ଆମ କୋରକୁ ସମ୍ପ୍ରଦାୟରେ ଆମେ ବିଶ୍ୱାସ କରୁ ଯେ, ଯଦି ବାଘଟିଏ କ୍ଷେତକୁ ଆସେ, ତେବେ ତାହା ଅତ୍ୟନ୍ତ ଶୁଭ ଅଟେ । ବାଘର ପାଦଚିହ୍ନ ଚାଷୀ ପାଇଁ ସୌଭାଗ୍ୟ ଓ ଧନର ସଂକେତ ଦେଇଥାଏ । ଏହାଦ୍ୱାରା ସବୁଦିଗରୁ ସମୃଦ୍ଧି ହୋଇଥାଏ ।
ମୋର ନାମ ରାମଲାଲ ଏବଂ ମୁଁ ମହାରାଷ୍ଟ୍ରର ମେଳଘାଟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (ଏମ୍ଟିଆର୍) ର ବଫର୍ ଅଞ୍ଚଳରେ ଥିବା ପାୟବିହିର ଗାଁରେ ଜନ୍ମଗ୍ରହଣ କରିଥିଲି । ଏବଂ ମୁଁ, ବସନ୍ତ, ଏମ୍ଟିଆରର କୋର୍ ଅଞ୍ଚଳରେ ଥିବା ବୋରାତ୍ୟାଖେଡା ଗାଁରେ ବସବାସ କରୁ । ଆମେ ଦୁହେଁ କୋରକୁ ଆଦିବାସୀ ଏବଂ ଆମର ପୂର୍ବପୁରୁଷମାନେ ପିଢ଼ି ପିଢ଼ି ଧରି ଏହି ଜଙ୍ଗଲରେ ବସବାସ କରି ଆସୁଛନ୍ତି ।
ଆମେ ଏହି ଧାରଣା ସହିତ ବଡ଼ ହୋଇଛୁ ଯେ, ଗାଈ ଏବଂ ବଳଦଙ୍କ ଗୋବର ଉପରେ ବାଘର ପଞ୍ଝା ଚିହ୍ନ ମିଳିବା ଶୁଭ ସଙ୍କେତ ଅଟେ । ସେହି ପଞ୍ଝା ଚିହ୍ନ ଥିବା ଗୋବର ଖଣ୍ଡକୁ ଆମେ ଆମର ଶସ୍ୟ ଭଣ୍ଡାରରେ ସାଇତି ରଖୁ, କାରଣ ଏହା ରଖିବା ଦ୍ଵାରା ଘରେ କେବେ ହେଲେ ଶସ୍ୟର ଅଭାବ ହୋଇନଥାଏ ବୋଲି ବିଶ୍ୱାସ ରହିଛି ।
ଆମେ ମକା, ଜବାର, ଧାନ, ଗହମ, ମାଣ୍ଡିଆ ଜାତୀୟ ଶସ୍ୟ, ସୋୟାବିନ୍, ଚିନାବାଦାମ, ସୂର୍ଯ୍ୟମୁଖୀ, ରାଶି, ହରଡ଼, ମୁଗ, ବୁଟ ଏବଂ ଅନ୍ୟାନ୍ୟ ଡାଲି ଜାତୀୟ ଶସ୍ୟ ଚାଷ କରିଥାଉ । ଆମେ ଏଥିରୁ ଅଧିକାଂଶ ନିଜେ ବ୍ୟବହାର କରୁ ଏବଂ କିଛି ବିକ୍ରି କରିଥାଉ । ଆମ ସମ୍ପ୍ରଦାୟର ଅଧିକାଂଶ ଚାଷୀଙ୍କ ପାଖରେ ଜଙ୍ଗଲ ଜମିରେ ଚାଷ କରିବା ପାଇଁ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ରହିଛି । ଆମେ ବର୍ଷା ଜଳ ଉପରେ ନିର୍ଭର କରୁ, କିନ୍ତୁ ଜଳସେଚନ ପାଇଁ ପାଖାପାଖି ଥିବା ଝରଣା ଏବଂ କୂଅରୁ ମଧ୍ୟ ପାଣି ବ୍ୟବହାର କରିଥାଉ ।
















