୍ତି, ପର୍ଯ୍ୟଟକମାନଙ୍କୁ ଚା’, କଫି, ମ୍ୟାଗି ନୁଡଲ୍ସ ଏବଂ ହାଲୁକା ଜଳଖିଆ ଯୋଗାଇ ଦେଉଛନ୍ତି। ‘‘ମୁଁ ଏହାକୁ ମୋର ଦ୍ୱିତୀୟ ଘର ବୋଲି କହିଥାଏ କାରଣ ମୁଁ ଏଠାରେ ବୁଧବାରଠାରୁ ରବିବାର ପର୍ଯ୍ୟନ୍ତ ସପ୍ତାହରେ ପାଞ୍ଚ ଦିନ ରୁହେ। ମୁଁ ସୋମବାର ଘରକୁ ଯାଏ କାରଣ ଏହା ଏକ କାର୍ଯ୍ୟ ଦିବସ ହୋଇଥିବାରୁ ଆମେ ବହୁତ କମ୍ ପର୍ଯ୍ୟଟକ ପାଇଥାଉ,’’ ମିର୍ଜା କୁହନ୍ତି। ଏଠାରୁ ପ୍ରାୟ ୩୦ କିଲୋମିଟର ଦୂର ଉତ୍ତର କାଶ୍ମୀରର ବାନ୍ଦିପୁର ଅଞ୍ଚଳର ପେଠକୁଟରେ ତାଙ୍କର ପାରିବାରିକ ଘର ଅଛି। ତ୍ରଗବାଲରେ ମିର୍ଜା ତାଙ୍କ ଦୋକାନରେ ଶୋଇଥା’ନ୍ତି, ଯେଉଁଠି ଗୋଟିଏ ଷ୍ଟୋରରୁମ୍ ଏବଂ ୩ x ୬ ଫୁଟ୍ ଶୟନକକ୍ଷ ରହିଛି।








