ମୋର ରଙ୍ଗ ଶ୍ୟାମଳ ହୋଇଥିବାରୁ ମୋର ନାମ ସନ୍ଧ୍ୟା ରଖାଯାଇଛି- ସନ୍ଧ୍ୟା ହେଉଛି ଦିନର ଏପରି ସମୟ ଯେତେବେଳେ ଅନ୍ଧାର ଘୋଟି ଆସିଥାଏ, ତେଣୁ ମୋର ପରିବାର ଲୋକ ‘ସନ୍ଧ୍ୟା’ ନାମଟି ମୋ ପାଇଁ ଉପଯୁକ୍ତ ବୋଲି ମନେ କରିଥିଲେ।
ମୋର ରଙ୍ଗ ଶ୍ୟାମଳ ହୋଇଥିବାରୁ ମତେ ମୋର ପରିବାର ଲୋକେ ବିଶେଷ ଭଲ ପାଉନଥିଲେ। ଏହା ମୋର ବାଲ୍ୟକାଳର ଅଭିଜ୍ଞତା, ଏବଂ ଦେହର ରଙ୍ଗ ନେଇ ପାତରଅନ୍ତର ବାବଦରେ ମୁଁ ସେତେବେଳେ ସଚେତନ ହୋଇଥିଲି, ଆଜି ବି ସେହି ଭାବନା ମୋ ମନ ଭିତରେ ରହିଯାଇଛି।
ବଣ-ପାହାଡ଼-ଝରଣା ପରିବେଷ୍ଟିତ ଝାଡ଼ଖଣ୍ଡ ରାଜ୍ୟର ବିହାର-ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ଚତରା ଜିଲ୍ଲା ଅନ୍ତର୍ଗତ ସଙ୍ଗହାରୀ ଗ୍ରାମର ଏକ ମୁଣ୍ଡା ଆଦିବାସୀ ପରିବାରରେ ୧୯୯୬ ମସିହାରେ ମୋର ଜନ୍ମ। ମୋର ମାଆଙ୍କ ନାମ ନିର୍ମଳା କେରକେଟା ଏବଂ ବାପାଙ୍କ ନାମ ସୁମନ ଲାକ୍ରା।
ମୋର ବାପା - ମାଆ କୃଷକ - ଆମର ଦୁଇ ଏକର ଜମିରେ ଭେଣ୍ଡି, ବିନ୍ସ, ଆଳୁ, ଫୁଲକୋବି ଏବଂ ଗାଜର ଭଳି ପନିପରିବା ଋତୁ ଅନୁଯାୟୀ ଚାଷ କରାଯାଇଥାଏ। ଆମେ ଧାନ ମଧ୍ୟ ଚାଷ କରିଥାଉ। କିନ୍ତୁ ଏଥିରୁ ଭଲ ଅମଳ ମିଳିନଥାଏ - ସମସ୍ତ ଉତ୍ସ ଏପରିକି ମୋର ବାପା ଜଣେ ଦିନ ମଜୁରିଆ ଭାବେ ଜମି, ସଡ଼କ ନିର୍ମାଣ ଏବଂ ନଳକୂପ ଖୋଳିବା କାମ କରି ଯାହା ରୋଜଗାର କରନ୍ତି ସବୁ ମିଶିଲେ ଆମର ବାର୍ଷିକ ଆୟ ୩୦,୦୦୦ଟଙ୍କା ରହିଛି।
ମୋର ବାପା-ମାଆ ମଧ୍ୟ ମହୁଲ [ମଧୁକା ଲଙ୍ଗିଫୋଲିଆ ପ୍ରକାର-ଲାଟିଫୋଲିଆ]ରୁ ତିଆରି ମଦ ବିକ୍ରି କରିଥାନ୍ତି - ଏହି ଟଙ୍କା ଆମର ଛଅଜଣିଆ ପରିବାରକୁ ଖାଦ୍ୟ ଯୋଗାଇବାରେ ସାହାଯ୍ୟ କରିଥାଏ।–ମୋର ଆହୁରି ଦୁଇଜଣ ଭଉଣୀ ଏବଂ ଜଣେ ଭାଇ ଅଛନ୍ତି। ସେମାନେ ଆମ ପାଠପଢ଼ା ଖର୍ଚ୍ଚ ପାଇଁ ଗ୍ରାମରେ ଏକ ଛୋଟ ମିଠେଇ ଦୋକାନ ମଧ୍ୟ ଚଳାଉଛନ୍ତି।
ଗୋଟିଏ ୧୫ଜଣିଆ ପରିବାରରେ ରହିବାର ଅର୍ଥ ହେଉଛି, ସବୁବେଳେ କାମ କର, ମୁଁ ଯେପରି ଯେପରି ବଡ଼ ହେବାକୁ ଲାଗିଲି ମତେ ମୋ ଘରେ ଚାକର ଭଳି କାମ କରିବାକୁ ପଡ଼ିଲା। ମତେ ଯେତେବେଳେ ମାତ୍ର ୭ବର୍ଷ ହୋଇଥାଏ ଏବଂ ମୁଁ ଦ୍ଵିତୀୟ ଶ୍ରେଣୀରେ ପାଠ ପଢୁଥିଲି, ସେତେବେଳେ ମୁଁ ଘରର ଦୈନନ୍ଦିନ କାମଠାରୁ ଆରମ୍ଭ କରି ପୁରା ପରିବାର ପାଇଁ ରୋଷେଇ, ବାସନ ମାଜିବା, ଘର ସଫେଇ, ଗୁହାଳ ସଫା କରିବା, ଗାଈ ଓ ଛେଳି ଚରାଇବା, ଜଙ୍ଗଲରୁ ଜଳେଣି କାଠ ସଂଗ୍ରହ କରିବା ଇତ୍ୟାଦି କାମ କରିବା ପାଇଁ ପଡୁଥିଲା।


















