ଆରବ ସାଗର ପୁଣିଥରେ ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଛି, ଯାହା ପାଲଘର ଜିଲ୍ଲାର ଦହାନୁ ଖାଡ଼ିର ଢେଉଖେଳା ବାଲିଚର ଏବଂ ଗଭୀର ଜଳପଥଗୁଡ଼ିକୁ ଗ୍ରାସ କରି ପକାଉଛି। ଅମିତା ତାଣ୍ଡେଲଙ୍କ ଆଖିରୁ ନିଦ ହଜିଯାଇଛି। ଜୁଆର ଆସିବା ସମୟକୁ ସେ ଅପେକ୍ଷା କରନ୍ତି, ଠିକ୍ ସମୟରେ ନିଦରୁ ଉଠିବା ପାଇଁ ଆଲାରାମ୍ ସେଟ୍ କରିଥାନ୍ତି। କପାଳରେ ଏକ ବ୍ୟାଟେରୀ-ଚାଳିତ ହେଡ୍ଲାଇଟ୍ ପିନ୍ଧି, ୧୦-୧୫ କିଲୋ ଓଜନର ଏକ ଜାଲ କାନ୍ଧରେ ପକାଇ ସେ ମଧ୍ୟ-ରାତିର ଅନ୍ଧକାର ଭିତରେ ଚାଲିଥାନ୍ତି। ଖାଡ଼ି ଆଡ଼କୁ ପ୍ରାୟ ୪୦୦ ମିଟର ଦୂରରେ ଆଉ ଜଣେ ମହିଳା ତାଙ୍କୁ ଅପେକ୍ଷା କରି ରହିଥାନ୍ତି। ସେ କୁହନ୍ତି, ‘‘ଏହା ହେଉଛି ବର୍ଷ ବର୍ଷର ଅଭିଜ୍ଞତା ଯାହା ଆମକୁ ଚନ୍ଦ୍ରର ଗତିବିଧିଗୁଡ଼ିକୁ ପଢ଼ିବା ଶିଖାଏ। ଏହା ଆମକୁ ଜୁଆର ଓ ଭଟ୍ଟା ସମୟ ବିଷୟରେ ଜଣାଇଥାଏ।”
‘‘ଆମ ସମାଜରେ, ପିଲାମାନେ ସେମାନଙ୍କ ବାପା-ମା’ଙ୍କୁ ମାଛ ଧରିବା ଦେଖି ବଡ଼ ହୋଇଥାନ୍ତି। ମୋ ବୟସ ଯେତେବେଳେ ୧୫ ବର୍ଷ ପାଖାପାଖି ଥିଲା, ମୋ ବାପା ମତେ ସାଙ୍ଗରେ ନେଉଥିଲେ। ସେ ମତେ ଜୁଆର-ଭଟ୍ଟା, ଚନ୍ଦ୍ର ଏବଂ ଖାଡ଼ିରେ ମାଛମାନେ କେଉଁ ଆଡ଼କୁ ଯିବାଆସିବା କରନ୍ତି ସେ ବିଷୟରେ ଶିଖାଇଥିଲେ।’’ ଏବେ ଅମିତାଙ୍କୁ ୬୦ ବର୍ଷ ଟପିଗଲାଣି। ସେ ତାଙ୍କ ବାପାଙ୍କ ପରି ଜୁଆରକୁ ପଢ଼ିବାରେ ପ୍ରାୟ ପାଞ୍ଚ ଦଶନ୍ଧି ଅତିବାହିତ କରିସାରିଛନ୍ତି।
ଥରେ ଖାଡ଼ି କୂଳରେ ପହଞ୍ଚିବା ପରେ ସେ ଏବଂ ତାଙ୍କ ସହ ଯାଇଥିବା ମହିଳା ଜଣକ ୧୦୦x୨୦ ଫୁଟର ଜାଲକୁ ଖୋଲି ମେଲାଇ ଦିଅନ୍ତି। ଶୀଘ୍ର ସେମାନେ ଜାଲର ଦୁଇ ପଟକୁ ଧରି ସମୁଦ୍ର ଭିତରକୁ ଯାଆନ୍ତି, ପରସ୍ପରଠାରୁ ପ୍ରାୟ ୩୦ ଫୁଟ ଦୂରତା ଥାଏ। ଦୁହେଁ ଜାଲକୁ ପାଣିରେ ବୁଡ଼ାଇ ଟାଣି ନେଇଥାନ୍ତି, ଆଖିରେ ଦେଖିବା ଅପେକ୍ଷା ଜାଲରେ କ’ଣ ପଡ଼ିଛି ତାହା ଅନୁଭବ କରିଥାନ୍ତି।
