ସଂଜୀବନୀ ଅସୁନ୍ତାଙ୍କୁ ‘ମା’ ବୋଲି ଡାକେ, କିନ୍ତୁ ସେ ତାଙ୍କ ପୁଅ ନୁହେଁ।
ପ୍ରାୟ ଦୁଇ ଦଶନ୍ଧି ହେଲା ଧର୍ମଜୟଗଡ଼ର ମିରିଗୁଡ଼ା ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ କାମ କରୁଥିବା ଅସୁନ୍ତା ଟପୋ ହେଉଛନ୍ତି ଜଣେ ଗ୍ରାମୀଣ ସ୍ୱାସ୍ଥ୍ୟ ଅଧିକାରୀ। କିଛି ବର୍ଷ ପୂର୍ବେ ଏକ ବିପଦପୂର୍ଣ୍ଣ ପିଲା ପ୍ରସବ କରାଇବା ଦାୟିତ୍ଵ ତାଙ୍କୁ ନେବାକୁ ପଡ଼ିଥିଲା। ସେହି ମା’ଙ୍କର ଅତି ଅଧିକ ରକ୍ତଚାପ ଥିବା ବେଳେ ହିମୋଗ୍ଲୋବିନ କମ୍ ଥିଲା, ୭ ଗ୍ରାମ୍ରୁ କମ୍। “ସେ ଆମ ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ଆସିବା ବେଳକୁ ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହେଇ ସାରିଥିଲା। ଏପରିକି ଆମେ ତାଙ୍କୁ ଟେବୁଲ ଉପରକୁ ନେବା ପୂର୍ବରୁ ପିଲାଟି ଜନ୍ମ ହୋଇଗଲା”, ମନେ ପକାଇ କହନ୍ତି ଅସୁନ୍ତା।
ଉପସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରସବ ପରେ ପିଲାଟିର ଅବସ୍ଥା ଭଲ ନଥିଲା। “ଏଠାରେ ଆମ ପାଖରେ ଅମ୍ଳଜାନ ଦେବା ସୁବିଧା ନଥିଲା ଓ ମା’ଟିର ଅବସ୍ଥା ବି ଅତି ଖରାପ ଥିଲା”, ମନେ ପକାନ୍ତି ଅସୁନ୍ତା। ବହୁ ମାତ୍ରାରେ ରକ୍ତ କ୍ଷୟ ହୋଇଥିଲା ଓ ଆରଏଚଓ ମା’ ନା ଛୁଆ କାହାର ଯତ୍ନ ନେବେ ବୁଝି ପାରୁ ନଥିଲେ।
“ପ୍ରଥମେ ଆମେ ସେମାନଙ୍କୁ ଧର୍ମଜୟଗଡ଼ ନେଲୁ। ସେଠାରେ ଜଣେ ଡାକ୍ତରାଣୀ ଥିଲେ, ଯାହାଙ୍କ ନାମ ମୁଁ କହିବି ନାହିଁ। ସେ ବିରକ୍ତି ପ୍ରକାଶ କଲେ ଓ କହିଲେ ଆମେ କାହିଁକି ମା’ ଓ ଛୁଆଙ୍କୁ ଏଭଳି ଗୁରୁତର ଅବସ୍ଥାରେ ସେଠାକୁ ଆଣିଲୁ”, ସେ ପୁଣି ମନେ ପକାନ୍ତି। କିନ୍ତୁ ଅସୁନ୍ତା ଡାକ୍ତରାଣୀଙ୍କ ସହ ଲଢ଼ିଲେ। “ମୁଁ ତାଙ୍କୁ କହିଲି, ଯଦି ଆପଣ କରିବାକୁ ସକ୍ଷମ ନୁହଁନ୍ତି, ତେବେ ଛାଡ଼ି ଦିଅନ୍ତୁ, କିନ୍ତୁ ମତେ ଟିକେ ସାହାଯ୍ୟ କରନ୍ତୁ। ସେ ରାଗି ଗଲେ”।
ଅସୁନ୍ତା ପିଲାଟିକୁ ଧରିଲେ ଓ ଆମ୍ବୁଲାନ୍ସଟିଏ ଦେବାକୁ ଜିଦି କଲେ। ଏହା ଭିତରେ ଡାକ୍ତରାଣୀ ଜଣଙ୍କର ମନ ବଦଳି ଯାଇଥିଲା ଓ ସେ ଇଂଜେକସନଟିଏ ଦେଲେ। ଅସୁନ୍ତା କହନ୍ତି କି ତାଙ୍କ ସହ ଆସିଥିବା (ସ୍ଵୀକୃତିପ୍ରାପ୍ତ ସାମାଜିକ ସ୍ଵାସ୍ଥ୍ୟ କର୍ମୀ) ମିତଣୀ ଜଣକ ପିଲାଟିକୁ ବଞ୍ଚାଇ ରଖିବା ପାଇଁ ମୁହଁରେ ମୁହଁ ଲଗାଇ ହୃତସ୍ପନ୍ଦନ ଚାଲୁ ରଖିବାକୁ ଚେଷ୍ଟା କରୁଥିଲେ।











