“ମହାବଳ ବାଘ ଯେତେବେଳେ ଗାଁ ଭିତରକୁ ପ୍ରବେଶ କରେ ସେତେବେଳେ ଆତଙ୍କରାଜ ସୃଷ୍ଟି ହୋଇଥାଏ,” ବୋଲି ଲୁତଫର ମୋଲ୍ଲା କହିଛନ୍ତି।
ବାଘ ଗାଁ ଭିତରେ ପଶିଥିବା ଖବର ପାଇବା କ୍ଷଣି ଲୁତଫର ତାଙ୍କ ଦଳବଳ ଧରି ବାଘ ଘଉଡ଼ାଇବାକୁ ସେଠାରେ ପହଞ୍ଚି ଯାଇଥାନ୍ତି। ଗତ ଚାରି-ପାଞ୍ଚ ବର୍ଷ ହେବ ରାଜ୍ୟ ବନ ବିଭାଗ ଦ୍ଵାରା ଗଠନ କରାଯାଇଥିବା ଦୁଇଟି ‘ତ୍ଵରିତ ପ୍ରତିକ୍ରିୟା ଦଳ’ ମଧ୍ୟରୁ ଗୋଟିଏର ଦାୟିତ୍ଵରେ ଲୁତଫର ରହିଥିବା ବେଳେ ସୁନ୍ଦରବନର କୁଲତାଲି ବ୍ଲକର ଗ୍ରାମଗୁଡ଼ିକ ତାଙ୍କ ଅଧୀନରେ ରହିଛି।
ବାଘ ଘଉଡ଼ାଇବା ଦଳର ମୁଖିଆଙ୍କ ସମ୍ପର୍କରେ ଜାଣିବା ପରେ ଆମେ ମୈପିତ୍ ସାମୁଦ୍ରିକ ଥାନା ଅନ୍ତର୍ଗତ ତାଙ୍କରି ଗାଁ ପୂର୍ବ ଗୁଡ଼ଗୁଡିଆ ଅଭିମୁଖେ ବାହାରି ପଡ଼ିଥିଲୁ।
ଆବୁଡ଼ା ଖାବୁଡ଼ା ରାସ୍ତାରେ ଅସ୍ଫାଲ୍ଚ ପଲସ୍ତରା ନଥିବାରୁ ଏହା ଏକ ଧୂଳିଆ ଏବଂ ଖାଲଖମା ଭର୍ତ୍ତି ରାସ୍ତାରେ ପରିଣତ ହୋଇଛି। ରାସ୍ତାର କଡ଼େ କଡ଼େ ମାତଲା ନଦୀର ଗାଢ଼ ରଙ୍ଗର ଗଭୀର ଜଳରାଶି ପ୍ରବାହିତ ହେଉଛି। ଆମେ ଅଧଘଣ୍ଟା କାଳ ପାଦରେ ଚାଲିବା ଭିତରେ ନଦୀରେ ଗୋଟିଏ ବି ଡଙ୍ଗା ଚଳାଚଳ କରୁଥିବା ଦେଖିନାହୁଁ। ନଦୀର ଆରପାଖରେ ଘଞ୍ଚ ଏବଂ ବିସ୍ତୃତ ଜଙ୍ଗଲ ରହିଛି।
ପୂର୍ବ ଗୁଡ଼ଗୁଡ଼ିଆ ଗ୍ରାମର ଜନସଂଖ୍ୟା ୫,୬୦୦ (୨୦୧୧ ଜନଗଣନା) -ଏମାନଙ୍କ ମଧ୍ୟରେ ଅଧିକାଂଶ ହିନ୍ଦୁ ପରିବାରର ହୋଇଥିବା ବେଳେ ବହୁସଂଖ୍ୟାରେ ମୁସଲମାନ ମଧ୍ୟ ଏଠାରେ ରହିଛନ୍ତି। ଭୁବନେଶ୍ଵରୀ ପଞ୍ଚାୟତ ଅନ୍ତର୍ଗତ ଏହି ଗ୍ରାମରେ ଲୋକଙ୍କ ଜୀବନଜୀବିକାର ମୁଖ୍ୟ ଆଧାର ହେଉଛି କୃଷି ଏବଂ ମାଛ ମାରିବା।
ଲୁତଫରଙ୍କ ଗ୍ରାମ ବଟ ତଲାରେ ଆମେ ପହଞ୍ଚି ତାଙ୍କ ଘରର ସନ୍ଧାନ କରୁଥିଲୁ। ଏହି ସମୟରେ ବଟ ତଲା ଗ୍ରାମ ନିକଟରେ ଥିବା କାଳୀ ମନ୍ଦିର ଆଗରେ ଜଣେ କିଶୋର ହାତରେ କଙ୍କଡ଼ା ଭର୍ତ୍ତି ଏକ ବ୍ୟାଗ ଧରି ଅପେକ୍ଷା କରିଥାଏ, ଏବଂ ଆମକୁ ଦେଖି, ପଚାରିଲା: “ଆପଣମାନେ କୋଲକାତାରୁ ଆସିଛନ୍ତି କି? ମୁଁ ଲୁତଫର ମୁଲ୍ଲାଙ୍କର ବଡ଼ ପୁଅ। ମୁଁ ଏଠାରେ ଆପଣମାନଙ୍କୁ ହିଁ ଅପେକ୍ଷା କରିଥିଲି।’’
ଲୁତଫରଙ୍କ ଘର ସେହି ପାଖରେ ଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ୧୦୦୦ ବର୍ଗଫୁଟର ଏହି ଘରେ ଇଟାରେ ତିଆରି ଏକ ମହଲା ବିଶିଷ୍ଟ ଘରେ ତିନିଟି ବଖରା, ବାରଣ୍ଡା ଏବଂ କଂକ୍ରିଟ୍ ଛାତ ରହିଛି। ବଡ଼ ବଖରା ଭିତରକୁ ପ୍ରବେଶ କରୁ କରୁ ଖଟରେ ଶୋଇଥିବା ଜଣେ ଦୁର୍ବଳ ବ୍ୟକ୍ତିଙ୍କର କ୍ଷୀଣ ସ୍ଵର ଭାସି ଆସିଲା: “ମୁଁ କ’ ଣ କହିବି? ଗତ କିଛିଦିନ ଧରି ମୁଁ ଜ୍ଵରରେ ଆକ୍ରାନ୍ତ।’’ ଇଏ କ’ଣ ସେହି ଲୁତଫର ମୁଲ୍ଲା? ଏତେ ଦୁର୍ବଳ ବ୍ୟକ୍ତି!








