ଏକଦା ‘ଥିରା’ କଳାକାର ଏମ. କେ. କୁଟ୍ଟି ଯେଉଁ ପବିତ୍ର ପୀଠରେ ଅଭିନୟ କରିବାକୁ ଯାଇଥିଲେ ସେଠାରେ ଥିବା ଉପବନରୁ ଗୋଟିଏ ପତ୍ର ଛିଣ୍ଡାଇ ଦେଇଥିଲେ। “ସେହି ସ୍ଥାନକୁ ‘ଅପବିତ୍ର’ କରି ଦେଇଛନ୍ତି ବୋଲି ତାଙ୍କୁ ଚାରି ଅଣା ଦେବାକୁ କୁହାଗଲା। ସେଦିନ ସେତେବେଳେ ସେ ସେଠାରେ ଜଣେ ଦେବତାଙ୍କ ଭୂମିକାରେ ଅବତୀର୍ଣ୍ଣ ହେବାର ଥିଲା, ହେଲେ ତାହାର କୌଣସି ଅର୍ଥ ନଥିଲା”, ମନେ ପକାଇ କହନ୍ତି ତାଙ୍କ ନାତି ଏମ୍. କେ. କୁଞ୍ଜିରମଣ।
‘ଥିରା’ କଳାକାରମାନେ ହେଉଛନ୍ତି ଅନୁସୂଚିତ ଜାତି ବର୍ଗର ଲୋକ, ଓ ଯଦିଓ ବା ଉଚ୍ଚ ଜାତିର ମନ୍ଦିରକୁ ସେମାନଙ୍କୁ ଅଭିନୟ କରିବାକୁ ଡକାଯାଏ, ତେବେ ସେହିସବୁ ସ୍ଥାନ ସେମାନଙ୍କ ପାଇଁ ନୁହେଁ। ଏହି ଆନୁଷ୍ଠାନିକ ନୃତ୍ୟକୁ ‘କାଭୁ’ ବା ଏକ ଉପବନ ସଂଲଗ୍ନ ପବିତ୍ର ପୀଠ ତଥା ମନ୍ଦିର ପ୍ରାଙ୍ଗଣରେ ପରିବେଷଣ କରାଯାଏ। କିନ୍ତୁ ଯେଉଁଠାରେ ଠାକୁରଙ୍କ ଆସ୍ଥାନ ଥାଏ ସେଠାକୁ ଯିବା କି ସେଠାରେ ପରିବେଷଣ କରିବା ସମ୍ପୂର୍ଣ୍ଣ ନିଷେଧ।
କୁଞ୍ଜିରମଣ ହେଉଛନ୍ତି ‘ଭନ୍ନନ’ ଗୋଷ୍ଠୀର ଲୋକ, ଯେଉଁମାନେ ପାରମ୍ପରିକ ଭାବେ ଉଚ୍ଚ ଜାତିର ଲୋକଙ୍କ ଲୁଗା ଧୁଅନ୍ତି। ସେମାନଙ୍କୁ କେରଳରେ ଅନୁସୂଚିତ ଜାତି ଭାବେ ଚିହ୍ନଟ କରାଯାଇଛି। ସେ ଯେତେବେଳେ କିଶୋର ବୟସର ହୋଇଥିଲେ, ସେତେବେଳେ ସେ ‘ଥିରା’ କଳାକାର ଭାବେ ନୃତ୍ୟ ପରିବେଷଣ କରୁଥିବା ତାଙ୍କ ବାପା ଓ ଜେଜେବାପାଙ୍କ ସହ ଯିବା ଆରମ୍ଭ କରିଥିଲେ। ଶେଷକୁ ତାଙ୍କୁ ଯେତେବେଳେ ଚାଳିଶ ବର୍ଷ ବୟସ ହେବାକୁ ଯାଉଥିଲା ସେ ପରିବେଷଣ କରିବା ଆରମ୍ଭ କଲେ।
