ଯେତେବେଳେ ସେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସ୍ଥିର କଲେ, ସେତେବେଳେ ତାଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ନଥିଲା। ତାଙ୍କ ପତ୍ନୀ ତାଙ୍କୁ୧୫ ହଜାର ଟଙ୍କା ଧାର ଦେଇଥିଲେ। ସେ ଏକ ଆଦିବାସୀ ଆବାସିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟ କରୁଥିଲେ। ତାଙ୍କ ଦଳର କର୍ମୀମାନେ ନିଜ ସାମର୍ଥ୍ୟ ଅନୁସାରେ କିଛି କିଛି ସାହାଯ୍ୟ କଲେ। ପ୍ରାର୍ଥୀପତ୍ର ଦାଖଲ କରିବା କରିବା ପୂର୍ବରୁ ମୋଟ ୫୨ ହଜାର ଟଙ୍କା ଯୋଗାଡ଼ କରିବାରେ ସେ ସଫଳ ହୋଇଥିଲେ।
ବିନୋଦ ନିକୋଲେଙ୍କ ପାଇଁ ପରିସ୍ଥିତି ଅତ୍ୟନ୍ତ ଜଟିଳ ଥିଲା। ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିଲେ ବିଧାୟକ ଧନାରେ ପାସ୍କଲ ଜନ୍ୟା, ଯିଏ ୨୦୧୪ରେ ଦାହାଣୁ ନିର୍ବାଚନମଣ୍ଡଳୀରୁ ୧୬ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ଜିତିଥିଲେ। ସେ ଭାରତୀୟ ଜନତା ପାର୍ଟିର ସଦସ୍ୟ ଥିଲେ, ଯେଉଁଦଳ ବିଧାନସଭା ନିର୍ବାଚନରେ ୮୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିବା ନେଇ ସେହି ବର୍ଷ ସରକାରୀ ଭାବେ ସ୍ୱୀକାର କରିଥିଲା।
କିନ୍ତୁ ଯେତେବେଳେ ଫଳାଫଳ ଆସିଲା, ଟଙ୍କା ବା ସମ୍ବଳର ଅଭାବ ବିଶେଷ ଫରକ ପକାଇ ନଥିବା ଜଣାପଡ଼ିଲା। ୫ ହଜାରରୁ କମ୍ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇ ବିଧାୟକ ହୋଇଥିଲେ ନିକୋଲେ।
ପାଲଘର ଆଦିବାସୀ ବହୁଳ ଜିଲ୍ଲାର ଦାହାଣୁ ସହରରେ ନିଜ ଅଫିସ୍ ବାହାରେ ଏକ ପ୍ଲାଷ୍ଟିକ୍ ଚେୟାରରେ ବସି ହସି ହସି ସେ କୁହନ୍ତି, ‘‘ମୋର ଜଣେ ସମ୍ପର୍କୀୟ ଭାଇ ମୋତେ ୭୦ ହଜାର ଟଙ୍କା ଧାର ଦେଇଥିଲେ। ନିର୍ବାଚନ ପୂର୍ବରୁ କ୍ୟାସ ଆକାରରେ ସେହି ୭୦ ହଜାର ଟଙ୍କା ହିଁ ମୋ ପାଖରେ ଥିଲା।’’
ଆଜିର ଦିନରେ ଭାରତରେ ଏପରି କାହାଣୀର ଆଉ ଅସ୍ତିତ୍ୱ ଥିବା ଭଳି ମନେ ହୁଏ ନାହିଁ। କିନ୍ତୁ ନିକଟରେ ଅର୍ଥାତ ୨୦୧୯ରେ ଏହା ଘଟିଥିଲା ଏବଂ ପୁଣି ୨୦୨୪ରେ ମଧ୍ୟ। ଏପରି ଏକ ସମୟରେ ଯେତେବେଳେ ଗୋଟିଏ ପରେ ଗୋଟିଏ ନିର୍ବାଚନରେ ବିରୋଧୀଙ୍କୁ ଧରାଶାୟୀ କରୁଥିଲା ବିଜେପି। ଟଙ୍କା ବିନା ରାଜନୀତିର ଏହି ଖେଳରେ ଜିତିବା ଅସମ୍ଭବ ମନେ ହେଉଥିବାବେଳେ ସିପିଆଇ(ଏମ୍) ଦଳର ୪୮ ବର୍ଷୀୟ ନିକୋଲେ ନିଜର ଦ୍ୱିତୀୟ କାର୍ଯ୍ୟକାଳରେ ସହଜରେ ପହଞ୍ଚିଛନ୍ତି। ଏହା ଏପରି ଏକ ରାଜ୍ୟରେ ଘଟିଛି ଯେଉଁଠାରେ ୯୩ ପ୍ରତିଶତ ବିଧାୟକ କୋଟିପତି। ମୋଟ ରାଜ୍ୟ ଘରୋଇ ଉତ୍ପାଦ (GSDP) ଅନୁଯାୟୀ ଦେଶର ସବୁଠାରୁ ସମୃଦ୍ଧ ରାଜ୍ୟ ହେଉଛି ମହାରାଷ୍ଟ୍ର।
ଦାହାଣୁ ସହରଠାରୁ ଚାରି କିଲୋମିଟର ଦୂରରେ ଥିବା ୱାକି ଗ୍ରାମରେ ଇଟାଭାଟି ଶ୍ରମିକ ଦମ୍ପତିଙ୍କଠାରୁ ଜନ୍ମିତ ନିକୋଲେ ମହାରାଷ୍ଟ୍ରର ସବୁଠାରୁ ଗରିବ ବିଧାୟକ, ଦେଶରେ ସର୍ବାଧିକ ନିର୍ବାଚନ ଖର୍ଚ୍ଚ କରୁଥିବା ରାଜ୍ୟ ହିସାବରେ ମହାରାଷ୍ଟ୍ର ଜଣାଶୁଣା। ନିର୍ବାଚନ ପୂର୍ବରୁ ନିକୋଲେ ଟଙ୍କା ବାଣ୍ଟି ପାରିବେ ନାହିଁ କିମ୍ବା ନିଜର ପ୍ରଚାର ପାଇଁ ଏକ ବଡ଼ ସୋସିଆଲ ମିଡିଆ ଟିମ୍ ନିଯୁକ୍ତ କରିପାରିବେ ନାହିଁ। ତାଙ୍କର ପୁଞ୍ଜି ହେଉଛି - ତୃଣମୂଳ ସ୍ତରରେ ଯୋଡ଼ି ହୋଇରହିବା, ଜନ ଆନ୍ଦୋଳନରେ ଭାଗ ନେବା ଏବଂ ସାଧାରଣ ଲୋକଙ୍କ ପାଇଁ, ବିଶେଷକରି ଆଦିବାସୀ ଚାଷୀ ଏବଂ ଶ୍ରମିକମାନଙ୍କ ପାଇଁ ସର୍ବଦା ଉପଲବ୍ଧ ରହିବା।









