କାଠୁରିଆ କୁରାଢ଼ୀକୁ ମୁଣ୍ଡ ଉପରକୁ ଉଠାଏ ଏବଂ -ଠକ୍ କରି - କାଠ ଉପରେ ଚୋଟ ପକାନ୍ତି। ଦଶ ଫୁଟ ଦୂରରେ, ମୁଁ ଭୟରେ ପଛକୁ ହଟିଯାଏ। ତା’ର ପିଠି ଉପରେ ବୋହି ଯାଉଥିବା ଝାଳବୁନ୍ଦାଗୁଡ଼ିକ ସେ ପିନ୍ଧିଥିବା ସୂତା ପ୍ୟାଣ୍ଟ ଉପରେ ତା’ ଅଣ୍ଟାରେ ଗୁଡ଼ା ହୋଇଥିବା ତଉଲିଆକୁ ଓଦା କରି ଦେଉଥାଏ। ଠକ୍! ସେ ପୁଣିଥରେ କୁରାଢ଼ି ଚୋଟ ପକାଏ। କାଠ ଫାଟିବା ସହିତ ଛୋଟ ଖଣ୍ଡ ଛିଟିକି ଦୂରରେ ପଡ଼ିଯାଏ। ଶିଳ୍ପକାରଙ୍କ ନାଁ ଏମ. କାମାଚୀ। ଅନେକ ଦିନ ପୂର୍ବରୁ ସେ କୃଷି ଶ୍ରମିକ ଭାବେ କାମ କରୁଥିଲେ। ସେ ନିଜ ମୁଣ୍ଡ ନଉଠାଇ ମୋ ସହିତ କଥା ହୁଅନ୍ତି, କିନ୍ତୁ ତାଙ୍କ ଆଖି କୁରାଢ଼ି ଧାର ଉପରେ ଲାଖି ରହିଥାଏ।
ଗତ ୩୦ ବର୍ଷ ଧରି କାମାଚୀ ତଞ୍ଜାୱୁରର ଗୋଟିଏ ପୁରୁଣା ବଗିଚା - ଶିବଗଙ୍ଗଇ ପୁଙ୍ଗା ନିକଟରେ ତିଆରି ହୋଇଥିବା ଶେଡ୍ ତଳେ ନିଜର କର୍ମଶାଳା ଚଳାଇ ଆସୁଛନ୍ତି। ବର୍ତ୍ତମାନ ତାଙ୍କ ବୟସ ୬୭ ବର୍ଷ ଏବଂ ପାଖାପାଖି ୧୫୦ ବର୍ଷ ପୁରୁଣା ଏହି ବଗିଚା ତାଙ୍କ ବୟସଠାରୁ ଦୁଇ ଗୁଣ ଅଧିକ ପୁରୁଣା। ନିକଟରେ ନିର୍ମିତ ବିଶାଳ ମନ୍ଦିର - ବୃହଦେଶ୍ୱର କୋଭିଲ୍ - ୧,୧୦୦ ବର୍ଷ ପୁରୁଣା। ଯେଉଁ ବାଦ୍ୟଯନ୍ତ୍ରକୁ ସେ ନିଜ ହାତରେ ଆକାର ଦେଉଛନ୍ତି, ସେ ବିଷୟରେ ଆହୁରି ପ୍ରାଚୀନ ଗ୍ରନ୍ଥରେ ଉଲ୍ଲେଖ ରହିଛି। କାମାଚୀ ପଣସ କାଠର ଚାରି ଫୁଟ ଗଣ୍ଡିରେ ଏକ ବୀଣଇ ତିଆରି କରୁଛନ୍ତି ଯାହାକି ସାଧାରଣତଃ ବୀଣା ନାମରେ ପରିଚିତ ।
କାଠ ଗଣ୍ଡିକୁ ସ୍ଥରି ରଖିବା ଲାଗି ସେ ନିଜର ଡାହାଣ ଗୋଡ଼ରେ ପଞ୍ଝାକୁ ସେହି ଗଣ୍ଡିର ଖାଲ ଭିତରେ ପୂରାଇ ରଖିଛନ୍ତି ଯାହା ପ୍ରସ୍ତୁତ ହୋଇସାରିବା ପରେ ଦିନେ ଗୋଟିଏ ବୀଣଇ ର କୁଡମ (ପ୍ରତିଧ୍ୱନି ସୃଷ୍ଟି କରୁଥିବା ଭାଗ) ହେବ। ଏହି ଭାଗରେ ସ୍ୱର ଗୁଞ୍ଜରିତ ହୋଇ ଦୂର ସ୍ଥାନକୁ ବିସ୍ତାରିତ ହୋଇଥାଏ। ଛାଇ ଥିଲେ ସୁଦ୍ଧା ତାଙ୍କର କର୍ମଶାଳାରେ ଧୂଳି ଭର୍ତ୍ତି ହୋଇ ରହିଛି ଓ ଗରମ ଅନୁଭୂତ ହେଉଛି । କାମାଚୀଙ୍କ କାମ କଠିନ ଓ ପରିଶ୍ରମ ସାପେକ୍ଷ। ନିଜର ପରିଶ୍ରମ ବଦଳରେ ସେ ଦୈନିକ ପାଖାପାଖି ୬୦୦ ଟଙ୍କା ରୋଜଗାର କରିଥାନ୍ତି। ଏହା କାରିଗରୀର କାମ। କୁରାଢ଼ିର ପ୍ରତ୍ୟେକ ଚୋଟ ସହିତ ତାଙ୍କ ଗଳାରୁ କର୍କଶ ସ୍ୱର ବାହାରିଥାଏ। ମଝିରେ ମଝିରେ ସେ ଗୋଟିଏ ମୋଟା ତଉଲିଆ ସହାୟତାରେ ନିଜ ମୁହଁରୁ ବୋହୁଥିବା ଝାଳକୁ ପୋଛି ଚାଲିଛନ୍ତି।
କିଛି ଘଣ୍ଟା ପର୍ଯ୍ୟନ୍ତ ଲଗାତାର ଛେଲିବା ପରେ ସେ ୩୦ କିଲୋଗ୍ରାମ ଭାରୀ ଗଣ୍ଡିର ଓଜନକୁ କମାଇ ପ୍ରାୟ ୨୦ କିଲୋଗ୍ରାମ କରି ଦିଅନ୍ତି ଏବଂ ଏବେ ତାହା ପଟ୍ଟରାଇ (କାର୍ଯ୍ୟଶାଳା)କୁ ପଠାଇବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଏ, ଯେଉଁଠି କାରୀଗରମାନଙ୍କ ଦ୍ୱାରା ଏହାକୁ ଚିକ୍କଣ କରାଯିବା ସହିତ ପଲିସ୍ କରାଯିବ। ଗୋଟିଏ ମାସ ଧରି କାମ କରିବା ପରେ ବାଦ୍ୟଯନ୍ତ୍ର ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ ଏବଂ ସଙ୍ଗୀତଜ୍ଞଙ୍କ କୋଳର ଶୋଭା ବଢ଼ାଇବ ଓ ଏଥିରୁ ଶ୍ରୁତିମଧୁର ସ୍ୱର ସୃଷ୍ଟି ହେବ।


























