“ଏବେ ବି ଲୋକେ ବିଶ୍ୱାସ କରନ୍ତି ଯେ, ୬୦ ବର୍ଷ ତଳେ ହେଉନା କାହିଁକି, ଅତୀତରେ କୁଷ୍ଠ ରୋଗରେ ପୀଡ଼ିତ ଯେ କୌଣସି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ସେମାନେ ରୋଗ ସଂକ୍ରମିତ ହୋଇଯିବେ ।”
ବୟସର ସତୁରୀ ଦଶକରେ ପହଞ୍ଚି ସାରିଥିବା ନିୟାମତ ଉଲ୍ଲା ଖାନ୍ କୁଷ୍ଠ ରୋଗରୁ ମୁକ୍ତି ପାଇବାର ଛଅ ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି ସତ, ହେଲେ ସେ କହନ୍ତି, ସେଇ କଳଙ୍କ ଆଜି ଯାଏଁ ଲାଗି ରହିଛି । “ମୋର ପରିବାର ମୋତେ ସମ୍ମାନ ଦିଏ, କିନ୍ତୁ ମୋର ଅବସ୍ଥା ଏମିତି ଯେ, ଅନ୍ୟମାନଙ୍କୁ ପାଖରୁ ମୁଁ ତାହା ଆଶା କରେ ନାହିଁ,” ସେ କହନ୍ତି ।
ଘୃଣା ମିଶ୍ରିତ ଦୟାପୂର୍ଣ୍ଣ ନଜର ସହିବାକୁ ଅନିଚ୍ଛା ପ୍ରକାଶ କରି, ଶେଷରେ ୨୦୨୫ ମସିହାରେ, ସେ ତାଙ୍କ ପରିବାରକୁ କୁପୱାଡ଼ାରେ ଛାଡ଼ି ଶ୍ରୀନଗରର ବହରାର ଲେପ୍ରୋସି କଲୋନୀକୁ ଚାଲିଆସିଲେ ।
“ମୁଁ ଚାଲି ଆସିବାର କାରଣ ହେଲା ଏଠି ସମସ୍ତେ ସମାନ । ମୋ ଗାଁ ଭଳି ମୋତେ ଏଠାରୁ କେହି ବାହାର କରି ଦେଲା ଭଳି ଲାଗେ ନାହିଁ,” ୭୬ ବର୍ଷୀୟ ନିୟାମତ କହନ୍ତି । “ଏହି ଜାଗା ମୋତେ ମୋ ଘର ଭଳି ଲାଗେ। ମୁଁ ମରିବା ଯାଏଁ ଏଠାରେ ରହିବି ବୋଲି ସ୍ଥିର କରିଛି ।”
















