ବାପ ମା’ଙ୍କ ତୃତୀୟ ସନ୍ତାନ ରାଜକୁମାର ଘରର ପାଞ୍ଚଟି ଛେଳିଙ୍କୁ ଚରେଇବାକୁ ନେଇ ଯାଇଥିଲା। ତା’ର ଦାୟିତ୍ଵ ଥିଲା ଛେଳିଗୁଡ଼ିକର ଯତ୍ନ ନେବା ଓ ସେ ସେମାନଙ୍କୁ ଘରଠୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ଥିବା ବ୍ୟାଘ୍ର ଅଭୟାରଣ୍ୟ ନିକଟକୁ ନେଇଯାଏ।
କିନ୍ତୁ ୧୪ ମେ, ୨୦୨୨ ଦିନ ଛେଳି ଚରାଉଥିବା ବେଳେ ତାକୁ ଗୋଟିଏ ବାଘ (ପାନ୍ଥେରା ଟାଇଗ୍ରିସ) ଆକ୍ରମଣ କଲା। ସେବାଟେ ଆସୁଥିବା ଜଣେ ଲୋକ ଏହି ଆକ୍ରମଣକୁ ଦେଖିଲା ଓ ଗାଁ ଆଡ଼କୁ ଧାଇଁଲା। ରାଜକୁମାରର ନିଥର ଶରୀରକୁ ୨୫ କିମି ଦୂରରେ ଅବସ୍ଥିତ ବାଗାହ ଉପଖଣ୍ଡ ଡାକ୍ତରଖାନାକୁ ନିଆଗଲା ଓ ସେଠାରେ ତାକୁ ମୃତ ଘୋଷଣା କରାଗଲା।
“ବାଘଟି ତା’ର ଡାହାଣ ହାତ, ପିଠିପଟ ଓ ତଳିପେଟକୁ ଖାଇ ଦେଇଥିଲା”, ମନେ ପକାନ୍ତି ଚନ୍ଦ୍ରାବତୀ ଦେବୀ।
ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ବ୍ୟବସ୍ଥା ଅନୁଯାୟୀ ହିଂସ୍ରଜନ୍ତୁ ଆକ୍ରମଣରେ କେହି ମୃତ୍ୟୁବରଣ କଲେ କ୍ଷତିପୂରଣ ବାବଦରେ ତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଦିଆଯାଏ। ଏହା ଅଭୟାରଣ୍ୟ ଚତୁଃପାର୍ଶ୍ଵରେ ରହୁଥିବା ଲୋକମାନଙ୍କ ମୃତ୍ୟୁ ଓ ଅନ୍ୟାନ୍ୟ କ୍ଷତି ବାବଦକୁ ଦିଆଯାଏ, କିନ୍ତୁ ବାଘ ଓ ଅନ୍ୟ ହିଂସ୍ରଜନ୍ତୁ ରହୁଥିବା କୋର ବା ଘଞ୍ଚ ଜଙ୍ଗଲ ଅଞ୍ଚଳ ପାଇଁ ଦିଆଯାଏ ନାହିଁ, କାରଣ ସେଠାରେ ମଣିଷମାନଙ୍କ ଚଳପ୍ରଚଳ ସମ୍ପୂର୍ଣ୍ଣ ନିଷେଧ। ବାଲ୍ମୀକି ବ୍ୟାଘ୍ର ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ ବା କୋର ଅଞ୍ଚଳ ୪୯୮.୪୫ ବର୍ଗ କିଲୋମିଟର ହୋଇଥିଲା ବେଳେ ଚତୁଃପାର୍ଶ୍ୱସ୍ଥ ଅଞ୍ଚଳ ହେଉଛି ୩୦୦.୯୩ ବର୍ଗ କିଲୋମିଟର।
“କୌଣସି ଦୃଶ୍ୟମାନ ଚିହ୍ନ ଦ୍ଵାରା ଘଞ୍ଚ ବା କୋର ଅଞ୍ଚଳର ସୀମା ନିର୍ଦ୍ଧାରଣ କରାଯାଇ ନାହିଁ। ତେଣୁ ସ୍ଥାନୀୟ ଲୋକମାନେ କେଉଁଠାରୁ ଘଞ୍ଚ ବା କୋର ଅଞ୍ଚଳ ଆରମ୍ଭ ହେଉଛି ତାହା ଜାଣନ୍ତି ନାହିଁ”, କହନ୍ତି ପ୍ରାୟ ତିନି ଦଶନ୍ଧି ଧରି ବାଲ୍ମୀକି ବ୍ୟାଘ୍ର ଅଭୟାରଣ୍ୟରେ ବାଘ ଅନୁସରଣକାରୀ ଭାବେ କାମ କରୁଥିବା ଜୁନେଦ। “ଲୋକେ ଭୁଲବଶତଃ ଘଞ୍ଚ ବା କୋର ଅଞ୍ଚଳ ଭିତରକୁ ଚାଲି ଯାଆନ୍ତି”, ସେ ଜଣାନ୍ତି।
ପରିବାର ଲୋକେ କହିବା ଅନୁଯାୟୀ ୧୩-ବର୍ଷୀୟ ରାଜକୁମାରର ଶରୀରକୁ ବାଘ ଘୋଷାଡ଼ି ଘୋଷାଡ଼ି କୋର ବା ଘଞ୍ଚ ଜଙ୍ଗଲକୁ ନେଇ ଯାଇଥିଲା। ସେଥିପାଇଁ ସବୁକିଛି ବଦଳିଗଲା। “ଜଙ୍ଗଲ ବିଭାଗ ଅଧିକାରୀମାନେ ମତେ କହିଲେ ଯେ କୋର ବା ଘଞ୍ଚ ଜଙ୍ଗଲ ଅଞ୍ଚଳରୁ ତା’ର ମୃତ ଦେହ ମିଳିଲା”, ଲକ୍ଷ୍ମଣ ଏହି ରିପୋର୍ଟରକୁ କହିଲେ। “କୋର ଅଞ୍ଚଳ ବା ଘଞ୍ଚ ଜଙ୍ଗଲରେ ମୋ ପୁଅର ଫଟୋ ଓ ଭିଡ଼ିଓକୁ ସମସ୍ତ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଦିଆଗଲା, ତେଣୁ ମୁଁ କୌଣସି କ୍ଷତିପୂରଣ ପାଇ ପାରିବି ନାହିଁ”।