“ତଳଚିଲୋନ, କରିୟାଥାନ, କୁଟ୍ଟିଚାଥନ, ଭେଟ୍ଟାକୋରୁମକନ, କନ୍ନିକାକରୁଭନ...”, ୮୭ ବର୍ଷ ବୟସରେ ବି ସେ ଅଭିନୟ କରିଥିବା ହିନ୍ଦୁ ଦେବତାଙ୍କ ନାଁଗୁଡିକ ତାଙ୍କ ପାଟିରୁ ଅନର୍ଗଳ ବାହାରି ଆସେ।
ତା’ ପରେ କୁଞ୍ଜିରମଣ ‘ଅଞ୍ଜଦି’ ଓ ‘ଟୋଟ୍ଟମ ପଟ୍ଟୁ’ ଗାଇବା ଆରମ୍ଭ କରନ୍ତି। ପ୍ରଥମଟିକୁ ଈଶ୍ଵରଙ୍କୁ ଆବାହନ କରି ନୃତ୍ୟକାରଙ୍କ ଶରୀରକୁ ତାଙ୍କ ଦଖଲକୁ ନେବାକୁ ବୋଲାଯାଏ ଓ ଦ୍ଵିତୀୟଟିରେ କୁଟ୍ଟିଚଥାନର ଇତିହାସ ବର୍ଣ୍ଣନା କରାଯାଏ। ଯଦିଓ ବା କେତେକ ବିଦ୍ଵାନଙ୍କ ମତ ଯେ ‘ଟୋଟ୍ଟମ ପଟ୍ଟୁ’ରେ ଭଗବତୀ ଠାକୁରାଣୀଙ୍କୁ ଆବାହନ କରାଯାଇଥାଏ, କୁଟ୍ଟିଚଥାନ ନୁହେଁ ଯାହାଙ୍କୁ କି ସୁରକ୍ଷା ଓ ସମୃଦ୍ଧି ପାଇଁ ପୂଜା କରାଯାଏ। ତାଙ୍କ ଛାତିରେ ଆଠଟି ‘ପୁଳି’ (ବିନ୍ଦୁ) ରହିଥିବା ଭାବେ ବର୍ଣ୍ଣନା କରାଯାଏ।
ତାଙ୍କ ସଙ୍ଗୀତମୟ ସ୍ଵର ସଞ୍ଚରିଯାଏ। “କୁଟ୍ଟିଚଥାନ ଭଲ୍ଲୁଭା[ନୀଚ ଜାତି]ର ମା’ ଓ ନମ୍ବୁଦିରି [ବ୍ରାହ୍ମଣ] ବାପାଙ୍କଠାରୁ ଜନ୍ମ ହୋଇଥିଲେ। ଏକଦା ସେ ଛୋଟ ପିଲା ଥିଲାବେଳେ ତାଙ୍କୁ ଭୋକ ଲାଗିଲା। ବହୁ ଦିନ ଧରି ସେ ଭୋକିଲା ଥିଲେ। ତା’ ପରେ ସେ ତାଙ୍କ ଗୋଠରୁ ଗୋଟିଏ ମଇଁଷି ମାରିଲେ ଓ ତା’ ରକ୍ତ ପିଇଲେ। ତାଙ୍କ ବାପା ଭୀଷଣ ଭାବେ ରାଗିଯାଇ ତାଙ୍କୁ ମାରିଦେଲେ ଓ ତାଙ୍କୁ ୩୯୯ ଖଣ୍ଡ କରି କାଟିଲେ”, ବର୍ଣ୍ଣନା କରନ୍ତି କୁଞ୍ଜିରମଣ।
କୋଝିକୋଡସ୍ଥିତ ଶିବପୁରମ ଗାଁରେ ଥିବା ତାଙ୍କର ଦୁଇ ମହଲା ଘର ବାରଣ୍ଡାରେ ସେ ବସିଥିଲେ। “ସେହି ଭଳି ଭାବେ ଆଜି ଏତେ ସବୁ କୁଟ୍ଟିଚଥାନ ଅଛନ୍ତି – ପୁକୁଟ୍ଟି, ଟିକୁଟ୍ଟି, କାରିକୁଟ୍ଟି”, ସେ ଏହି ରିପୋର୍ଟରକୁ କହନ୍ତି।


























