ଗୋଟିଏ ପ୍ଲାଟଫର୍ମ ପରି ପ୍ରତୀୟମାନ ଅନ୍ଧାର ଭର୍ତ୍ତି ମଞ୍ଚ ଛାଇ ଭଳି ଦିଶୁଥିବା ନାରୀ ଓ ପୁରୁଷ ଦର୍ଶକମାନଙ୍କୁ ସ୍ୱାଗତ କରେ। “ବର୍ଷ ପରେ ବର୍ଷ ପାହାଡ଼ ଉପରୁ ନଦୀ ଧୋଇ ଆଣୁଥିବା ମାଟି ବେଳାଭୂମିରେ ଜମିରହି ଆବଦ୍ଧ ଜଳ କଡ଼େ କଡ଼େ ଦ୍ୱୀପପୁଞ୍ଜ ଗଢ଼ିଥାଏ”। ପୃଷ୍ଠଭୂମିରୁ ଶୁଭୁଥିବା କଣ୍ଠସ୍ଵର କେରଳର ଏର୍ନାକୁଲମ ଜିଲ୍ଲାର ଉପକୂଳବର୍ତ୍ତୀ ଗାଁଗୁଡ଼ିକର ଜମି ଓ ଇତିହାସ ସମ୍ପର୍କରେ ପରିଚୟ ଦିଏ। ଛାୟାରୂପଗୁଡ଼ିକର ପୃଷ୍ଠଭୂମିରୁ ପ୍ରକ୍ଷେପ କରାଯାଉଥିବା ଚିତ୍ରକଳ୍ପଗୁଡ଼ିକ ୧୩୪୧ ମସିହାରୁ ଏହି ସ୍ଥାନର ଇତିହାସ, ଯେତେବେଳେ କି ଏହା ଐତିହାସିକ ମୁଜିରିସ ବନ୍ଦର ସହରର ଅଂଶ ଥିଲା ତାହା ବର୍ଣ୍ଣନା କରେ।
ମଞ୍ଚ କିଞ୍ଚିତ ଆଲୋକିତ ହେବା ସହ ଆମେ ଦେଖୁ ଦଶ ଜଣ ଚରିତ୍ର ଏକ ଜଳପ୍ଳାବିତ ରାସ୍ତାରେ ଆଣ୍ଠୁଏ ପାଣିରେ ଆଗକୁ ଚାଲୁଛନ୍ତି। ପାଣି ଭିତରେ ସର ସର ଶବ୍ଦ କରି ଧୀରେ ଧୀରେ ପାଦଗୁଡ଼ିକ ପୃଷ୍ଠଭୂମିର ଦ୍ରୁତ ହେଉଥିବା ସାଇରନ୍ ପରି ଶୁଭୁଥିବା ସଙ୍ଗୀତ ସହ ପାଦ ପାଦ କରି ଦର୍ଶକମାନଙ୍କ ଆଡ଼କୁ ବଢ଼ିଚାଲେ।
ଶୈଳଜା କେ. ଏସ. ହେଉଛନ୍ତି ମଞ୍ଚରେ ଥିବା ଦଶଜଣଙ୍କ ମଧ୍ୟରୁ ଜଣେ। ନାଟକର ନାମ ଚେଭିତ୍ତୋର୍ମା – ଏକ ସ୍ଥାନୀୟ କାଥୋଲିକ ରୀତି ଯେଉଁଥିରେ ଜଣେ ମରଣାପର୍ଣ୍ଣ ବ୍ୟକ୍ତିଙ୍କୁ ଆଶ୍ଵସ୍ତ କରିବା ପାଇଁ ତାଙ୍କ କାନରେ ଫିସ ଫିସ କରି ଶୁଣା ଯାଉଥିବା ପ୍ରାର୍ଥନା। ବାସ୍ତବରେ ଏହି ଗୋଷ୍ଠୀ ନାଟକ ହେଉଛି ଏପରି ଏକ ସ୍ଥାନ ଯାହା ତାଙ୍କ ପାଇଁ ବାସ୍ତବ ଓ କଳ୍ପନାକୁ ଏକାକାର କରିଦିଏ।
“ମୋ ମା’ କହୁଥିବାର ମୁଁ ବାରମ୍ବାର ଶୁଣିଛି ଯେ ପିଲାବେଳେ ମୁଁ ବହୁତ ଦୁଷ୍ଟ ଥିଲି। ଖାଲି ଦୁଷ୍ଟ ନୁହେଁ, ଗୋଟିଏ ଛୋଟ ଝଡ଼ ଭଳି ଥିଲି। ସେହି ଦିନଗୁଡ଼ିକରେ ମୋ ମା’ ମୋତେ ଖୁଏଇବାକୁ ମନାଇବା ପାଇଁ ଗପ କହୁଥିଲେ। ସାମାନ୍ୟ ଗରମ ଥିବା