ପ୍ରିୟଙ୍କା କୁମାରୀ ହେଉଛନ୍ତି ଜଣେ ଦ୍ରୁତ ଧାବିକା ଏବଂ ତାଙ୍କ ବାପା ଲାଲ ଦେଓ ଓରାଓଁ ଗର୍ବର ସହିତ ତାଙ୍କ ୧୮ ବର୍ଷର ଝିଅର ଦୌଡ଼ିବାର ବେଗ ବିଷୟରେ କହନ୍ତି। "ବହୁତ ତେଜ୍ ଦୌଡତିଥି ବଚପନ୍ସେ [ସେ ପିଲାଦିନୁ ହିଁ ବହୁତ ଜୋରରେ ଦଉଡ଼େ]," ସେ କହନ୍ତି।
ଜଣେ ଦିନମଜୁରିଆଙ୍କ ଚାରି ସନ୍ତାନଙ୍କ ମଧ୍ୟରେ ସବୁଠାରୁ ବଡ଼ ପ୍ରିୟଙ୍କା, ଏସ୍.ଏସ୍.ସି ଜିଡି ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି — ଯାହା ହେଉଛି ଅର୍ଦ୍ଧସାମରିକ ବାହିନୀ ପାଇଁ ଏକ ସାଧାରଣ ପ୍ରବେଶିକା ପରୀକ୍ଷା।
“ହମ୍କୋ ବର୍ଦ୍ଦି ପହନ୍ନା ହୈ, [ମୁଁ ୟୁନିଫର୍ମ ପିନ୍ଧିବାକୁ ଚାହୁଁଛି]," ବୋଲି ସେ ଲାଜେଇଯାଇ କୁହନ୍ତି।
ପ୍ରିୟଙ୍କା ପ୍ରତିଦିନ ତାଲିମ ନିଅନ୍ତି – ଏମିତି ଏକ ପରୀକ୍ଷା ଯାହା ପାଇଁ ସେ ହୁଏତ ଆଉ ଯୋଗ୍ୟ ବିବେଚିତ ହୋଇନପାରନ୍ତି। ଅର୍ଦ୍ଧସାମରିକ ବାହିନୀର ଡାକ୍ତରୀ ପରୀକ୍ଷାରେ ଫ୍ଲୋରୋସିସ୍ର ଉପସ୍ଥିତି ଯାଞ୍ଚ କରାଯାଏ ଏବଂତାଙ୍କ ଦାନ୍ତରେ ଥିବା ଦାଗ ଓ ଗଣ୍ଠିଗୁଡ଼ିକରେ ହେଉଥିବା ଯନ୍ତ୍ରଣା - ଏହି ଉଭୟରୋଗର ଲକ୍ଷଣ- ତାଙ୍କ ଅଯୋଗ୍ୟତାର କାରଣ ହୋଇପାରେ।
ଗତ ନଭେମ୍ବରରେ, ସେ ନିଜ ଗାଁ ପାଖ ଖୋଲା ପଡ଼ିଆରେ ଅଭ୍ୟାସ କରିବା ଆରମ୍ଭ କରିଥିଲେ। ଲକ୍ଷ୍ୟ ଥିଲା ୮.୫ ମିନିଟରେ ୧,୬୦୦ ମିଟର ଦୌଡ଼ିବା। “ପହଲା ଦିନ୍ ହମ୍ ୭ ମିନଟ୍ ମେ ହି ଦୌର ଗୟେ [ପ୍ରଥମ ଦିନମୁଁ ଏହା ମାତ୍ର ୭ ମିନିଟରେ ଦୌଡ଼ି ଶେଷ କରିଥିଲି],” ବୋଲି ପ୍ରିୟଙ୍କା ଆତ୍ମସନ୍ତୁଷ୍ଟିର ସହିତ କହନ୍ତି।
କିନ୍ତୁ ସେହି ପ୍ରଥମ ଦୌଡ଼ ପରେ, ଆଣ୍ଠୁରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ତାଙ୍କ ବାପା ପେନ୍କିଲର୍ ଖାଇବାକୁ ପରାମର୍ଶ ଦେଲେ; କିନ୍ତୁ ସେ ମନା କରିଦେଇଥିଲେ। "ଯଦି ମୁଁ ଥରେ ଏହାକୁ ଖାଇବି, ତେବେ ଏହା ଅଭ୍ୟାସରେ ପଡ଼ିଯିବ।" ତାଙ୍କ ଚାରିପାଖରେ ରହୁଥିବା ପ୍ରତ୍ୟେକ ବୟସ୍କ ବ୍ୟକ୍ତି ଯନ୍ତ୍ରଣା ଅସହ୍ୟ ହୋଇପଡ଼ିଲେ ପେନ୍କିଲର୍ ଖାଆନ୍ତି। ଝାଡ଼ଖଣ୍ଡର ପଲାମୁ ଜିଲ୍ଲାରେ ସେ ନିଜର ପୁରା ଜୀବନ ଏହା ଦେଖିଆସିଛନ୍ତି।
ଚୁକ୍ରୁ ଗାଁର ଲୋକମାନେ, ଯେଉଁମାନେ ମୁଖ୍ୟତଃ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଅଟନ୍ତି, ଫ୍ଲୋରୋସିସ୍ର ଶିକାର ହୋଇଛନ୍ତି। ଏହା ଏକ ଅପରିବର୍ତ୍ତନୀୟ ରୋଗାବସ୍ଥା, ଯାହା ପାନୀୟ ଜଳରେ ଅତ୍ୟଧିକ ଫ୍ଲୋରାଇଡ୍ ଥିବା କାରଣରୁ ଦେଖାଦେଇଥାଏ। ପଥର, ମାଟି ଏବଂ ଭୂତଳ ଜଳରେ ସ୍ୱାଭାବିକ ଭାବରେ ଫ୍ଲୋରାଇଡ୍ ମିଳିଥାଏ। ପଲାମୁରେ ଅଧିକାଂଶ ଭୂଶିଳା ନିସ୍ ଏବଂ ଗ୍ରାନାଇଟ୍ ପଥରରେ ତିଆରି ହୋଇଥିବାବେଳେ ଏଥିରେ ଫ୍ଲୋରାଇଡ୍ ଯୁକ୍ତ ଖଣିଜ ପ୍ରଚୁର ପରିମାଣରେ ରହିଥାଏ। ଏହା ଭିତର ଦେଇ ପାଣି ପ୍ରବାହିତ ହେବା ସମୟରେ ଫ୍ଲୋରାଇଡ୍ ଧୀରେ ଧୀରେ ପାଣିରେ ମିଶିଯାଏ।




