‘‘ରାତିରେ ପାଦ ତଳେ କ’ଣ ଅଛି, ତାହା ଦେଖିବା ସମ୍ଭବ ହୁଏ ନାହିଁ। ଆମଚ୍ୟା କପାଲାଲା ବ୍ୟାଟେରୀ ଆସ୍ତେ। ଫକ୍ତ ଲାଇଟ୍ଚ୍ୟା ସିଗ୍ନଲ୍ବର୍ ଚଲ୍ତାତ୍ (ଆମ କପାଳରେ ବ୍ୟାଟେରୀ ଲାଇଟ୍ ଲାଗିଥାଏ। ସେଥିରୁ ଆସୁଥିବା ମିଞ୍ଜି ମିଞ୍ଜି ଆଲୁଅ ହିଁ କେବଳ ଆମକୁ ସମନ୍ୱୟ ରକ୍ଷା କରିବାରେ ସାହାଯ୍ୟ କରେ)। ଖୁବ ଜୋରରେ ଢେଉ ଆସୁଥିବାରୁ ଗୋଟିଏ ମାତ୍ର ଭୁଲ୍ ଆପଣଙ୍କ ସନ୍ତୁଳନ ନଷ୍ଟ କରିଦେଇପାରେ। ପାଣି ଭିତରେ କେବେବି ସୁରକ୍ଷିତ ଲାଗେନାହିଁ। ବେଳେବେଳେ ଆମକୁ ପାଣିରେ ବେକ ପର୍ଯ୍ୟନ୍ତ ବୁଡ଼ି କାମ କରିବାକୁ ପଡ଼ିଥାଏ। ଆମେ କାମ କରିଚାଲୁ କାରଣ ଯଦି ମାଛ ନଧରି ଖାଲି ହାତରେ ଫେରୁ, ତେବେ ସେଦିନ ଆମର ରୋଜଗାର ହୁଏ ନାହିଁ।’’ ଅମିତା ପ୍ରାୟ ଚାରି ଘଣ୍ଟାରୁ ଅଧିକ ସମୟ ପାଣି ଭିତରେ ରହି କାମ କରନ୍ତି। ଯେପର୍ଯ୍ୟନ୍ତ ମାଛର ଓଜନ ତାଙ୍କ ହାତକୁ ଯଥେଷ୍ଟ ଲାଗେ ନାହିଁ, ସେପର୍ଯ୍ୟନ୍ତ ତାଙ୍କୁ କାମ କରିବାକୁ ପଡ଼େ।
ତାଙ୍କ ଭଳି ଅନେକ ପୁରୁଷ ଓ ମହିଳାଙ୍କ ପାଖରେ ନିଜର ଡଙ୍ଗା ନାହିଁ। ଦହାନୁ ତାଲୁକାର ବରୋର୍ ଗାଁଠାରୁ ମାତ୍ର କିଛି ମିଟର ଦୂରରେ ଥିବା ପ୍ରାୟ ୨୦ କିଲୋମିଟର ଦୀର୍ଘ ଏହି ଖାଡ଼ିରେ ସେମାନେ ହାତରେ ମାଛ ଧରିଥାନ୍ତି। ଏହା ଜୁଆର-ଭଟ୍ଟା ପ୍ରଭାବିତ ଅଞ୍ଚଳର ଏକ ଅଂଶ, ଭଟ୍ଟା ସମୟରେ ଏହାର ଅନେକ ଅଂଶ ଖାଲି ହୋଇଯାଏ, ଆଉ ସମୁଦ୍ର ଜଳ ଫେରି ଆସିଲେ ଏହା ପୁଣି ପାଣିରେ ବୁଡ଼ିଯାଏ। ‘‘ଯଦି ମୁଁ ସମୁଦ୍ରକୁ ନଯିବି, ତେବେ ଆମେ କ’ଣ ଖାଇବୁ?’’ ଅମିତାଙ୍କ ଏପରି ପ୍ରଶ୍ନ ସେହି ମତ୍ସ୍ୟଜୀବୀମାନଙ୍କ ଜୀବନ ଓ ଜୀବିକାର ବାସ୍ତବତାକୁ ଦେଖାଇଦିଏ।




















