ରାସ୍ତା ସରିବା ପୂର୍ବରୁ ଜିପିଏସ ସୂଚନା ମିଳିବା ଶେଷ ହୋଇଯାଏ।
ନାଗପୁରର ଦକ୍ଷିଣକୁ ଲମ୍ବିଥିବା ଅଣଓସାରିଆ ପିଚୁ ରାସ୍ତାରେ ଘଣ୍ଟାଏ ଗାଡ଼ିରେ ଗଲାପରେ ତାହା ଭନସୋଲି (ସାୱାଙ୍ଗି) ଗାଁ ବାହାରେ ଧୂଳିଆ ରାସ୍ତାରେ ମିଶିଯାଏ, ଯାହାକି ଆଗକୁ କପା ଓ ହରଡ଼ ଜମି ଭିତରେ ଗାରଟିଏ ପରି ଦିଶେ।
କିର୍ଷାନ ଜଗମାଲ ରବାରି ଗୋଟିଏ ମୋଟରସାଇକେଲରେ ଅପେକ୍ଷା କରୁଥାନ୍ତି। ସେହି ୪୫ ବର୍ଷ ବୟସ୍କ ଲୋକ ଜଣକ ଆମକୁ ଏହିଠାରେ ଆମର ଚାରିଚାକିଆ ଯାନକୁ ଛାଡ଼ିବାକୁ ପଡ଼ିବ ବୋଲି କହୁଛନ୍ତି। ତାଙ୍କ ଅଭିଯାତ୍ରୀ ଦଳରେ ପ୍ରାୟ ୨,୫୦୦ ମେଣ୍ଢା ଓ ଛେଳି ରହିଛନ୍ତି, ଓ ସେହି ଦଳଟି ରାସ୍ତାର ନିମ୍ନ ଭାଗରେ ଥିବା ସ୍ୱଳ୍ପ ସ୍ଥାୟୀ ଅଗଭୀର ଝରଣା କୂଳ ଛାଡ଼ି ଅନ୍ୟତ୍ର ଚାଲି ଯାଇଛନ୍ତି ଏବଂ କାର୍ ରେ ଯାଇ ସେଠାରେ ପହଞ୍ଚି ହେବ ନାହିଁ।
ଅନ୍ୟ ପକ୍ଷରେ, କିର୍ଷାନଙ୍କ ସର୍ବଦା ସ୍ଥାନ ପରିବର୍ତ୍ତନ କରୁଥିବା ଡେରା (ଆଶ୍ରୟ ସ୍ଥଳ)ର ଚାରିଟି ଯାକ ପରିବାର ମଧ୍ୟ ବୁଲନ୍ତି। ଧାତୁ-ନିର୍ମିତ ଦୁଇଟି ଶଗଡ଼ରେ ଭରି ହୋଇଥିବା ଓଜନଦାର ଆସବାବପତ୍ର – ଏକାଧିକ ଖଟିଆ, ଆଲୁମିନିୟମ ବାସନକୁସନ, ଲୁଗାପଟା ଗଣ୍ଠୁଲି, ପାଣିପାତ୍ର, ଦଉଡ଼ି, ଜାଲ ଓ ଟ୍ରଙ୍କ, ଇତ୍ୟାଦିରେ ଭର୍ତ୍ତି ଶଗଡ଼ ଦୁଇଟିକୁ ହୃଷ୍ଟପୁଷ୍ଟ ବଳଦମାନେ ଟାଣନ୍ତି। ସ୍ତ୍ରୀ ଲୋକମାନେ ସେମାନଙ୍କ ପାରମ୍ପରିକ ଚୋଲି (ବ୍ଳାଉଜ), ଘାଘରା (ସ୍କାର୍ଟ) ଓ ଲୁଡ଼କି (ଓଢ଼ଣି) ପରି ତିନି-ସ୍ତରୀୟ ପୋଷାକ ପିନ୍ଧି ଶଗଡ଼ଗୁଡ଼ିକୁ ଚଳାନ୍ତି। ମେଣ୍ଢା ଓ ଛେଳିଙ୍କ ଛୁଆମାନେ ମେଁ ମେଁ ରଡ଼ି କରୁଥିବା ବେଳେ ଦଉଡ଼ିରେ ବନ୍ଧା ହେଇଥିବା ଗୋଟିଏ ଛୁଆ ସେଥିରେ ଝିଙ୍କି ହେଉଥାଏ, ବଡ଼ ହେଲା ପରେ ଦିନେ ତାକୁ ମେଣ୍ଢା ଓ ଛେଳି ପଲର ପରିଚାଳନା ଦାୟିତ୍ଵ ନେବା ବାବଦରେ ସେ ଅଭ୍ୟାସ କରୁଥାଏ।
ଅଭିଯାତ୍ରୀ ଦଳ ଏବେ ବିଶ୍ରାମରେ।












