‘‘ଟ୍ରେନ୍ ମାତ୍ର ପାଞ୍ଚ ମିନିଟ୍ ପାଇଁ ଅଟକିଥାଏ, ଏବଂ ଆମେ ବହୁତ ଭିଡ଼ ଓ ଠେଲାପେଲା ଭିତରେ ଚଢ଼ିଥାଉ। ବେଳେ ବେଳେ ଟ୍ରେନ୍ ଚାଲିବା ଆରମ୍ଭ କରିଦିଏ ଏବଂ ଆମକୁ ପ୍ଲାଟଫର୍ମରେ କିଛି ବଣ୍ଡଲ୍ ଛାଡ଼ି ଚାଲିଯିବାକୁ ହୋଇଥାଏ।’’ ସାରଙ୍ଗା ରାଜଭୋଇ ଜଣେ ରଶି କାରୀଗର ଏବଂ ଯେଉଁ ବଣ୍ଡଲ୍କୁ ସେ ପଛରେ ଛାଡ଼ି ଦେଇଯିବାକୁ ବାଧ୍ୟ ହୋଇଥା’ନ୍ତି, ସେଗୁଡ଼ିକ ପୋଷାକ କାରଖାନାରେ ବଳି ପଡ଼ିଥିବା ତନ୍ତୁର ଗଣ୍ଠିଲି ହୋଇଥାଏ। ତାଙ୍କ ଭଳି ମହିଳାମାନେ ଏସବୁ ତନ୍ତୁରେ ରଶି ତିଆରି କରି ବିକ୍ରି କରିଥା’ନ୍ତି। ଗାଈ-ମଇଁଷିଙ୍କୁ ବାନ୍ଧିବା, ଟ୍ରକ୍ ଓ ଟ୍ରାକ୍ଟରରେ ମାଲ୍ ଲଦିବା ଏବଂ କପଡ଼ା ଶୁଖାଇବା ନିମନ୍ତେ ଟାଙ୍ଗିବାରେ ଏସବୁ ରଶି ବ୍ୟବହାର କରାଯାଏ।
‘‘ହମାରା ଖାନଦାନି ହୈ (ଆମର ପାରିବାରିକ ବ୍ୟବସାୟ),’’ ସନ୍ତ୍ରା ରାଜଭୋଇ କୁହନ୍ତି। ଅହମ୍ମଦାବାଦର ୱଟୱା ସ୍ଥିତ ନଗରପାଳିକା ଆବାସିକ ବ୍ଲକରେ ନିଜ ଘର ପାଖରେ ଥିବା ଏକ ଖୋଲା ସ୍ଥାନରେ ବସି, ସେ ସିନ୍ଥେଟିକ୍ ଫାଇବର ଗଦାରୁ ଗଣ୍ଠି ଖୋଲିବାରେ ବ୍ୟସ୍ତ ଅଛନ୍ତି।
ସାରଙ୍ଗା ଓ ସନ୍ତ୍ରା ଗୁଜରାଟର ରାଜଭୋଇ ଯାଯାବର ସମ୍ପ୍ରଦାୟର ଅଟନ୍ତି। ସେମାନେ ଅହମ୍ମଦାବାଦରୁ ସୁରତ ପର୍ଯ୍ୟନ୍ତ ଯାତ୍ରା କରିଥା’ନ୍ତି ଏବଂ ରାସ୍ତାରେ ପଡ଼ୁଥିବା ପୋଷାକ କାରଖାନାରୁ ଅପଶିଷ୍ଟ ତନ୍ତୁ ବା ଫାଇବର୍ କିଣିଥାନ୍ତି ଯେଉଁଥିରେ ସେମାନେ ରଶି ତିଆରି କରନ୍ତି। ଏହା ଏକ ଏପରି କାମ ଯାହା ପାଇଁ ସେମାନେ ରାତି ୧୧ଟା ପାଖାପାଖି ଘରୁ ବାହାରନ୍ତି ଏବଂ ପରଦିନ ସନ୍ଧ୍ୟା ସାତଟାରେ ଘରକୁ ଫେରନ୍ତି। ସେମାନଙ୍କ ଛୋଟ ପିଲାମାନଙ୍କୁ ସମ୍ପର୍କୀୟ ଓ ପଡ଼ୋଶୀଙ୍କ ପାଖରେ ଛାଡ଼ି ଦେଇ ଯିବାକୁ ହୋଇଥାଏ।
ସେମାନେ ଯେଉଁ ଟ୍ରେନ୍ ଧରନ୍ତି ତାହା ପ୍ରାୟତଃ ରାତି ଗୋଟାଏ କିମ୍ବା ଦୁଇଟା ବେଳେ ନିଜ ଗନ୍ତବ୍ୟସ୍ଥଳୀରେ ପହଞ୍ଚିଥାଏ, ସେଥିପାଇଁ ରଶି ତିଆରି କରୁଥିବା ମହିଳାମାନେ ରେଳ ପ୍ଲାଟଫର୍ମରେ ଶୁଅନ୍ତି। ଏହି କାରଣରୁ ସେମାନଙ୍କୁ ପ୍ରାୟତଃ ହଇରାଣ ହରକତ କରାଯାଇଥାଏ। ‘‘ଆମକୁ ଦୁଇ ତିନି ଘଣ୍ଟା ପର୍ଯ୍ୟନ୍ତ ପୁଲିସ ଷ୍ଟେସନରେ ବସାଇ ଦିଆଯାଏ ଏବଂ ଆମେ କେଉଁଠୁ ଆସିଛୁ ବୋଲି ଜେରା କରାଯାଏ। ପୁଲିସବାଲା ଗରିବ ଲୋକଙ୍କୁ ଧରି ନିଅନ୍ତି,’’ କରୁଣା କୁହନ୍ତି। ‘‘ଆମକୁ ଅଟକ ରଖିବାକୁ ଚାହିଁଲେ ସେମାନେ ତାହା କରିଥା’ନ୍ତି।
କରୁଣା, ସନ୍ତ୍ରା ଓ ସାରଙ୍ଗା ସମସ୍ତେ ୱଟୱାସ୍ଥିତ ଚାର ମଲିୟା ନଗରପାଳିକା ଆବାସିକ ଅଞ୍ଚଳରେ ପରସ୍ପରର ପଡ଼ୋଶୀ ଭାବେ ରୁହନ୍ତି। ସେମାନେ କୁହନ୍ତି ଯେ ସେମାନଙ୍କ ଘରେ ନିୟମିତ ଜଳଯୋଗାଣ ଏବଂ ବର୍ଜ୍ୟଜଳ ନିଷ୍କାସନ ଭଳି ମୌଳିକ ସୁବିଧା ନାହିଁ। ଦୀର୍ଘଦିନ ଧରି ସଂଘର୍ଷ କରିବା ପରେ ସେମାନଙ୍କୁ ବିଦ୍ୟୁତ ସଂଯୋଗ ମିଳିପାରିଛି।


























