‘‘ସେମାନେ ମୋର ଦୁଇଟି ମାଠିଆ ଚୋରି କରି ନେଲେ!’’
ଆନନ୍ଦ ଲୋହାର ରାଗି ଯାଇଥିଲେ । ଦିନଟି ଆରମ୍ଭ ହେଲା ଏମିତି ଏକ ଖରାପ ଘଟଣା ସହିତ । ଗୋଆଲପାଡ଼ାର ବାସିନ୍ଦାମାନେ କେବଳ ଏହି ମାଠିଆରେ ଝରିଥିବା ରସଗୁଡ଼ିକ ହରାଇଲେ ନାହିଁ ତାହା ସହିତ ତାଙ୍କର ୯୦ ଟଙ୍କା ମଧ୍ୟ ପାଣିରେ ପଡ଼ିଲା । ତାଙ୍କ ଘରଠାରୁ ପ୍ରାୟ ୩ କିଲୋମିଟରରୁ ଅଧିକ ଦୂରରେ ଥିବା ସୋନାଝୁରିରୁ ମାଠିଆ ଦୁଇଟି କିଣିବା ପାଇଁ ତାଙ୍କୁ ୯୦ ଟଙ୍କା ଦେବାକୁ ପଡ଼ିଥିଲା ।
ଆନନ୍ଦ ଖଜୁରୀ (ଫିନିକ୍ସ ସିଲଭେଷ୍ଟ୍ରିସ୍) ଗଛର ମିଠା ରସ ସଂଗ୍ରହ କରିବା ପାଇଁ ଏହି ମାଠିଆ ଆବଶ୍ୟକ କରିଥାନ୍ତି । ଯେଉଁ ଲୋକମାନେ ଏହି ଖଜୁରୀ ଗଛ ଉପରେ ଚଢ଼ି କଣା କରିଥାନ୍ତି ଏବଂ ଏହି ରସ ସଂଗ୍ରହ କରିଥାନ୍ତି ସ୍ଥାନୀୟ ଭାଷାରେ ସେମାନଙ୍କୁ ଶିଉଲି କୁହାଯାଏ । ଏହି ଋତୁକାଳୀନ ବୃତ୍ତି ଅକ୍ଟୋବର ମାସରୁ ଜାନୁଆରୀ ମାସ ପର୍ଯ୍ୟନ୍ତ ଜାରି ରହିଥାଏ, ସେମାନେ ବଙ୍ଗଳା ଭାଷାର ଆଶ୍ୱିନ ମାସଠାରୁ ସକ୍ରିୟ ହୋଇଥାନ୍ତି ଯାହାକି ହେମନ୍ତ ଋତୁରେ ଆସେ । ପଶ୍ଚିମବଙ୍ଗରେ ହେମନ୍ତ ଋତୁ ଆଗମନରେ ରାତିରେ ଫୁଟୁଥିବା ଫୁଲର ନାମ ମଧ୍ୟ ଶିଉଲିହୋଇଥାଏ ।
୬୫ ବର୍ଷ ବୟସ୍କ ବ୍ୟକ୍ତି ଜଣଙ୍କର ଅଣ୍ଟା ବୟସ ପ୍ରଭାବରେ ନଇଁଗଲାଣି, ସେ ବୋଲପୁରରେ କାମ କରୁଥିବା ଇଟାଭାଟି ବନ୍ଦ ହେବା ପରଠାରୁ ପ୍ରାୟ ଛଅ-ସାତ ବର୍ଷ ହେଲା ଏହି କାମ କରୁଛନ୍ତି ।
ତାଙ୍କର ମାଠିଆ ହରାଇ ଆନନ୍ଦ ଭାରି ମନସ୍ତାପରେ ଅଛନ୍ତି ଓ ମନେ ମନେ ଗାଳି ଦେଉଛନ୍ତି ‘‘ପ୍ରତି ବର୍ଷ ଏମିତି ହେଉଛି ।’’ ସେ ପରବର୍ତ୍ତୀ ଗଛକୁ ଚଢ଼ିବାକୁ ଗଲାବେଳେ ଆମେ ବି ତାଙ୍କ ସାଙ୍ଗେ ଚାଲିଲୁ; ଆମ ପାଦ ତଳେ ଶୁଖିଲା ଖଜୁରୀ ପତ୍ର ଚାପି ହୋଇ ଶବ୍ଦ ହେଉଥିଲା । ଡିସେମ୍ବରର ଶୀତ ସକାଳ ଏବଂ ଆନନ୍ଦ । ଶୀତରୁ ରକ୍ଷା ପାଇବା ପାଇଁ ଗୋଟିଏ ଟୋପି ପିନ୍ଧିଥିଲେ । ତାଙ୍କର ଝାଟିମାଟି ଘର ମନସାତଲାଠାରୁ ମାତ୍ର ୩୦୦ ମିଟର ଦୂରରେ ରହିଥିଲା, ସେ ଲିଜ୍ ନେଇଥିବା ଗଛଗୁଡ଼ିକ । କିନ୍ତୁ ତାଙ୍କ ପରି ଜଣେ ଶ୍ୱାସ ରୋଗୀଙ୍କ ପାଇଁ ଏତିକି ପରିଶ୍ରମ ବି କଠିନ ଥିଲା । ଏବଂ ଫେରିଲା ବେଳେ ଯେତେବେଳେ ସେ ସାତରୁ ଆଠ କିଲୋ ତାଜା ରସ ନେଇ ଯାଉଥିଲେ ଏହା ତାଙ୍କ ପାଇଁ ଆହୁରି ଅଧିକ କଠିନ ହେଉଥିଲା ।


































