‘‘ଲକଡାଉନ୍ ସମୟରେ, ଆମେ ବିଶାଖାପାଟଣାରୁ ଘରକୁ ଆସିବା ପାଇଁ ୧୨ ଦିନ ଧରି ଚାଲିଥିଲୁ,’’ - ୨୦୨୦ ମସିହାରେ କୋଭିଡ-୧୯ର ତିକ୍ତ ଅନୁଭୂତିକୁ ମନେ ପକାଇ କୁହନ୍ତି ୪୫ ବର୍ଷୀୟ କାୟିଲ ଭୂୟାଁ। ସେତେବେଳେ ଅଗନାମପୁଡ଼ିରେ ଲାର୍ସେନ୍ ଏଣ୍ଡ ଟୁବ୍ରୋ (ଏଲ୍ ଆଣ୍ଡ ଟି)ର ଏକ ନିର୍ମାଣ ସ୍ଥଳରେ ଜଣେ ଦୈନିକ ମଜୁରିଆ ଭାବରେ ସେ କାମ କରୁଥିଲେ।
ସେମାନେ ପ୍ରାୟ ୮୦ ଜଣ ଥିଲେ, ସେଥିରେ ୧୦ ଜଣ ମହିଳା ଏବଂ ୪ ଜଣ ଶିଶୁ ମଧ୍ୟ ରହିଥିଲେ, ଯେଉଁମାନେ ପ୍ରାୟ ହଜାରେ କିଲୋମିଟର ପାଦରେ ଚାଲି ଚାଲି ଝାଡ଼ଖଣ୍ଡକୁ ଆସିଥିଲେ। ‘‘ଆମେ ଦିନରାତି ଚାଲୁଥିଲୁ। ଯେତେବେଳେ ଥକି ଯାଉଥିଲୁ, ଗୋଟେ ଘଣ୍ଟା ପାଇଁ ଶୋଇପଡୁଥିଲୁ, ତା’ପରେ ପୁଣି ଚାଲିବା ଆରମ୍ଭ କରୁଥିଲୁ।’’ ଝାଡ଼ଖଣ୍ଡର ପଲାମୁ ଜିଲ୍ଲାର ରାବଦା ଗାଁ ପର୍ଯ୍ୟନ୍ତ ସେମାନେ ଏମିତି ଆସିଥିଲେ।
ପ୍ରାୟ ଛଅ ବର୍ଷ ପରେ, ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର)ରୁ ଟ୍ରେନ୍ ଯୋଗେ ସମାନ ଧରଣର ଯାତ୍ରା କରିଛନ୍ତି କାୟିଲ। ଆଉ ଏକ ଭୟଙ୍କର ସ୍ଥିତିର ମୁକାବିଲା କରିବାକୁ ସେ ଫେରି ଆସିଛନ୍ତି।
ସେ ଏବେ ଋଣ ଭାରରେ ବୁଡ଼ି ରହିଛନ୍ତି, ଯାହାକୁ ସେ ଶୁଝିପାରୁନାହାନ୍ତି।
ଆମେରିକା-ଇସ୍ରାଏଲ ଏବଂ ଇରାନ ଯୁଦ୍ଧ ଯୋଗୁଁ ଏଲପିଜି ସିଲିଣ୍ଡରର ଘୋର ଅଭାବ ଯୋଗୁଁ ପ୍ରବାସୀ ଶ୍ରମିକମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି।
‘‘ମାର୍ଚ୍ଚ ଆରମ୍ଭରେ, ସମସ୍ତେ କହିବାକୁ ଲାଗିଲେ ଆଉ ଏକ ଲକଡାଉନ୍ ଆସୁଛି,’’ ମନେ ପକାଇ କହିଥିଲେ କାୟିଲ। ନୋଏଡାସ୍ଥିତ ‘ଏଲ୍ ଆଣ୍ଡ ଟି’ ନିର୍ମାଣ ସ୍ଥଳରେ ସେ ଜଣେ ରାଜମିସ୍ତ୍ରୀ ଭାବରେ କାମ କରୁଥିଲେ। ଦୈନିକ ତାଙ୍କୁ ୫୦୦ ଟଙ୍କା ମଜୁରି ମିଳୁଥିଲା।
ତା’ପରେ ଏଲପିଜି ଦର ତିନିଗୁଣ ବୃଦ୍ଧି ପାଇ କିଲୋଗ୍ରାମ ପିଛା ୯୦ ଟଙ୍କାରୁ ୩୦୦ ଟଙ୍କାକୁ ହୋଇଗଲା। ‘‘ଆମେ ରୋଷେଇ କରିବା ପାଇଁ ସଟରିଂ ସାମଗ୍ରୀ ଏବଂ ପ୍ଲାଇଉଡ୍ ଜଳାଉଥିଲୁ,’’ ସେ କୁହନ୍ତି। ‘‘ମାତ୍ର ୧୦ ଦିନ ପାଇଁ ଆମେ କୌଣସି ପ୍ରକାରେ ଚଳିଗଲୁ।’’








