ଫଟୋଗ୍ରାଫ ମାଧ୍ୟମରେ, ଗତ ସାତ ବର୍ଷ ହେଲା ମୁଁ ସଫେଇ କର୍ମଚାରୀମାନଙ୍କର ଜୀବନ ଓ ସଂଘର୍ଷକୁ ନଥିଭୁକ୍ତ କରିଆସୁଛି । ଏହି ସବୁ ବର୍ଷରେ, କେବେହେଲେ ସଫେଇ କର୍ମଚାରୀମାନେ ଉପଯୁକ୍ତ ମାସ୍କ କିମ୍ବା ଅନ୍ୟ ସୁରକ୍ଷା ଉପକରଣ ପରିଧାନ କରି ସେମାନଙ୍କର କାମ କରୁଥିବା ମୁଁ ଆଦୌ ଦେଖିନାହିଁ । ଯେଉଁ ଅଳ୍ପ କେତେକ ଉପକରଣ ସେମାନେ ବ୍ୟବହାର କରନ୍ତି, ତାହା ସେମାନେ ନିଜେ ତିଆରି କରିଥାଆନ୍ତି ଏବଂ ନିଜ ହାତରେ ସେଗୁଡ଼ିକର ଦେଖାରଖା କରନ୍ତି ।
ବିଜ୍ଞାନ କ୍ଷେତ୍ରରେ ଭାରତର ବିକାଶ ଶିଖର ଛୁଇଁଥିଲେ ହେଁ, ଏବେ ବି ଭୂତଳ ନର୍ଦ୍ଦମାର ପାଇପ୍ଲାଇନ୍ ଭିତରକୁ ମଣିଷମାନେ ହିଁ ପ୍ରବେଶ କରୁଛନ୍ତି ଏବଂ ସେଠାରେ କେବଳ ଯେ ସେମାନଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ରହିଛି, ତା ନୁହେଁ, ବରଂ ଅନେକ ସମୟରେ ଜୀବନ ହରାଇବାକୁ ପଡୁଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ବିଜ୍ଞାନ କ୍ଷେତ୍ରରେ ଅଗ୍ରଗତି ହୋଇଛି ସତ, କିନ୍ତୁ ଆମ ସାମାଜିକ ଚେତନାର ଗଭୀରତମ ସ୍ତରରେ ଜମାଟ ବାନ୍ଧି ରହିଛି ଜାତିଭେଦ ଭଳି କୁସଂସ୍କାର ।
ସଫେଇ ବା ପରିମଳ କର୍ମଚାରୀମାନଙ୍କୁ ଏ ସମାଜ ‘ସମ୍ମୁଖଭାଗର କର୍ମୀ’ ରୂପରେ ମନେ ରଖିଛି ସତ, ହେଲେ ତାହା କେବଳ କୋଭିଡ୍ ଭଳି ସର୍ବବ୍ୟାପୀ ମହାମାରୀ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ଭଳି ଅସାଧାରଣ ସମୟରେ । ଏବଂ ଅନ୍ୟ ସମୟରେ, ସେମାନଙ୍କର ପରିଚୟ କେବଳ ଅଳିଆ ସଫା କରୁଥିବା ବ୍ୟକ୍ତି ଭାବରେ ହିଁ ନିର୍ଦ୍ଧାରିତ ହୋଇଛି ।
ପରିମଳ କାର୍ଯ୍ୟର ଘରୋଇକରଣ ପ୍ରତିବାଦରେ, ବୃହତ୍ ଚେନ୍ନାଇ ନିଗମ ନାମକ ମହାନଗର ପୌର ନିଗମର ମୁଖ୍ୟ କାର୍ଯ୍ୟାଳୟ - ଚେନ୍ନାଇର ରିପନ୍ ବିଲ୍ଡିଂ- ସାମନାରେ ୨୦୨୫ ଅଗଷ୍ଟ ୧ରୁ ୧୩ ତାରିଖ ଯାଏଁ, ସଫେଇ କର୍ମଚାରୀମାନେ ଅନବରତ ଧାରଣାରେ ବସି ରହିଲେ । ଧାରଣାର ତ୍ରୟୋଦଶ ଦିବସରେ, ତାମିଲନାଡୁ ସରକାର ପୋଲିସ ସହାୟତାରେ ସେମାନଙ୍କୁ ସେଠାରୁ ବଳପୂର୍ବକ ହଟାଇ ଦେଲେ ।
ଜୋନ୍- ୫ (ରୟାପୁରମ) ଏବଂ ଜୋନ୍-୬ (ତିରୁ ବିକା ନଗର)ରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଭାର ଘରୋଇ ଠିକାଦାରମାନଙ୍କୁ ଦିଆଯିବା ପ୍ରତିବାଦରେ ଏ ଅଞ୍ଚଳର କର୍ମଚାରୀମାନେ ଅଗଷ୍ଟ ୧ ତାରିଖରୁ ପ୍ରତିବାଦ କରିଆସୁଥିଲେ ।
ଏହି କର୍ମଚାରୀମାନଙ୍କ ମଧ୍ୟରୁ ଅଧିକାଂଶ ଦଳିତ ବର୍ଗର ମହିଳା ଏବଂ ସହରରେ ବର୍ଷ ବର୍ଷ ଧରି ସଫେଇ କରିଆସିଛନ୍ତି । ସେମାନଙ୍କ ପାଇଁ ଘରୋଇକରଣ କେବଳ ମଜୁରିର ନୁହେଁ, ବରଂ ଆତ୍ମମର୍ଯ୍ୟାଦା ଓ ଜୀବନଧାରଣର ପ୍ରଶ୍ନ । ନିଗମରେ ପ୍ରତ୍ୟକ୍ଷ ନିଯୁକ୍ତି ହରାଇବାର ଅର୍ଥ ପ୍ରଚଳିତ ଶ୍ରମ ଆଇନ ଅନୁସାରେ ସ୍ଥାୟୀ ନିଯୁକ୍ତି, ଏମିତି କି ସ୍ଥାୟୀ ମାନ୍ୟତା ହରାଇବାର ଆଶଙ୍କା । ସେମାନେ ଜୀବିକା ଲାଗି ଲଢ଼େଇ କରିବା ସହିତ କର୍ମଦକ୍ଷତା ନାଁରେ ସେମାନଙ୍କର ଅଦୃଶ୍ୟ ଶ୍ରମର ପୁନର୍ବାର ଅବମୂଲ୍ୟାୟନ ପ୍ରକ୍ରିୟାକୁ ବିରୋଧ କରୁଛନ୍ତି ।


























