ସାଢ଼େ ପାଞ୍ଚ ଦଶନ୍ଧି କାଳ ସଙ୍ଗତ ରାମଙ୍କ ପାଇଁ ଜୀବନ ଓ ମୃତ୍ୟୁ ମଧ୍ୟରେ ଦୂରତା ଥିଲା ନିହାତି ସାମାନ୍ୟ, କେଶ ଓସାରର । ବୁଢ଼ା ଆଙ୍ଗୁଠି ନଖରେ ବିଶି ଆଙ୍ଗୁଠିର ନଖକୁ ଛୁଆଁଇ ସେ ଆମକୁ ଏହି ଦୂରତା କଥା ବୁଝାଇ ଦେଉ ଦେଉ କହନ୍ତି, “ଏତିକି ଟିକେ, କେଶ ଓସାର ସହ ସମାନ ସନ୍ତୁଳନ ବିଗିଡ଼ି ଗଲେ ବି ଜଣେ ବୁଡ଼ିଯିବ ।” ଭୟଙ୍କର ବ୍ୟାସ ନଦୀର ବରଫ ଭଳି ଥଣ୍ଡା ପାଣିରେ ବାଟ କାଟି ଆଗକୁ ଯିବା ପିଲାଖେଳ ନୁହେଁ । ପବନ ଭର୍ତ୍ତି ହୋଇ ଫୁଲି ଟଳମଳ ହେଉଥିବା ବଳଦ ଚମଡ଼ାରେ ତ ଆଦୌ ନୁହେଁ । ହେଲେ, ଶହ ଶହ ବର୍ଷ ଧରି ଏଠାରେ ଏହା ହିଁ ଥିଲା ନଈ ପାର ହେବାର ଏକମାତ୍ର ଉପାୟ ।
ହିମାଚଳ ପ୍ରଦେଶର କୁଲ୍ଲୁ ଉପତ୍ୟକାରେ ରହୁଥିବା ୮୯ ବର୍ଷୀୟ ସଙ୍ଗତ ରାମ ହେଲେ ଶେଷ କେଇ ଜଣ ଜୀବିତ ତାରୁ (ନଈର ନାଉରିଆ)ମାନଙ୍କ ଭିତରୁ ଜଣେ । କିନ୍ତୁ ଅନେକ ଆଗରୁ ମରିଯାଇଛି ତାଙ୍କ ବୃତ୍ତି । ଏ ଶତାବ୍ଦୀର ପ୍ରାରମ୍ଭରୁ, ଏହାର ପ୍ରାସଙ୍ଗିକତା ସେତେବେଳେ କ୍ଷୟ ହେବାରେ ଲାଗିଲା, ଯେତେବେଳେ ବିଭିନ୍ନ ସ୍ଥାନରେ ପୋଲ ତିଆରି ହେଲା ଏବଂ ଝୁଲା (ହାତଟଣା ରୋପ୍ୱେ ଟ୍ରଲି) ଚାଲିଲା । ତା ପୂର୍ବରୁ, ସ୍ଥାନୀୟ ଦେବଦେବୀଙ୍କଠାରୁ ଆରମ୍ଭ କରି ରାଜାଙ୍କ ପର୍ଯ୍ୟନ୍ତ, ବାରାତ୍ରୁ ମୃତଦେହ ପର୍ଯ୍ୟନ୍ତ, ଫସଲରୁ କାଠଗଡ଼ ପର୍ଯ୍ୟନ୍ତ, ସାରା ଦୁନିଆର ଯେ କୌଣସି ଜୀବ ବା ଜିନିଷକୁ ସେ ତାଙ୍କ ‘ଦିରିୟା’ ‘ଉପରେ ରଖି ନଈ ପାରି କରାଉଥିଲେ ।
ବଳଦ ଚମଡ଼ାକୁ ଫୁଲାଇ ତିଆରି ହୋଇଥିବା ନୌକା ଭଳି ଏକ ଜଳଯାନର ନାଁ ଥିଲା ଦିରିୟା ଏବଂ ବ୍ୟାସ ନଦୀ ପାର ହେବା ଲାଗି ଏହା ହିଁ କାମରେ ଲାଗୁଥିଲା । ଦିରିୟା ସଂପର୍କିତ ଅନେକ କିମ୍ବଦନ୍ତୀ ଅନୁସାରେ ଦୁଇ ହଜାରରୁ ଅଧିକ ବର୍ଷ ତଳେ ଏହାର ପ୍ରଚଳନ ସେତେବେଳେ ଆରମ୍ଭ ହୋଇଥିଲା, ଯେତେବେଳେ ଆଲେକଜାଣ୍ଡାରଙ୍କ ସେନା ଭାରତରେ ଆଉ ଅଗ୍ରସର ହେବାକୁ ବିରୋଧ କରି ବିଦ୍ରୋହ ଆରମ୍ଭ କଲେ । ସେତେବେଳେ ବି ଦିରିୟା ଚାଲୁଥିଲା ବୋଲି ଅନେକ ଲୋକକଥାରେ କୁହାଯାଇଛି । ଅନ୍ୟପକ୍ଷରେ, ଭୟଙ୍କର ବ୍ୟାସ ନଦୀକୁ ପାରି ହେବା ଅସମ୍ଭବ ବୋଲି ଗ୍ରୀସ୍ର ଏହି ଅଧିବାସୀମାନେ ଭାବୁଥିଲେ । ଭାରତରେ ଆଲେକଜାଣ୍ଡାର ସମ୍ମୁଖୀନ ହୋଇଥିବା ସବୁଠାରୁ କଷ୍ଟକର ପ୍ରତିବନ୍ଧକ ମଧ୍ୟରୁ ଅନ୍ୟତମ ଥିଲା ବ୍ୟାସ ନଦୀ । କେତେକ ଐତିହାସିକଙ୍କ ମତ ଅନୁସାରେ ଭାରତ ଆକ୍ରମଣ ବେଳେ ପୂର୍ବ ଭାରତର ଏହି ସ୍ଥାନରୁ ହିଁ ଆଲେକଜାଣ୍ଡାର ଆଉ ଆଗକୁ ଆଗେଇ ପାରି ନଥିଲେ ।
ଶହ ଶହ ବର୍ଷ ଧରି, ନାଉରିଆମାନେ ନଈରେ ଚଳାଉଥିବା ଏହି ଦିରିୟା ହିଁ ଥିଲା ବ୍ୟାସ ନଈର ବାମ ଓ ଡାହାଣ କୂଳକୁ ସଂଯୋଗ କରୁଥିବା ଏକମାତ୍ର ସେତୁ । ବୋଧହୁଏ, ଏହି ନାଉରିଆମାନଙ୍କ ମଧ୍ୟରେ ରହିଥିଲେ ସଙ୍ଗତ ରାମଙ୍କ ପୂର୍ବପୁରୁଷ । ବ୍ୟାସକୁଣ୍ଡ ନାମରେ ପରିଚିତ ସମୁଦ୍ର ପତ୍ତନଠାରୁ ବହୁ ଉଚ୍ଚରେ ଥିବା ପାର୍ବତୀୟ ହ୍ରଦରୁ ଏହି ନଦୀ ବାହାରିଛି ଏବଂ ୪୭୦ କିଲୋମିଟର ପଥ ଅତିକ୍ରମ କରି ପଞ୍ଜାବର ସମତଳ ଭୂମିରେ, ହରିକେ ନିକଟରେ ସତଲେଜ ନଦୀ ସହ ମିଶିଛି ।










