ବାରାଣାସୀରେ ମତଦାନ ଦିନ ସଲମା ଦେଖିଲେ ଯେ ସେଠାରେ ଦୁଇଟି ଧାଡ଼ି ଅଛି- ଗୋଟିଏ ପୁରୁଷଙ୍କ ପାଇଁ ଓ ଅନ୍ୟଟି ମହିଳାଙ୍କ ଲାଗି। ଗୋଟିଏ ସରକାରୀ ସ୍କୁଲରେ ବଙ୍ଗାଲି ଟୋଲା ମତଦାନ କେନ୍ଦ୍ର କରାଯାଇଛି, ଯାହାକି ପ୍ରସିଦ୍ଧ ବିଶ୍ୱନାଥ ମନ୍ଦିରକୁ ଯାଇଥିବା ଏକ ସଂକୀର୍ଣ୍ଣ ଗଳିରେ ଅବସ୍ଥିତ ।
୨୫ ବର୍ଷ ବୟସ୍କ ଏହି କିନ୍ନର ଜଣଙ୍କ ମହିଳାଙ୍କ ଧାଡ଼ିରେ ଛିଡ଼ା ହେଲେ, କିନ୍ତୁ ସେ କୁହନ୍ତି, ‘‘ଆଁଖେ ବଡ଼ି ହୋ ଗୟି ଥି ସବକୀ (ସମସ୍ତେ ବଡ଼ ବଡ଼ ଆଖିରେ ଚାହୁଁଥିଲେ)। ପୁରୁଷମାନେ ମୋତେ ନଦେଖିବା ଭଳି ନାଟକ କରୁଥିଲେ ଏବଂ ମୁଁ ଯେତେବେଳେ ମହିଳାଙ୍କ ଧାଡ଼ିରେ ଛିଡ଼ା ହେଲି ସେଠାରେ ଉପସ୍ଥିତ ମହିଳାମାନେ ହସିବା ସହ ପରସ୍ପର ମଧ୍ୟରେ ଟୁପୁରୁଟାପୁରୁ ହେବାକୁ ଲାଗିଲେ।
କିନ୍ତୁ ସଲମା ଏହାକୁ ଖାତିର କଲେ ନାହିଁ। ସେ କୁହନ୍ତି, ‘‘ମୁଁ ଯେମିତି ହେଉ ଗଲି, ମୋର ଭୋଟ୍ ଦେବାର ଅଧିକାର ରହିଛି ଏବଂ ଆଜି ଆମର ଯାହା ଦରକାର ସେହି ପରିବର୍ତ୍ତନ ଆଣିବା ଲାଗି ମୁଁ ଏହାକୁ ବ୍ୟବହାର କଲି।’’
ଭାରତର ନିର୍ବାଚନ ଆୟୋଗ (ଇସି)ଙ୍କ ତଥ୍ୟ ଅନୁଯାୟୀ ଭାରତରେ ୪୮,୦୪୪ ତୃତୀୟ ଲିଙ୍ଗୀ ମତଦାତା ରହିଛନ୍ତି। ଏତେ ସଂଖ୍ୟକ ମତଦାତା ଥିବା ସତ୍ତ୍ୱେ ତୃତୀୟ ଲିଙ୍ଗୀଙ୍କ ପାଇଁ ଭୋଟ ପରିଚୟପତ୍ର ଟିଏ ପାଇବା ସହଜକଥା ନୁହେଁ। ଅଣ-ସରକାରୀ ସଂଗଠନ ପ୍ରିଜ୍ମେଟିକ୍ର ପ୍ରତିଷ୍ଠାତା ନିର୍ଦ୍ଦେଶକ ନୀତି କୁହନ୍ତି, ବାରାଣାସୀରେ ପାଖାପାଖି ୩୦୦ ତୃତୀୟ ଲିଙ୍ଗୀ ଲୋକ ରୁହନ୍ତି ଏବଂ ସେମାନଙ୍କ ପାଇଁ ଭୋଟର୍ ଆଇଡି ପ୍ରସ୍ତୁତ କରିବା ଏକ ସଂଘର୍ଷପୂର୍ଣ୍ଣ କାମ। ସେ କୁହନ୍ତି, ‘‘ଆମକୁ ପାଖାପାଖି ୫୦ ତୃତୀୟ ଲିଙ୍ଗୀ ଲୋକଙ୍କ ପାଇଁ ଭୋଟ୍ ପରିଚୟପତ୍ର ମିଳିଯାଇଛି। କିନ୍ତୁ ନିର୍ବାଚନ ଆୟୋଗ ପ୍ରମାଣୀକରଣ କରିବା ଲାଗି ଘରକୁ ଘର ଯାଇ ଯାଞ୍ଚ କରିବାକୁ ବାଧ୍ୟତାମୂଳକ କରି ଦେଇଛନ୍ତି, ଏହା ସମ୍ପ୍ରଦାୟର ଅନେକ ସଦସ୍ୟଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି, କାରଣ ସେମାନେ ଚାହାନ୍ତି ନାହିଁ ଯେ ଲୋକମାନେ ତାଙ୍କର ଲିଙ୍ଗ ଯାଞ୍ଚ ପାଇଁ ସେମାନଙ୍କ ଘରକୁ ଆସନ୍ତୁ।’’
ଯଦିଓ ଭୋଟ୍ ପରିଚୟପତ୍ର ପ୍ରସ୍ତୁତ କରିବା ଲାଗି ସଲମାଙ୍କୁ କୌଣସି ବାଧାର ସାମ୍ନା କରିବାକୁ ପଡ଼ିନଥିଲା। ‘‘ମୁଁ ମୋ ପରିବାର କିମ୍ବା ଏମିତି କୌଣସି ବ୍ୟକ୍ତିଙ୍କ ସହ ରୁହେ ନାହିଁ ଯେଉଁମାନେ ମୋର ପରିଚୟ ଜାଣିନାହାନ୍ତି,’’ ସେ କୁହନ୍ତି।