ଭାତ ଉପରେ ଲୁଣ ସହ ଅଳ୍ପ ନଡ଼ିଆ ତେଲ ବୁଲାହେଇ ପଡ଼ିଥିବା ଭାତର ଦିବ୍ୟ ବାସ୍ନା ଓ ପାଟି ଓଦା କରି ଦେଉଥିବା ସ୍ୱାଦ...! ଏବଂ ତା’ପରେ ମତେ ଯେତେବେଳେ ୧୨ କି ୧୩ ବର୍ଷ ହେଇଥିଲା, ଜଣେ ହସ୍ତରେଖା ପଢ଼ି ପାରୁଥିବା ମହିଳା ଜ୍ୟୋତିଷ ଆମ ଘରକୁ ଆସିଥିଲେ, ଏବଂ ମୋ ହାତ ଦେଖି କହିଲେ, ‘ସେ ଦିନେ ଭବିଷ୍ୟତରେ ଏ ଘରର ସବୁକିଛି ସଫା କରିଦେବ। ଏପରିକି ଶେଷ ଲୁଣ ଦାନାଟିକୁ ମଧ୍ୟ ନେଇଯିବ!’ ତାହା ମତେ ଚିନ୍ତିତ କରିଦେଲା। ମୁଁ ଏପରି କେବେ କରିବି? କିନ୍ତୁ ସମସ୍ତେ ହସି ଉଠିଲେ।
“ବହୁ ବର୍ଷ ପରେ, ୨୦୧୮ରେ ମୋ ମା’ ମୋ ସହିତ ଥିଲେ। ସେ ମାତ୍ର କେତେଦିନ ପାଇଁ ରହିବାକୁ ଆସିଥିଲା, ସେହି ଦୁଃଖିନି ମା”। ତା’ ପରେ ହାତରେ ଲୁଣ ଜାର୍ ଧରି ଶୈଳଜା ବନ୍ୟାର ତୁରନ୍ତ ପରେ ମା’ଙ୍କୁ ହରେଇବାର କଥା ବିମୁଗ୍ଧ ଦର୍ଶକମାନଙ୍କୁ କହି ଶୁଣାଇବେ।
“ନାଟ୍ୟ ଦଳ ହେଉଛି ଗୋଟିଏ ପରିବାର ଭଳି। ଏହା ମୋର ମାନସିକ ସ୍ଵାସ୍ଥ୍ୟକୁ ପୁନଃରୁଦ୍ଧାର କରିବାରେ ସାହାଯ୍ୟ କଲା। ମୁଁ ବୁଝିଲି ଯେ ମୁଁ ମଧ୍ୟ କିଛି କରିବାକୁ ଓ ସମାଜକୁ ଫେରସ୍ତ ଦେବା ନିମନ୍ତେ ସକ୍ଷମ ଥିଲି”, ୫୭-ବର୍ଷୀୟା ଆତ୍ମ-ନିଯୁକ୍ତ ଶୈଳଜା ଗୌରବାନ୍ଵିତ ସ୍ଵରରେ କହନ୍ତି। ସେ ନିଜକୁ ଜଣେ ଗୃହିଣୀ ବୋଲି କହନ୍ତି, କିନ୍ତୁ ସେ ମଧ୍ୟ ଜଣେ ଉଦ୍ୟୋଗୀ ଯେ କି ଆୟ କରିବା ପାଇଁ ଘର ତିଆରି ଆଚାର ବିକ୍ରି କରନ୍ତି। ଏବଂ ଏବେ ନିକଟରେ ଗୋଟିଏ ଗହଣା ଦୋକାନରେ ଜଣେ ବିକ୍ରୟକାରୀ ଭାବେ ଯୋଗ ଦେଇଛନ୍ତି। “ଗୋଷ୍ଠୀ ନାଟକ ଯାହାକିଛି ୨୦୧୮ରେ ଘଟିଥିଲା ସେଥିରୁ ବାହାରିବା ପାଇଁ ମତେ ସାହାଯ୍ୟ କଲା, ଏବଂ ମୋର ଅନୁଭୂତିକୁ ଅନ୍ୟମାନଙ୍କ ସହ ବାଣ୍ଟିଲି, ବିଶେଷ କରି ଆମେ କିପରି [ଜୁଆର ଜନିତ ବନ୍ୟାବେଳେ] ଜୀବନ ବଞ୍ଚୁ ସେ ସମ୍ପର୍କରେ କୌଣସି ଧାରଣା ନଥିବା ଲୋକମାନଙ୍କ ସହ।


















