‘‘ଆମର ଅଧିକାଂଶ ଗ୍ରାହକ ଗୁଦୋକ ନଦେଲେ ଆମ ହୋଟେଲରେ ଖାଇବେ ନାହିଁ,’’ ଚନ୍ଦନ ଚାକମା କୁହନ୍ତି। ଗତ ଆଠ ବର୍ଷ ଧରି ୩୭ ବର୍ଷ ବୟସ୍କ ଚନ୍ଦନ ଏବଂ ତାଙ୍କ ପତ୍ନୀ ଶମାରୁ (୩୬) ସେମାନଙ୍କ ହୋଟେଲରେ ଗୁଦୋକ ପରଷି ଦେଇ ଆଉଛନ୍ତି। ତ୍ରିପୁରାର ଉନାକୋଟି ଜିଲ୍ଲାରେ ଚାକମା ସମ୍ପ୍ରଦାୟର ଲୋକମାନେ ପାରମ୍ପରିକ ପଦ୍ଧତିରେ ପରିବା ଓ ଶୁଖୁଆ ମିଶାଇ ଏହି ବ୍ୟଞ୍ଜନ ତିଆରି କରିଥା’ନ୍ତି।
୨୦ ବର୍ଷର ବୈବାହିକ ଜୀବନ ବିତାଇ ସାରିଥିବା ଏହି ଦମ୍ପତି ଶାନ୍ତିନଗର ଗ୍ରାମରେ ଜେସିକା ହୋଟେଲ ଚଳାଇଥା’ନ୍ତି। ସେମାନଙ୍କର ଦୁଇ ଝିଅ ଜେସିକା ଏବଂ ଚେଭୋନ୍ନେ ଯଥାକ୍ରମେ ଦ୍ୱାଦଶ ଏବଂ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ନ୍ତି।
‘‘ଗୁଦୋକ ଆମ ପରିଚୟର ଆଧାର,’’ ଚନ୍ଦନ କୁହନ୍ତି। ଚାକମା ସମ୍ପ୍ରଦାୟର ଲୋକମାନେ ତ୍ରିପୁରାରେ ଅନୁସୂଚୀତ ଜନଜାତି ଭାବେ ତାଲିକାଭୁକ୍ତ ହୋଇଥିବା ବେଳେ ସଦ୍ୟତମ ଜନଗଣନା ଅନୁଯାୟୀ ସେମାନଙ୍କର ସଂଖ୍ୟା ପ୍ରାୟ ୮୦,୦୦୦ ହେବ।
ବର୍ଷ ସାରା ସେମାନଙ୍କର ହୋଟେଲରେ ଗୁଦୋକ ମନପସନ୍ଦର ଖାଦ୍ୟ ହୋଇ ରହିଥାଏ ବୋଲି ଏହି ଦମ୍ପତି କୁହନ୍ତି। ତିନି ବଖୁରିଆ ଘରେ ନିର୍ମାଣ କରାଯାଇଥିବା ଜେସିକା ହୋଟେଲରେ ଏକକାଳୀନ ୪୦ ଜଣ ଲୋକଙ୍କୁ ଖାଦ୍ୟ ପରଷି ହେବ ଏବଂ ଏଠାରେ ୧୦୦ରୁ ୧୬୦ ଟଙ୍କା ମଧ୍ୟରେ ଥାଲି (ଥାଳି) ମିଳିଥାଏ। ଏହିସବୁ ଥାଲି ରେ ପାରମ୍ପରିକ ଖାଦ୍ୟ ଗୁଦୋକ ମନପସନ୍ଦର ବ୍ୟଞ୍ଜନ ହୋଇଥାଏ।
‘‘ଲୋକମାନେ ଅଲଗା କରି ଗୁଦୋକ ପ୍ରସ୍ତୁତ କରିବା ଲାଗି ପ୍ରାୟତଃ ଆମକୁ କହିଥା’ନ୍ତି ଯାହାଫଳରେ ସେମାନେ ଏହାକୁ ଘରକୁ ନେଇପାରିବେ,’’ ନିଜ ଘରେ ମଧ୍ୟ ଏହାକୁ ରାନ୍ଧୁଥିବା ଚନ୍ଦନ କୁହନ୍ତି। ‘‘ଏଠାରେ ରହୁଥିବା ସବୁ ସମ୍ପ୍ରଦାୟର ଲୋକମାନେ ଏହାକୁ ପସନ୍ଦ କରନ୍ତି,’’ ସେ କୁହନ୍ତି, ଏମାନଙ୍କ ମଧ୍ୟରେ ହାଲାମ, ମଗ୍, ଦେବବର୍ମା ଓ ବଙ୍ଗଳା ଭାଷୀ ଲୋକମାନେ ଅଛନ୍ତି। ଅଧିକାଂଶ ଲୋକ ଅନେକ ଦଶନ୍ଧି ପୂର୍ବରୁ ବାଂଲାଦେଶରୁ ଏଠାକୁ ଚାଲି ଆସିଥିଲେ।
ଅତ୍ୟନ୍ତ ଲୋକପ୍ରିୟ ଗୁଦୋକ ପରିବା ଓ ଶୁଖୁଆରେ ପ୍ରସ୍ତୁତ କରାଯାଏ। ଶୁଖୁଆକୁ ସ୍ଥାନୀୟ ଭାଷାରେ ବର୍ମା ଏବଂ ଶିଡୋଲ କୁହାଯାଏ ଏବଂ ଏଥିପାଇଁ ପୁଣ୍ଟି (ପୁଣ୍ଟିଅସ୍ ସୋଫୋର) ଏବଂ ଫାଇସା (ସେପ୍ଟିପିନ୍ନାଫାସା) ବ୍ୟବହାର କରାଯାଏ। ‘‘ଆମେ ଫାଇସାଶିଡୋଲ ବ୍ୟବହାର କରୁ କାରଣ ଏହାର ଏକ ଭିନ୍ନ ରାଗୁଆ ସ୍ୱାଦ ରହିଛି।’’ ସେ ସ୍ଥାନୀୟ ବଜାରରୁ କିଲୋପ୍ରତି ୫୦୦ ଟଙ୍କା ଦେଇ ଶିଡୋଲ କିଣନ୍ତି।










