୨୦୧୨ ମସିହାରେ ବିବାହ କରିବା ପରେ ପରେ ଅଞ୍ଜୁ ରାନୀଙ୍କ ଜୀବନର ବାସ୍ତବତା ପଦାକୁ ଆସିବାରେ ଲାଗିଲା । “ମୋ ସ୍ୱାମୀ ମଦ ନିଶାରେ ଚୁର୍ ରହୁଥିଲେ, ଏବଂ ପ୍ରତି ଦିନ ଆମ ଭିତରେ କଥା କଟାକଟି ହେଉଥିଲା । ଭିତରେ ଭିତରେ ମୁଁ ଭାଙ୍ଗି ପଡୁଥିଲି,” ଦୁଇଟି ପିଲାର ମାଆ, ୩୪ ବର୍ଷୀୟା ଅଞ୍ଜୁ କହନ୍ତି ।
ତାଙ୍କ ସ୍ୱାମୀ ଘରଖର୍ଚ୍ଚ ପାଇଁ କିଛି ହେଲେ ଦିଅନ୍ତି ନାହିଁ । “ଅନେକ ସମୟରେ ଆମ ବିଦ୍ୟୁତ୍ ବିଲ୍ ଦିଆ ନଯାଇ ବାକି ରହୁଥିଲା,” ସେ କହନ୍ତି । “ମୁଁ ଡରି ଡରି ସେହି ସବୁ ଦିନ ବିତାଉଥିଲି ।”
ପଶ୍ଚିମ ଉତ୍ତର ପ୍ରଦେଶର ସିୟାନା ସହରରେ ଅଞ୍ଜୁଙ୍କ ଶାଶୂଘର । ପ୍ରତି ଥର ସେ ସେଠାରୁ ୩୦ କିଲୋମିଟର ଦୂର ଅୟାଦନଗର ଗାଁରେ ତାଙ୍କ ବାପାମାଆଙ୍କ ଘରକୁ ଯାଇଥିବା ବେଳେ ପଡ଼ୋଶୀ ଓ ସଂପର୍କୀୟମାନେ ତାଙ୍କ ବୈବାହିକ ଜୀବନର ମାନସିକ ଚାପକୁ ଅଣଦେଖା କରି ଯାଆନ୍ତି । ସ୍ୱାମୀଙ୍କ ପାଖକୁ ଫେରିଯିବା ପାଇଁ ସେମାନେ ଅଡ଼ି ବସନ୍ତି, ଏବଂ ବର୍ଷ ବର୍ଷ ଧରି ଅଞ୍ଜୁ ତାହା ହିଁ କରିଆସିଛନ୍ତି । ଝିଅକୁ ସାଙ୍ଗରେ ନେଇ ଫେରିଆସନ୍ତି ।
ପ୍ରାୟ ୧୫ ବର୍ଷ ତଳେ, କର୍କଟ ରୋଗରେ ଅଞ୍ଜୁଙ୍କ ବାପା ପ୍ରାଣ ହରାଇବା ପରେ ତାଙ୍କ ମାଆ ଏକାକୀ ରହୁଛନ୍ତି । “ଦିନେ ମୁଁ ସବୁ କିଛି ପଛରେ ଛାଡ଼ି ସବୁଦିନ ପାଇଁ ବାପାମାଆଙ୍କ ଘରକୁ ଫେରିଗଲି । ସେ କେବେହେଲେ ମୋତେ ଡାକିବାକୁ ଆସିଲେନି ଏବଂ ମୁଁ ଆଉ ଫେରିଲି ନାହିଁ,” ଗୋଟିଏ ଦଉଡ଼ିଆ ଚାରପାଇ (ଖଟ) ଉପରେ, ମାଆଙ୍କ ପାଖରେ ବସି ଅଞ୍ଜୁ କହନ୍ତି ।
ସେ ଜଣେ କୃଷି ଶ୍ରମିକ ଭାବରେ କାମ କରିବା ଆରମ୍ଭ କଲେ, ଏବଂ ଚାଷବାସ ଋତୁ ଉପରେ ନିର୍ଭର କରି ଏବଂ କାମ ମିଳିଲେ, ସେ ମଜୁରି ବାବଦରେ ଦିନକୁ ୨୦୦ରୁ ୨୫୦ ଟଙ୍କା ରୋଜଗାର କରନ୍ତି ।
୨୦୧୭ରେ, ସେ ପୁଣି ଥରେ ବିବାହ କରିବାକୁ ମନ ବଳାଇଲେ ଏବଂ ତାଙ୍କର ଦ୍ୱିତୀୟ ଝିଅ ଜନ୍ମ ନେଲା । “ମୁଁ ଆଉ ଥରେ ମୋ ଜୀବନ ଜୀଇଁବାକୁ ସ୍ଥିର କଲି, କିନ୍ତୁ ଦ୍ୱିତୀୟ ବିବାହ ଆହୁରି କଷ୍ଟକର ହୋଇପଡ଼ିଲା । ମୋର ଦ୍ୱିତୀୟ ସ୍ୱାମୀ ବି ମଦ ପିଇ ମୋତେ ମାଡ଼ ମାରିଲେ । ମଦ ପାଇଁ ସେ ଘରର ଜିନିଷପତ୍ର ବିକି ଦିଅନ୍ତି – ପ୍ରଥମେ ଖାଦ୍ୟଶସ୍ୟ ଏବଂ କୁଲର, ତା’ପରେ ମୋର ସିଲେଇ ମେସିନ୍ ବି ବିକିଦେଲେ । ପରେ ସେ ଲୋକଙ୍କ ଘରୁ ଚୋରି କରିବା ଆରମ୍ଭ କଲେ । ମୋତେ ଅପମାନିତ ହେବାକୁ ପଡୁଥିଲା ।”









